ଭୁବନେଶ୍ଵର, ୧୭/୦୩ :  ବିଧାନସଭାରେ ଏସସିବି ନିଆଁ ତାତି। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା। ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ନାରାବାଜିରେ ଉଠିଲା ପଡ଼ିଲା ବିଧାନସଭା। ବାଧ୍ୟ ହୋଇ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଏନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି। ଅଗ୍ନିଶମ DG, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ସଚିବଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। 

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ ସରକାର ରହିଛନ୍ତି। ଓଡ଼ିଶାର ସରକାରୀ କିମ୍ବା ବେସରକାରୀ ହସ୍ପିଟାଲର ଅବସ୍ଥା ତଳ ସ୍ତରକୁ ଖସି ଯାଇଛି । ମୁଁ ଯୁବ ପିଢ଼ିଙ୍କୁ ଆହ୍ବାନ କରୁଛି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରନ୍ତୁ। ନୈତିକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ତାପରେ ଯାଇ ତଦନ୍ତ କରନ୍ତୁ। SCB ହସ୍ପିଟାଲ ଜଳି ପୋଡ଼ି ପାଉଁଶ ହୋଇଗଲା । ଲୋକେ ଜୀବନ୍ତ ଦଗ୍ଧ ହୋଇଗଲେ... ସରକାର କିନ୍ତୁ ସ୍ବାସ୍ଥ୍ୟ ବିଭାଗରୁ ଅର୍ଥ ଲୁଟିବା ଚିନ୍ତାରେ।

ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ସରକାରୀ ହସ୍ପିଟାଲରେ ଏତେ ବଡ଼ ଘଟଣା ଘଟିଲା ପରେ ମଧ୍ୟ ଏ ସରକାର ଉତ୍ତର ଦାୟିତ୍ୱ ନେଉନାହାଁନ୍ତି। ଲୋକଙ୍କ ସରକାର ସିଏ, ଯିଏ ଲୋକଙ୍କ ଦାୟିତ୍ୱ ନିଏ। ହେଲେ ଏତେ ବଡ଼ ଘଟଣା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଉ ନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେପର୍ଯ୍ୟନ୍ତ ସରକାର ଉତ୍ତର ଦାୟିତ୍ୱ ନେବେ ନାହିଁ। ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଏହି ଖବରଟିକୁ ପଢନ୍ତୁ- ଏସ୍‌ସିବି ଟ୍ରାଜେଡ଼ି: ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ