କେନ୍ଦ୍ରାପଡା,୨୭।୧ : ଜଣେ ଆଦର୍ଶ ଶିକ୍ଷକ ଏକ ସମୃଦ୍ଧ ସମାଜ ଗଠନର ସଫଳ ଶିଳ୍ପୀ l ଶିକ୍ଷକ ହିଁ ଛାତ୍ରଛାତ୍ରୀଙ୍କ ଭିତରେ ସମାଜ ମନସ୍କତା ଭରି ଦିଅନ୍ତି ବୋଲି ଆଦର୍ଶ ଶିକ୍ଷକ ସ୍ଵର୍ଗତ ଦୈତାରୀ ନାୟକଙ୍କ ୯୫ ତମ ଜୟନ୍ତୀରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତିl
ବିଶିଷ୍ଟ ଶିକ୍ଷକ ଦୈତାରୀ ନାୟକଙ୍କ ଜନ୍ମମାଟି କେନ୍ଦ୍ରାପଡା ଜିଲା ବଲୁରିଆ ଗାଁରେ ମଙ୍ଗଳବାର ତାଙ୍କ ପବିତ୍ର ଜନ୍ମୋତ୍ସବ ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ସୁବାଷ ଚନ୍ଦ୍ର ଶତପଥୀ ଦୈତାରୀ ନାୟକଙ୍କୁ ଜଣେ ମାନବବାଦୀ ଦରଦୀ ମଣିଷ ବୋଲି ବିବେଚନା କରିବା ସହ ତାଙ୍କ ଜୀବନ ଦର୍ଶନ ସମଗ୍ର ଛାତ୍ର ସମାଜକୁ ଦିଗଦର୍ଶନ କରିବ ବୋଲି କହିଥିଲେ l ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ତମ୍ବକାର ତଥା ଲେଖକ ଡକ୍ଟର ବିବୁଧ ରଞ୍ଜନ ଗୁରୁ ଦୈତାରୀ ନାୟକଙ୍କ ପାଇଁ ଗ୍ରାମାଞ୍ଚଳରେ ଶିକ୍ଷାର ଅମ୍ଳାନ ଜ୍ୟୋତି ପ୍ରଜ୍ଜ୍ଵଳିତ ହୋଇ ପାରିଥିଲା ବୋଲି ମତବ୍ୟକ୍ତ କରିଥିଲେ l
ଶିକ୍ଷାବିତ୍ ରଣଜିତ୍ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସାହିତ୍ୟିକା ବନ୍ଦନା ମିଶ୍ର, ଗାଳ୍ପିକ ପ୍ରଦୀପ ନାୟକ, ବସନ୍ତ କୁମାର ମଲ୍ଲିକ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ଵାଳ ଓ ପୂର୍ବତନ ଶିକ୍ଷକ ହରେକୃଷ୍ଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୈତାରୀ ନାୟକଙ୍କ ସ୍ମୃତିଚାରଣ କରିଥିଲେ l ପାର୍ଥସାରଥୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆରାଧନା ଦାସ ସ୍ବାଗତ ଭାଷଣ ଦେଇଥିଲେ l ଶେଷରେ ସନାତନ ତରାଇ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ମାଟ୍ରିକ୍ ପରୀକ୍ଷାରେ ୫୭୫ ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମେଧାବୀ ଛାତ୍ର ମନୋଜ ରାଉତଙ୍କୁ ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୧୫୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଥିଲା l
ଆଦର୍ଶ ଶିକ୍ଷକ ଦୈତାରୀ ନାୟକଙ୍କ ସ୍ମୃତିରେ ଗଠିତ ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବର୍ଷ ତମାମ ବିଭିନ୍ନ ଜନହିତକର କାର୍ଯ୍ୟ ମାନ କରାଯାଇଥାଏ l ବିଶେଷ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଟ୍ରଷ୍ଟ ର ଭୂମିକା ବେଶ୍ ପ୍ରଶଂଶନୀୟ l