ନୂଆଦିଲ୍ଲୀ ୧୬/୧୨: ଧନକୁବେରମାନଙ୍କ ଉପରେ ପୃଥକ ଭାବେ  ଟିକସ ଅର୍ଥାତ୍‌ ‘ବିଲିୟନେୟାର୍‌ ଟ୍ୟାକ୍ସ’  ଦେଶକୁ ବର୍‌ବାଦ କରିପାରେ ବୋଲି ଏକ ନୂଆ ଚେତାବନି ଆସିଛି । ମୁଖ୍ୟ ଅର୍ଥନୈତିକ  ଉପଦେଷ୍ଟା(ସିଇଏ) ଅନନ୍ତ ନାଗେଶ୍ୱରନ  ‘ବିଲିୟନେୟାର ଟ୍ୟାକ୍ସ’ ବିରୋଧରେ ମତ  ଦେଇଛନ୍ତି ଏବଂ କହିଛନ୍ତି ଯେ, ଏହା ଦ୍ୱାରା  ଦେଶକୁ ବିଭିନ୍ନ ପ୍ରକାର କ୍ଷତି ହୋଇପାରେ ।  ଏହି ଟିକସ ଲଗାଯିବା ଦ୍ୱାରା ଦେଶରୁ ପୁଞ୍ଜି ବାହାରକୁ ଯାଇପାରେ ଏବଂ ନିବେଶ ବି  ପ୍ରଭାବିତ ହୋଇପାରେ । 

ଏକ କାର୍ଯ୍ୟକ୍ରମରେ  ଯୋଗ ଦେଇ ସିଇଏ କହିଛନ୍ତି ଯେ, ସାର୍ବଜନୀନ ନୀତିର ପ୍ରଭାବ ଅନେକ ସମୟରେ ବିପରୀତ  ହୋଇଥାଏ । ପୁଞ୍ଜି ଉପରେ ଅଧିକ ଟିକସ  ଲଗାଯିବା ଦ୍ୱାରା ପୁଞ୍ଜି ବାହାରକୁ ଚାଲିଯିବ । ପୁଞ୍ଜି ବାହାରକୁ ଚାଲିଯିବା ସହଜ କିନ୍ତୁ  ତାହାକୁ ଫେରାଇ ଆଣିବା କଷ୍ଟକର ।  

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା  ପରିଷଦ ସଦସ୍ୟ ଶାମିକା ରବି କହିଛନ୍ତି  ଯେ, ଆୟକର ବିଭାଗର ଆକଳନ  ଅନୁସାରେ, କମ୍‌ ଟିକସ ଅନୁପାଳନରେ  ସୁଧାର ଆଣିଛି । ଭାରତରେ ଅଧିକ ଟିକସ  ଦ୍ୱାରା ଅଧିକ ଟିକସ ଚୋରି ହୋଇପାରେ ।