ଭୁବନେଶ୍ବର,୧୫।୭ :  ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ଆସନ୍ତା ୧୬ ତାରିଖ  ବୁଧବାର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେଡି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦେଇଛି ବିଜେଡି। ବୁଧବାର ସକାଳ  ୬ଟାରୁ  ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ଜରୁରୀ ସେବା ଚାଲୁ ରହିବ। ମାତ୍ର ବନ୍ଦ ସମୟରେ ଦୋକାନ ବଜାର, ଗାଡି ମୋଟର, ବସ, ଟ୍ରେନ, ସ୍କୁଲ ଓ କଲେଜ ବନ୍ଦ ରହିବ।

ଅନ୍ୟପକ୍ଷରେ ଆସନ୍ତା ୧୭ ତାରିଖରେ କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡ଼ାକରା ଦେଇଛନ୍ତି। ବାଲେଶ୍ୱର ପୀଡ଼ିତାଙ୍କ ନ୍ୟାୟ ପ୍ରଦାନ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। 

ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରି  ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ ମିନିଟରେ  ମୃତ୍ୟୁ ହୋଇଥିଲା । ପୀଡ଼ିତାଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଜନ୍ମମାଟି ଭୋଗରାଇ ପଳାସିଆରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।