ଆଠଗଡ଼,୧୮/୬(ପତିତପାବନ ରାଉତ): ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତମ ମଧୁର ଜଳର ହ୍ରଦ ଅଂଶୁପା। ପର୍ଯ୍ୟଟକ ଧାଇଁ ଆସନ୍ତି ଏହି ମଧୁର ଜଳର ହ୍ରଦ ଦେଖିବା ପାଇଁ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆଦ୍ର ଭୂମିର ଜୈବ ବିବିଧତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଗତ ଦିନ ଅପେକ୍ଷା ଏବେ ଅନେକ କିଛି ଉନ୍ନତି କରାଯାଇଥିଲେ ମଧ୍ୟ ଆହୁରି ଅନେକ କାମ ହେବାକୁ ରହିଛି। ଯେଉଁଭଳି ସ୍ଥିତିରେ ସୃଷ୍ଟି ହୋଇଛି ଆଗାମୀ ଦିନରେ ଏହି ହ୍ରଦ ଜୈବ ବିବିଧତା ନଷ୍ଟ ହେବା ସହିତ ନିଜର ଅସ୍ତିତ୍ୱ ହରାଇବ । ଅଂଶୁପା ହ୍ରଦ ଏବେ ପୋତି ହେବାକୁ ବସିଲାଣି । ଚାରିପାର୍ଶ୍ୱରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଥିବାରୁ କ୍ଷେତ୍ରଫଳ ବି କମିବାରେ ଲାଗିଛି । ଅଂଶୁପା ଚାରି ପଟେ ରହିଥିବା ବେସରକାରୀ ସହିତ ସରକାରୀ ଜମିକୁ କିଛି ବିଲଡ୍ର୍ କିଣି ଥିବା ବେଳେ ଅନ୍ୟ ଜମି ପାଇଁ ମୂଲଚାଲ ବି ଚାଲିଛି । ଦଲାଲଙ୍କ କବ୍ଜାକୁ ଚାଲିଯିବା ପୂର୍ବରୁ ଯଦି ଅଂଶୁପା ହ୍ରଦର ସୁରକ୍ଷା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା କରାନଯାଏ ତେବେ ଆଗାମୀ ଦିନରେ ଅଂଶୁପା ହ୍ରଦ ତାର ସୌନ୍ଦର୍ଯ୍ୟ ହରାଇବା ସହିତ ଜମି ମାଫିଆଙ୍କ କବ୍ଜାକୁ ଯିବା ନିଶ୍ଚିତ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଅଂଶୁପା ହ୍ରଦ ବାଙ୍କୀ ତହସିଲ୍ର ବିଷ୍ଣୁପୁର, ଓସ୍ତିଆ, କନ୍ତପହଁରା, ସୁବର୍ଣ୍ଣପୁର, କଦଳୀ ବାଡ଼ି ଆଦି ରାଜସ୍ୱ ଗ୍ରାମ ଅଧୀନରେ ରହିଛି । ୧୯୬୨ ମସିହା ବନ୍ଦୋବସ୍ତ ଅନୁସାରେ ଏହାର କ୍ଷେତ୍ରଫଳ ୯୬୦ ଏକର ରହିଥିଲା । କିନ୍ତୁ ଏବେ ଏହା ୧୫୬ ଏକରକୁ ଖସି ଆସିଲାଣି ବୋଲି କୁହାଯାଉଛି । ବାଙ୍କୀ ତହସିଲ ରତାଗଡ଼ ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ଖାତା ନଂ ୧୦୦୦ରେ ଅଂଶୁପାର ଆୟତନ ଏହିପରି ରହିଛି । ଅଂଶୁପାର ଅନେକ ସ୍ଥାନକୁ ଜବରଦଖଲ କରି ଲୋକେ ଧାନ ଚାଷ କରୁଛନ୍ତି । ଏଥିସହ ସରଣ୍ଡାଗଡ଼ ପାହାଡ଼ରୁ ବାଲି ମାଟି ପଶି ପୋତି ହେଉଛି। ଆଗରୁ ଗଭୀରତା ୪୦ଫୁଟ୍ ରହିଥିବା ବେଳେ ଏବେ ୧୫/୨୦ ରେ ସୀମିତ । ଅଂଶୁପାର ସୁରକ୍ଷା ନେଇ ଏହାର ଚାରିପାଖରେ ରହିଥିବା ପଞ୍ଚାୟତବାସୀ ଚିନ୍ତାରେ ପଡ଼ିଛନ୍ତି ।
ଅଂଶୁପା ହ୍ରଦର ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ । ବର୍ତ୍ତମାନ ଅଂଶୁପାର ଉନ୍ନତିକରଣ କରିବାକୁ ଯାଇ କେବଳ ଭୋଜି ମଣ୍ଡପମାନ କରାଯାଉଛି। କିନ୍ତୁ ଅଂଶୁପାର ବାସ୍ତବ ସୁରକ୍ଷା ପାଇଁ କୌଣସି ଯୋଜନା ହେଉନି । ଅଂଶୁପା ଏବେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଧୀନରେ ଅଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ କହିବା ଅନୁଯାୟୀ ଅଂଶୁପାର ଉନ୍ନତି ପାଇଁ ଅଂଶୁପା ଉନ୍ନୟନ କର୍ତ୍ତୃପକ୍ଷ (ଅଂଶୁପା ଡେଭଲପମେଣ୍ଟ୍ ଅଥାରିଟୀ-ଏଡିଏ) ଗଠନ କରାଯାଉ । ଯାହାଦ୍ୱାରା ଅଂଶୁପା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ପାରିବ । କାରଣ ଦୀର୍ଘ ସମୟଧରି ଏହି ଐତିହାସିକ ଅଂଶୁପା ହ୍ରଦ ସିଡିଏ ଅଧୀନରେ ଆସୁଥିଲେ ମଧ୍ୟ ଏହାର ଉନ୍ନତିକରଣ ପାଇଁ କୌଣସି ନୀଳନକ୍ସା ନାହିଁ । ଅଂଶୁପା ହ୍ରଦର ଚାରିପାଖରେ ରହିଛି ସରକାରୀ ଏବଂ ବେସରକାରୀ ଜମି । ଯାହା ଉପରେ ଜମି ଦଲାଲଙ୍କ ନଜର ରହିଛି । ଏମିତି କି କିଛି ଜମି ମଧ୍ୟ ବିକ୍ରି ସରିଛି । ଯାହା ଅଂଶୁପା ହ୍ରଦର କୂଳ ଖାଉଛି ।
ଏହି ଜମି କିଣୁଥିବା ବିଲଡ୍ରଙ୍କ ଲକ୍ଷ୍ୟ ହେଉଛି ବ୍ୟବସାୟ କରିବା । ଯାହାଦ୍ୱାରା ଅଂଶୁପା ପ୍ରଦୂଷିତ ହେବା ସ୍ୱାଭାବିକ । ଏମିତି ହେଲେ ଅଂଶୁପାକୁ ଆସୁଥିବା ବିଦେଶୀ ପକ୍ଷୀ ଆଉ ଆସିବେନି । ବରଂ ଜୈବ ବିବିଧତା ନଷ୍ଟ ହେବା ଥୟ । ଅନ୍ୟପକ୍ଷରେ ଅଂଶୁପା ହ୍ରଦ ମାଛର ସ୍ୱାଦ ନିଆରା । ଆଗରୁ ଏହି ହ୍ରଦରୁ ତିରିଶରୁ ଅଧିକ ପ୍ରଜାତିର ମାଛ ମିଳୁଥିଲା । ପରିବେଶ ପ୍ରଦୂଷିତ ହେବା ପରେ ଏବେ ତାହା ମିଳୁନାହିଁ । ଅଂଶୁପା ଚାରିପଶ୍ୱର୍ରେ ଦୋକାନ ଗଢ଼ି ଉଠିଲେ ସେଗୁଡ଼ିକର ବର୍ଜ୍ୟବସ୍ତୁ ଅଂଶୁପାରେ ପଶି ନଷ୍ଟ ନହେବ ସେ କଥା କିଏ କହିବ । ଏହାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।