"ପ୍ରଶାସନ କ୍ଷେତ୍ରରେ ଆଉ ଏକ ରେକର୍ଡ ସୃଷ୍ଟି କରିବା ପ୍ରକ୍ରିୟାରେ,

ସେ ମହାତ୍ମା ଗାନ୍ଧୀଙ୍କ ପରେ ସବୁଠାରୁ ପ୍ରଭାବଶାଳୀ ନେତା ରୂପେ ଉଭା ହୋଇଛନ୍ତି ।"

ପରିବର୍ତ୍ତନର ସମୟକୁ ମାପିବା ଲାଗି ମାଇଲଖୁଣ୍ଟ ଏବଂ ସମୟର ଅବଧି ଠିକ୍ ମାପଦଣ୍ଡ ନୁହେଁ । ଏସବୁ ତ' କେବଳ ତଥ୍ୟ । ଦେଶର ସବୁଠାରୁ ଅଧିକ ସମୟ ପାଇଁ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାରେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳକୁ କେବଳ ରେକର୍ଡ କିମ୍ବା ମାଇଲଖୁଣ୍ଟ ଦ୍ୱାରା ପରିଭାଷିତ କରାଯାଇପାରିବ ନାହିଁ । ଏହା ତା'ଠାରୁ ଊଦ୍ଧ୍ୱର୍ରେ । ଏହି ସମୟର ଭାବନାକୁ କେବଳ ସଂଖ୍ୟାରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଏହି ଭାବନାରେ ଶ୍ରୀ ମୋଦି ହେଉଛନ୍ତି ଭାରତୀୟ ପ୍ରତିଭାର ପ୍ରତୀକ ।

ତାଙ୍କ ସାର୍ବଜନୀନ ଜୀବନର ମୋଡ଼ ସାଧାରଣରୁ ଅସାଧାରଣକୁ ପରିବର୍ତ୍ତନ ହୋଇଛି । ତାଙ୍କର ଯାତ୍ରା ଜଣେ ସାଧାରଣ ଆରଏସ୍ଏସ୍ କର୍ମୀଭାବରେ ଆରମ୍ଭ ହୋଇଥିଲା ଯିଏ ସଂଘ ପରିବାରରୁ ପ୍ରେରଣା ପାଇଥିଲେ । ୧୯୫୦ ଏବଂ ୬୦ ଦଶକରେ ସେ ଏପରି ଏକ ବିଚାରଧାରା ଗ୍ରହଣ କରିଥିଲେ ଯାହା ତାଙ୍କ ଗୃହ ରାଜ୍ୟ ଗୁଜରାଟରେ ସେତେବେଳେ ସବୁଠାରୁ କମ୍ ପ୍ରଚଳିତ ଥିଲା ।

ତତ୍କାଳୀନ ସମୟର ପାରମ୍ପରିକ ରାଜନେତାଙ୍କ ପରି ତାଙ୍କ ପାଖରେ ଗର୍ବ କରିବା ପାଇଁ କୌଣସି ରାଜନୈତିକ କିମ୍ବା ଆଭିଜାତ୍ୟ ବଂଶ ନଥିଲା । ସେତେବେଳେ ହାରୋ, ଅକ୍ସଫୋର୍ଡ, କଲମ୍ବିଆ କିମ୍ବା ହାର୍ଭାର୍ଡର ବିଦେଶୀ ଶିକ୍ଷିତ ଛାତ୍ରଙ୍କ ସ୍ୱତନ୍ତ୍ର କ୍ଲବ୍ ସାରା ବିଶ୍ୱରେ ଚର୍ଚ୍ଚାରେ ରହୁଥିଲା । ସାର୍ ୱିନ୍ସଟନ୍ ଚର୍ଚ୍ଚିଲ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ "ହାରୋ ବଏଜ୍' ନାମରେ ପରିଚିତ ହେଉଥିଲେ । ସେମାନେ ସମାନ ଭାଷା କହୁଥିଲେ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କ ମଧ୍ୟରେ ଉଚ୍ଚବର୍ଗର ବନ୍ଧୁତା ଥିଲା । ମୋଦି ଏପରି ସମସ୍ତ ପରିଚୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ।

ଦେଶର ସାଧାରଣ ଲୋକଙ୍କ ସହିତ ଆଲୋଚନା କରି ସେ ନିଜର ତୃଣମୂଳ ଅଭିଜ୍ଞତା ମାଧ୍ୟମରେ ଯାହା ହାସଲ କରିଥିଲେ ତାହା ତାଙ୍କୁ ଭାରତର ସମାଜ ବିଷୟରେ ଏକ ଅସାଧାରଣ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା । ଲୋକଙ୍କ ସମସ୍ୟା ଏବଂ ଆଶା ଆକାଂକ୍ଷାକୁ ସେ ବୁଝିଥିଲେ । ସେ ରାଜନୀତିକୁ ନିଜର ବୃତ୍ତି ଭାବରେ ବାଛିଥିଲେ ଏବଂ ଏହାକୁ ତାଙ୍କର ଆଦର୍ଶଗତ ସାଧନ ସହିତ ସମନ୍ୱିତ କରିଥିଲେ । ତାଙ୍କ ମିଶନରେ ତାଙ୍କୁ ସାହାଯ୍ୟ କରିଥିବା ଦୁଇଟି ଶକ୍ତିଶାଳୀ ବୈଶିଷ୍ଟ୍ୟ ହେଉଛି- ବ୍ୟକ୍ତିଗତ ଜୀବନରେ ତାଙ୍କର ତପସ୍ୟା ଏବଂ ସାର୍ବଜନୀନ ଆଚରଣରେ ବାସ୍ତବବାଦିତା ।

ସେ ଅତ୍ୟନ୍ତ ସହଜରେ ବିରୋଧାଭାସକୁ ମୁକାବିଲା କରନ୍ତି । ଉଦାହରଣ ସ୍ୱରୂପ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳରେ ଶ୍ରୀ ମୋଦି ସବସିଡି ଉପରେ ନିର୍ଭରଶୀଳ ନଥିବା ଏକ ଅଭିବୃଦ୍ଧି ମଡେଲକୁ ସକ୍ରିୟ ଭାବରେ ଆଗକୁ ବଢାଇଥିଲେ । ପ୍ରଧାନମନ୍ତ୍ରୀ ଭାବରେ, ସେ ମହାମାରୀ ଆରମ୍ଭ ହେବା ପରେ ଜନସାଧାରଣଙ୍କ କ୍ଷୁଧା ଦୂର କରିବା ପାଇଁ ବିଶ୍ୱର ସର୍ବବୃହତ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କର ସାମାଜିକ ଆବାସ ଯୋଜନା ଏବଂ ଆୟୁଷ୍ମାନ ଭାରତ ଭଳି ବୀମା ଯୋଜନା ସମାଜର ସବୁଠାରୁ ଦୁର୍ବଳ ବର୍ଗକୁ ସାମିଲ କରିଥାଏ । ଏହା ଲୋକଙ୍କ ସବୁଠାରୁ ବଡ଼ ଚିନ୍ତା- ଖାଦ୍ୟ, ବସ୍ତ୍ର, ବାସଗୃହ ଏବଂ ଚିକିତ୍ସାର ସମାଧାନ କରେ । ଏହି ଚିନ୍ତାଧାରାଗୁଡ଼ିକୁ ସମାଜବାଦୀମାନେ ୬୦ ଦଶକର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏକ ରାଜନୈତିକ ସ୍ଳୋଗାନ ଭାବରେ ଆଗକୁ ବଢ଼ାଇଥିଲେ । ଆଜିର ଭାରତରେ, ଏପରି ସ୍ଳୋଗାନଗୁଡ଼ିକ ପ୍ରାୟତଃ ଅପ୍ରାସଙ୍ଗିକ ହୋଇଯାଇଛି ।

ପ୍ରକୃତରେ, ଶ୍ରୀ ମୋଦି ଦେଶର ରାଜନୀତିକୁ ସବୁଠାରୁ ଗଭୀର ଭାବରେ ପୁନଃକଳ୍ପନା କରିଛନ୍ତି । ଅନେକ ଦଶନ୍ଧି ଧରି ଦେଶକୁ ବିପଥଗାମୀ କରିଥିବା ପ୍ରସଙ୍ଗଗୁଡ଼ିକ ଏବେ ଇତିହାସ ପାଠ୍ୟକ୍ରମର ଅଂଶବିଶେଷ ପାଲଟିଛି । ସାମୂହିକ କଳ୍ପନାରେ ଅଯୋଧ୍ୟା ଏବେ ମନ୍ଦିର-ମସଜିଦ ବିବାଦର ସ୍ଥାନ ନୁହେଁ, ବରଂ ଏକ ଭବ୍ୟ ମନ୍ଦିର ରୂପେ ଦଣ୍ଡାୟମାନ ରହିଛି । ସାରା ଦେଶରେ ହିନ୍ଦୁ ମନ୍ଦିରଗୁଡ଼ିକର ପ୍ରାଚୀନ ଗୌରବର ପୁନରୁଦ୍ଧାର ହୋଇଛି, ଯାହା ସାଂସ୍କୃତିକ ଏକତାର ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରେ । ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ୟ କେହି ନୁହଁନ୍ତି, ନିଜେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରି ସାରା ଭାରତ ବୁଲିବା ସମୟରେ ଏହି ପୁନରୁଦ୍ଧାର ସ୍ୱପ୍ନ ଦେଖିଥିଲେ । ଗାନ୍ଧୀଙ୍କ ଅନୁଗାମୀ କଂଗ୍ରେସ ଏଥିରେ ବିଫଳ ହୋଇଥିଲା । ଶ୍ରୀ ମୋଦି ଏହି ସ୍ୱପ୍ନକୁ ସାକାର କଲେ ।

ଦେଶର ସ୍ୱାଧୀନତା ପରଠାରୁ ଜାମ୍ମୁ-କାଶ୍ମୀରର ସ୍ଥିତି ଏକ ଗମ୍ଭୀର କ୍ଷତ ଥିଲା । ରାଜନୈତିକ ଦ୍ୱନ୍ଦ୍ୱ ମୁସଲମାନ ବହୁଳ ଉପତ୍ୟକାରେ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦ ସୃଷ୍ଟି କରିଥିଲା । ୨୦୧୪ ପୂର୍ବରୁ ଜାମ୍ମୁ କାଶ୍ମୀର ବିଧାନସଭା ଦ୍ୱାରା ଅନେକ ସଂକଳ୍ପ ପାରିତ ହୋଇଥିଲା, ଯେଉଁଥିରେ ଭାରତୀୟ ସମ୍ବିଧାନର ପରିସର ବାହାରେ ରାଜ୍ୟକୁ ଏହାର ୧୯୫୩ ପୂର୍ବର ସ୍ଥିତିକୁ ଫେରାଇ ଆଣିବାକୁ ଦାବି କରାଯାଇଥିଲା । ଗୋଟିଏ ଝଟକାରେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଗଲା। ଧାରା ୩୭୦କୁ ଅତୀତର ଏକ ଅପ୍ରାସଙ୍ଗିକ ଅବଶେଷରେ ପରିଣତ କରିଦିଆଗଲା । ବିଚ୍ଛିନ୍ନତାବାଦର ଭୂତ ଝେଲମ ନଦୀର ପଙ୍କ ପରି ଗଭୀରକୁ ଚାଲିଗଲା । ଦେଶର ଅବଶିଷ୍ଟ ଭାଗ ସହିତ ସମ୍ପୂର୍ଣ୍ଣ ଏବଂ ବିନା ସର୍ତ୍ତରେ ଏକୀକରଣ ପାଇଁ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଗଭୀର ଉତ୍କଣ୍ଠା ରହିଥିଲା । ସେହିପରି ସୁଦୂର ଅତୀତରେ ବିଦ୍ରୋହ ଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ କ୍ଷେତ୍ରରେ ମଧ୍ୟ ସମାନ ଭାବନା ରହିଛି ।

ଶ୍ରୀ ମୋଦି ଅଜାଣତରେ ଏକ ଗାଣିତିକ ଶିକ୍ଷା ଗ୍ରହଣ କରିଥିବା ପରି ମନେହୁଏ । ଏହି ଶିକ୍ଷା ହେଉଛି, ସମସ୍ୟା ସୃଷ୍ଟି କରିଥିବା ମାନସିକତାକୁ ନେଇ ଆପଣ କୌଣସି ସମସ୍ୟାର ସମାଧାନ କରିପାରିବେ ନାହିଁ । ସେ ଦେଶର ରାଜନୈତିକ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି ଏବଂ ଏହାକୁ ଏକ ଅପରିବର୍ତ୍ତନୀୟ ପଥରେ ରଖିଛନ୍ତି । ସାର୍ବଜନୀନ ଜୀବନର ଆଚରଣରେ ଏପରି ଏକ ଆମୂଳଚୁଳ ପରିବର୍ତ୍ତନ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଫଳସ୍ୱରୂପ ଶ୍ରୀ ମୋଦିଙ୍କୁ ଅନେକ ସମୟରେ ସ୍ୱାଗତ ଅପେକ୍ଷା ଅଧିକ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । କିନ୍ତୁ ସେ ନିଜ ପ୍ରତିଶ୍ରୁତିବଦ୍ଧତାରେ ଅଟଳ ରହିଛନ୍ତି ।

ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ୨୪ବର୍ଷର ପ୍ରଶାସନିକ କାର୍ଯ୍ୟକାଳରେ ଶ୍ରୀ ମୋଦି ଅନେକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ଯାହା ସମାନ ପରିମାଣରେ ପ୍ରାକୃତିକ ଏବଂ ରାଜନୈତିକ । ଗୁଜରାଟରେ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ତାଙ୍କର ୧୩ବର୍ଷର କାର୍ଯ୍ୟକାଳ ବା ପ୍ରାୟ ଏକ ଦଶନ୍ଧି (୨୦୦୪-୨୦୧୪)ରେ ସେ ୟୁପିଏ ଭଳି ଏକ ଶତ୍ରୁତାପୂର୍ଣ୍ଣ କେନ୍ଦ୍ର ସରକାରର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ର ଏହି ସମୟରେ ରାଜ୍ୟକୁ ପ୍ରାୟ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରିଥିଲା । ମନଗଢ଼ା ଅପରାଧିକ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୃଢ଼ ପ୍ରୟାସ କରାଯାଇଥିଲା ।

ସେହିପରି, ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଚଳିତ କାର୍ଯ୍ୟକାଳ ମାନବ ଇତିହାସର ସବୁଠାରୁ ବିପଜ୍ଜନକ ସଙ୍କଟ ମଧ୍ୟରୁ ଅନ୍ୟତମ କରୋନା "ମହାମାରୀ'ର ସମ୍ମୁଖୀନ ହୋଇଥିଲା। ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାଦ୍ୱାରା ଭାରତ ଉପରେ ଏକ ବିରାଟ ଭୂ-ରାଜନୈତିକ ଏବଂ ଆର୍ଥିକ ପ୍ରଭାବ ପଡ଼ିଛି । ଏଥିପାଇଁ କୁଶଳୀ କୂଟନୈତିକ ମାର୍ଗ ଚୟନ କରିବାର ଆବଶ୍ୟକତା ଦେଖାଦେଇଛି । ଭାରତରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ସର୍ଜିକାଲ୍ ଷ୍ଟ୍ରାଇକ୍, ବାଲାକୋଟରେ ଏୟାରଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୂର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯିବା ଫଳରେ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ହେବାକୁ ଦିଆଯାଇନାହିଁ ।

ତାଙ୍କର ରାଜନୈତିକ ବିରୋଧୀମାନେ ତାଙ୍କଦ୍ୱାରା ହୋଇଥିବା ଅନେକ ବିଫଳତାକୁ ଇଙ୍ଗିତ କରିପାରନ୍ତି । ତେବେ ଭାରତ ଭଳି ଏକ ସମୃଦ୍ଧ ଗଣତନ୍ତ୍ରରେ ମୋଦିଙ୍କ ପରି ବ୍ୟକ୍ତିତ୍ୱଙ୍କୁ ଅନେକ ଦିଗରୁ ବିଶ୍ଳେଷଣ କରାଯିବା ନିଶ୍ଚିତ । ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ସବୁଠାରୁ ଦୀର୍ଘ କାର୍ଯ୍ୟକାଳ ଘଟଣାପୂର୍ଣ୍ଣ ଏବଂ ଲୋକଙ୍କ ଦ୍ୱାରା ତର୍ଜମା ପାଇଁ ଉନ୍ମୁକ୍ତ ରହିଛି ।

ଇତିହାସ ଭାବପ୍ରବଣତା ଏବଂ ପକ୍ଷପାତ ଠାରୁ ମୁକ୍ତ ବୋଲି ବିବେଚନା କରାଯାଏ । ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ସମୟରେ ସମାଲୋଚନା ଏବଂ ପ୍ରଶଂସା, ଉଭୟର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ତାଙ୍କ ବିଷୟରେ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ସବୁଠୁ ପ୍ରଭାବଶାଳୀ କଥା କହିଥିଲେ । ସେ ଲେଖିଥିଲେ "ହାଡ଼ମାଂସର ଏପରି ଜଣେ ମଣିଷ ଏ ପୃଥିବୀରେ ଜନ୍ମ ନେଇଥିଲେ ବୋଲି ଆଗାମୀ ପିଢ଼ି ହୁଏତ ବିଶ୍ୱାସ କରିନପାରନ୍ତି' । ଇତିହାସ ବିଷୟରେ ଠିକ୍ ଭବିଷ୍ୟବାଣୀ କରିବା ଲାଗି ଆଇନଷ୍ଟାଇନଙ୍କ ଭଳି ଦୂରଦୃଷ୍ଟିର ଆବଶ୍ୟକତା ରହିଛି । କିନ୍ତୁ ଏହା ନିଃସନ୍ଦେହ ଯେ, ଆଗାମୀ ଦିନରେ ଶ୍ରୀ ମୋଦିଙ୍କର ଐତିହାସିକ ମୂଲ୍ୟାଙ୍କନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହେବ ।

(ଲେଖକ ‘ଦ ଆର୍କିଟେକ୍ଟ ଅଫ୍ ଦ ନ୍ୟୁ ବିଜେପି: ହାଓ ନରେନ୍ଦ୍ର ମୋଦି ଟ୍ରାନ୍ସଫର୍ମଡ ଦ ପାର୍ଟି’ ପୁସ୍ତକର ରଚୟିତା)