ଭୁବନେଶ୍ୱର,୧୭/୧୨:ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲ ରୁ ଯାଉଛି । ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ତେଣୁ ପୂର୍ବ ପ୍ରେସମିଟ ରେ ବିଜେଡି ପକ୍ଷରୁ କିଛି ପ୍ରଶ୍ନ କରାଯାଇ ଥିଲା କି ତାର ଉତ୍ତର ମିଳିଲା ନାହିଁ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ । ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁ ନଥିଲା ।

 

ବିଜେଡ଼ି ଭାବୁଛି ଯେ,ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସ ଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ । ଏହା ସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୁଲିସ ନେବାର ଅର୍ଥ ଦିଲ୍ଲୀ ପୁଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ । ଆଉ ଏହି ପୁଲିସ ଦିଲ୍ଲୀରେ ରହିବା ଦ୍ୱାରା ଓଡ଼ିଶା କ୍ଷତି ସହିବ । ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହାର ସ୍ପଷ୍ଟୀକରଣ ରଖନ୍ତୁ । ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ । ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖୁ ନାହାନ୍ତି କିଛି ସାମ୍ବାଦିକ ବିଜେପି ମୁଖପାତ୍ର ସାଜି ସୋସିଆଲ ମିଡ଼ିଆ ରେ ହିସାବ ରଖୁଛନ୍ତି । ଏହା କେଉଁ ଭଳି ସାମ୍ବାଦିକତା । ମେ ଫେୟାର ରୁ ୧୦୦ ରୁ ଅଧିକ ମିଲ ପ୍ରତ୍ୟେକ ଦିନ ଆସୁଛି । ଗୋଟିଏ ଲେଖାଏଁ ମିଲର ମୂଲ୍ୟ ୪୦୦୦ ଟଙ୍କା । ତାହା ଲୋକସେବା ଭବନ ର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି । ଖାଲି ସେତିକି ନୁହେଁ ଜୟସ୍ୱାଲ ବୋଲି ବ୍ୟକ୍ତି ଜଣକ କିଏ । ଯିଏ କି ବର୍ତ୍ତମାନ ଓଡ଼ିଶାର ସୁପର ଚିଫ ମିନିଷ୍ଟର ସାଜିଛନ୍ତି । ତାହାର ଜବାବ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀ ରଖନ୍ତୁ । କେହି ସାମ୍ବାଦିକ ବିଜେପି ମୁଖପାତ୍ର ହୋଇ ନ ରଖନ୍ତୁ ।

ସେପଟେ  ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପ୍ରସଙ୍ଗରେ ବିଜେଡ଼ିର ଅଭିଯୋଗ ଉପରେ  କଡ଼ା ଜବାବ ରଖିଲା ବିଜେପି । ଓଡ଼ିଶାବାସୀଙ୍କ ଦ୍ଵାରା ପ୍ରତ୍ୟାଖିତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଞ୍ଚିଛି ବିଜେଡ଼ି। ଶେଷ ଅବସ୍ଥାରେ ଯେମିତି କଂସଙ୍କୁ ଚାରି ଆଡେ଼ କୃଷ୍ଣ କୃଷ୍ଣ ଦେଖାଯାଉଥିଲେ, ସେମିତି ବିଜେଡ଼ିକୁ ଏବେ ଚାରିଆଡ଼େ ମୋହନ ମୋହନ ଦେଖାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ବିଜେଡ଼ିକୁ ପ୍ରମୁଖ ବିରୋଧୀ ଦଳ ଆସନରେ ବସାଇଛନ୍ତି । ଗତ ୧୭ ମାସ ଭିତରେ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା ଓଡ଼ିଶା ସ୍ବାର୍ଥ ସମ୍ବନ୍ଧିତ କେତେ ପ୍ରସଙ୍ଗ ଉଠାଇଛନ୍ତି ବୋଲି  ବିଜେପି ପ୍ରଶ୍ନ କରିଛି। ଓଡ଼ିଶା ସରକାର ଲୋକଙ୍କ ବିକାଶ ପାଇଁ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ଓଡ଼ିଶା ସରକାର କାମ କରୁଛନ୍ତି । ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାର ବଙ୍ଗଳା ପାଇଛନ୍ତି ।କେବଳ ଓଡ଼ିଶା ନୁହେଁ, ଆହୁରି ୮ ରାଜ୍ୟ ମଧ୍ୟ ବଙ୍ଗଳା ପାଇଛନ୍ତି। ବିଜେଡ଼ି ବୋଧେ ଭୁଲି ଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ଘର ସହ ସାମ୍ନାରେ ଥିବା ରାସ୍ତାକୁ ମିଶାଇ ବ୍ୟାରିକେଡ କରି ରାସ୍ତା ବନ୍ଦ କରିଥିଲେ । ଏୟାରପୋର୍ଟ ପାଚେରୀ ଭାଙ୍ଗି ଥିଲେ । ତାଙ୍କ ସରକାର ବେଳେ ଗୁମାସ୍ତାଙ୍କ ପାଇଁ କେତେ ପୋଲିସ ସୁରକ୍ଷାରେ ରହୁଥିଲେ ତାହା ବିଜେଡ଼ି ମନେ ପକାଇବା ଦରକାର କହିଛନ୍ତି ବିରଞ୍ଚି ନାରାୟଣ । ବିଜେଡି ଅସ୍ତଗାମୀ ରାଜନୈତିକ ଦଳ । ତେଣୁ ମାନସିକ ଭାରସାମ୍ୟ ହରାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡ଼ି  । ଏହା ବିଜେଡ଼ିର ହତସାର ପରିଚୟ ।ଓଡିଶାରୁ ଲୋପ ପାଇବାକୁ ଯାଉଛି ବିଜେଡ଼ି । ସେଥିପାଇଁ ବାଚଳାମି କରୁଛି ବିଜେଡ଼ି, କେହି ଆଉ ବିଜେଡ଼ିକୁ ଯାଉନାହାଁନ୍ତି  ।  ଗତ କିଛି ମାସ ହେବ ପଞ୍ଚାୟତ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ବିଜେଡ଼ି ଛାଡ଼ିଲେଣି । ଗଣମାଧ୍ୟମରେ ରହିବା ପାଇଁ  ବିଜେଡ଼ି ଏଭଳି କହୁଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ।