ଭୁବନେଶ୍ୱର ୦୨/୧୦: ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରି ସାରା ରାଜ୍ୟବାସୀଙ୍କ ପାଖକୁ ଯିବ ବିଜେଡି । ବିଜେପି ସରକାରଙ୍କ ବିଫଳତା ଲୋକଙ୍କୁ ଜଣାଇବାକୁ ଦଳ ଲକ୍ଷ୍ୟ ରଖିଛି । ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ଦଳ ପ୍ରସ୍ତୁତି ଜୋରଦାର କରିଛି । ମାତ୍ର ଦଳକୁ ଘାରିଲାଣି କନ୍ଦଳ ଚିନ୍ତା । ଭୁବନେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଖୋର୍ଦ୍ଧା ଭଳି ବିଭିନ୍ନ ଅଞ୍ଚଳରେ ଦଳ ଭିତରେ ଅସନ୍ତୋଷ, ବଢ଼ିବାରେ ଲାଗିଛି । କିଛି ଜାଗାରେ ସ୍ଥିତି ମୁହାଁମୁହିଁ ଅବସ୍ଥାକୁ ଗଲାଣି । ଏସବୁ ବିବାଦ ଯଦି ପଦାକୁ ଫୁଟି ଆସିବ, ପଦଯାତ୍ରାକୁ ବିଗାଡ଼ିବ । ଏହାକୁ ନେଇ ଦଳର ସମନ୍ୱୟ କମିଟି ଓ ପଦଯାତ୍ରା କମିଟି ଏବେ ଚିନ୍ତାରେ ।
ବିଜେଡି କ୍ଷମତାରୁ ହଟିବା ପରେ ବିଭିନ୍ନ ଅଞ୍ଚଳରୁ ଦଳ ଭିତରେ ଥିବା ଅସନ୍ତୋଷ ଫୁଟି ପଦାକୁ ବାହାରିଲାଣି । ବିଜେଡି ଟିକଟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରାୟତଃ ଥମିବାର ନାଁ ଧରୁନି । ଖୋଲାଖୋଲି ବୟାନବାଜି, ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ଅନେକ ନେତା ଦଳୀୟ ଶୃଙ୍ଖଳା ଲକ୍ଷ୍ମଣରେଖା ଡେଇଁବାକୁ ଆଉ ଡରୁନାହାନ୍ତି । ଟିକଟ ପାଇଥିବା ଓ ଟିକଟରୁ ବଞ୍ଚିତ ନେତାଙ୍କ ଶିବିର ଭିତରେ ଛକାପଞ୍ଝା ଲାଗି ରହିଛି । ନିର୍ବାଚନରେ ଦଳର ପରାଜୟ ପରେ ଅନେକ ସ୍ଥାନରେ ନେତା, କର୍ମୀ ଖୋଲାଖୋଲି ବୟାନବାଜି ଆରମ୍ଭ କରିଛନ୍ତି । ଏମିତିକି କେତେକ ସ୍ଥାନରେ ଦଳର ତୃଣମୂଳ ନେତାମାନେ ଦଳକୁ ଚାଲେଞ୍ଜ କରିବା ଆରମ୍ଭ କଲେଣି । କଳି ଏମିତି ବଢ଼ିଲାଣି ଯେ ଶଙ୍ଖ ଭବନରେ ସମାଧାନ ହୋଇପାରୁନି । ଭୁବନେଶ୍ୱର ବିଜେଡି କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଗୋଟିଏ ପକ୍ଷ ଖୋଲା ବୟାନବାଜି କରୁଥିବାବେଳେ ଅନ୍ୟପକ୍ଷ ମେଳି ବାନ୍ଧି ଭୁବନେଶ୍ୱରରୁ ପୁରୀ ବୁଲୁଛନ୍ତି । ମାମଲା ଥାନାକୁ ବି ଗଲାଣି ।

ଭଦ୍ରକ ଜିଲ୍ଲା ବିଜେଡିରେ ଦେଖା ଦେଇଥିବା ବିବାଦ ଶଙ୍ଖ ଭବନ ବୈଠକକୁ କମ୍ପାଇଥିଲା । ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ସମର୍ଥକ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ସ୍ଥିତି ଏମିତି ହେଲା ଯେ ଗୋଟିଏ ପକ୍ଷ ବୈଠକରୁ ଉଠି ଆସିଥିବାବେଳେ ଦଳୀୟ ନେତା ସେମାନଙ୍କୁ ବୁଝାଇଥିଲେ । ନବରଙ୍ଗପୁରରେ ପ୍ରଦୀପ ମାଝୀ ଓ ରମେଶ ମାଝୀଙ୍କ ଭିତରେ ଚାଲିଥିବା ବିବାଦ ଖବର ହାଇକମାଣ୍ଡଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ପାରାଦୀପରୁ ନେଇ କଟକ ଯାଏଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ନେତାଙ୍କ ଭିତରେ ତୁ ତୁ ମେଁ ମେଁ ସ୍ଥିତି ଲାଗି ରହିଛି । ଆଜି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲାର ସଭ୍ୟ ସଂଗ୍ରହ ଅଭିଯାନ ପ୍ରସ୍ତୁତି ନେଇ ବୈଠକବେଳେ ନେତାଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ଖବର ମିଳିଛି । ଦଳ ପାଇଁ ବଡ଼ ଆହ୍ୱାନ ହେଲା, ସବୁ ନେତାଙ୍କୁ ନେଇ ପଦଯାତ୍ରା କରିବା । ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ନେତୃତ୍ୱରେ ପଦଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଟିକଟରୁ ବଞ୍ଚିତ ନେତାଙ୍କ ସମର୍ଥକ ଏହାକୁ କେତେ ଦୂର ସମର୍ଥନ କରିବେ, ତାହା ବଡ଼ ପ୍ରଶ୍ନ । କିଛି ସ୍ଥାନରେ ପୃଥକ ପୃଥକ ପଦଯାତ୍ରା ବି ହୋଇପାରେ ଭିନ୍ନ ଭିନ୍ନ ନେତାଙ୍କ ନେତୃତ୍ୱରେ । ଏମିତି ହେଲେ ଦଳର ଅଡ଼ୁଆ ବଢ଼ିବ ।
ବିଜେଡି ଜନସମ୍ପର୍କ ପଦଯାତ୍ରାକୁ ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀର ବଡ଼ଗଡ଼ ବ୍ରିଟ କଲୋନିରୁ ଶୁଭାରମ୍ଭ କରିବେ । ଏଥର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ରୁ ୬ ତାରିଖ ଯାଏଁ ଚାଲିବ । ଦଶହରା ପୂଜା ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ୨୧ରୁ ୩୦ ତାରିଖ ଯାଏଁ ହେବ । ୯ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି ।