ଭୁବନେଶ୍ବର,୧୦/୬ : ଶଙ୍ଖ ଭବନଠାରେ ବୁଧବାର ୨୦୨୪ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକରେ ଯୋଗଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ୬ ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି ।
ଏହି ଅବସରରେ ବିଜୁ ଜନତା ଦଳ ସଭାପତି କହିଥିଲେ ଯେ, ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭୁଷୁଡି ଯାଇଛି । ଅର୍ଥନୈତିକ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡି ଯାଇଥିଲାବେଳେ ଏବେ ରାଜ୍ୟର ଋଣ ଭାର ବଢି ଚାଲିଛି । ଦୁଃଖର କଥା ବୁଢାବୁଢୀ, ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପେନ୍ସନ୍ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ । ଓଡିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ନ ଥିଲା ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜେଡିର ୨୪ ବର୍ଷ ଶାସନ ସମୟରେ ଓଡିଶା ବିଭିନ୍ନ କ୍ଷେତ୍ରରେ ଭଲ କାମ କରି ସାରା ଦେଶରେ ନିଜର ଏକ ଉଜ୍ଜ୍ୱଳ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପ୍ରଶମନ ଓ ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା, ଜଳସେଚନ, ଭିତ୍ତିଭୂମି ଆଦିର ବିକାଶ, ଚାଷୀ, ମହିଳା ଓ ଗରୀବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଭଲ କାମ କରିଥିଲା ।
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସିଲାଣି । ସେଥିପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହା ସହିତ social media ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଚାଲିଥିବା SIR ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ SIR ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅନ୍ୟ ରାଜ୍ୟରେ SIR ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡିବ ବୋଲି କହିଥିଲେ । ସାମାନ୍ୟ Typographical error ପାଇଁ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ୍ ନ ଯିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସେ ପରାମର୍ଶ ଦେଇଥିଲେ । ବିଜେଡି ଡାକରାରେ ପ୍ରବଳ ଖରାରେ ହଜାର ହଜାର ମହିଳା ଘରୁ ବାହାରି ଯେପରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିଲେ ସେଥିପାଇଁ ଶ୍ରୀ ପଟ୍ଟନାୟକ ମା’ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ୧୨୦ଟି ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ସଫଳତାର ସହ ଶେଷ ହୋଇଛି ।
ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ ଏବଂ ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏହି ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ବିଜେଡି ସରକାର ସମୟର ସଫଳତା ଓ SIR ଉପରେ ଏକ ଉପସ୍ଥାପନା ମଧ୍ୟ କରାଯାଇଥିଲା ।