ଭୁବନେଶ୍ୱର,୧୫/୦୨: ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ୍‌ ମିଳିଛି । ମହାବିଦ୍ୟାଳୟ ପୂର୍ବ ଗ୍ରେଡ୍‌କୁ ବଜାୟ ରଖିଛି ସତ କିନ୍ତୁ  ସିଜିପିଏ କମିଛି । ୨୦୧୬ ମସିହା (ଦ୍ୱିତୀୟ ପର୍ଯ୍ୟାୟ)  ସମୟରେ ବିଜେବିକୁ ଏ ଗ୍ରେଡ୍‌ ସହ ସିଜିପିଏ ୩.୧୯ ପଏଣ୍ଟ ସ୍କେଲ୍‌ ମିଳିଥିଲା । ଚଳିତଥର ଏ ଗ୍ରେଡ୍‌ ପାଇଛି  ସତ ସିଜିପିଏ ୩.୧୧ ପଏଣ୍ଟ ସ୍କେଲ୍‌କୁ ଖସି ଆସିଛି । ଏହି  ମାନ୍ୟତା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ନାକ୍‌ ପକ୍ଷରୁ କଲେଜକୁ ଅବଗତ କରାଯାଇଛି । 

ଗତ ଜାନୁଆରୀ ୨୮ ଓ ୨୯ ଦୁଇଦିନ ଧରି ହିମାଳୟାନ୍‌  ବିଶ୍ୱବିଦ୍ୟାଳୟ କୁଳପତି ଡ. କେ ବେଣୁଗୋପାଳ ରାଓଙ୍କ  ନେତୃତ୍ୱରେ ତିନିଜଣିଆ ନାକ୍‌ ଟିମ୍‌ ମହାବିଦ୍ୟାଳୟ ଗସ୍ତରେ  ଆସି ଭିତ୍ତିଭୂମି ପରଖିଥିଲେ । ଏହାପରେ ରିପୋର୍ଟ ପ୍ରଦାନ  କରିଥିଲେ । ନାକ୍‌ର ରିପୋର୍ଟ ଅନୁଯାୟୀ କଲେଜକୁ  ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ଲାଗି ୧୦ ପଏଣ୍ଟ ଉପରେ  ଧ୍ୟାନ ଦେବାକୁ କହିଛନ୍ତି । କଲେଜରେ ଶିକ୍ଷକ ଓ ଅଣଶିକ୍ଷକ  ପଦବୀ ପୂରଣ କରିବାକୁ ନେଇ ଉପଦେଶ ଦେଇଛନ୍ତି ।  ସେହିପରି କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ପରୀକ୍ଷାଗାରରେ  ଅତ୍ୟାଧୁନିକ ଉପକରଣ ରଖିବା ଲାଗି କହିଛନ୍ତି । ସେହିପରି  କଲେଜରେ ଇଣ୍ଟର୍ନସିପ୍‌ ସହ କ୍ୟାମ୍ପସ ପ୍ଲେସ୍‌ମେଣ୍ଟକୁ ଧ୍ୟାନ  ଦେବାକୁ କହିଛନ୍ତି ।  

ଅନ୍ୟପଟେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଝୁମ୍‌କୀ ରଥ  କହିଛନ୍ତି, ଆମ କଲେଜ ପୁଣି ନାକ୍‌ ଏ ଗ୍ରେଡ୍‌ ମାନ୍ୟତା  ପାଇଛି । ଏହା ଆମ ପାଇଁ ଗର୍ବର ବିଷୟ । ଆଗକୁ ଭଲ  କରିବା ପାଇଁ ଏହି ଗ୍ରେଡ୍‌ ଅଧିକ ପ୍ରୋତ୍ସାହିତ କରିବ।