ନୂଆଦିଲ୍ଲୀ, ୧୦।୬: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ସେନା ପକ୍ଷରୁ ଆଫଗାନିସ୍ତାନ ସୀମା ଭିତରକୁ ପଶି ପୁଣିଥରେ ଏକ ବଡ଼ ଧରଣର ଘାତକ ଏୟାର ଷ୍ଟ୍ରାଇକ୍ କରାଯାଇଛି । ବୁଧବାର ଆଫଗାନିସ୍ତାନ ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ କମ୍ରେ କମ୍ ୧୩ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ, ଜଣେ ମହିଳା ଏବଂ ଜଣେ ବୃଦ୍ଧ ଅଛନ୍ତି । ଏହି ଆକ୍ରମଣ ପରେ କ୍ଷୁବ୍ଧ ତାଲିବାନ ଶାସକ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ ଶପଥ କରିଛି ।

ରାତି ଅନ୍ଧାରରେ ଆକାଶମାର୍ଗରୁ ବୋମାବର୍ଷଣ:

ଆଫଗାନିସ୍ତାନ ସରକାରଙ୍କ ସୂଚନା ଅନୁଯାୟୀ, ପାକିସ୍ତାନୀ ବାୟୁସେନାର ଯୁଦ୍ଧବିମାନଗୁଡ଼ିକ ଆନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରି ଆଫଗାନିସ୍ତାନର ଆକାଶ ସୀମାରେ ପ୍ରବେଶ କରିଥିଲେ । ରାତି ସମୟରେ ସେମାନେ ଆଫଗାନିସ୍ତାନର ୩ଟି ପ୍ରମୁଖ ପ୍ରାନ୍ତ କୁନାର, ଖୋସ୍ତ, ପକ୍ତିକାକୁ ଟାର୍ଗେଟ୍ କରିଥିଲେ । ଏହି ଅଞ୍ଚଳଗୁଡ଼ିକରେ ଥିବା ସାଧାରଣ ନାଗରିକଙ୍କ ଆବାସିକ ଘର ଉପରେ ପାକିସ୍ତାନୀ ବିମାନଗୁଡ଼ିକ ପ୍ରବଳ ବୋମାବର୍ଷଣ କରିଥିଲେ । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୧୪ ଜଣ ମହିଳା ଓ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତାଲିବାନର ତୀବ୍ର ନିନ୍ଦା: "ଏହା ମାନବୀୟ ଅପରାଧ"

କାବୁଲର ତାଲିବାନ ଶାସକ ଏହି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ତାଲିବାନ ସରକାରଙ୍କ ମୁଖ୍ୟ ପ୍ରବକ୍ତା ଜବିଉଲ୍ଲା ମୁଜାହିଦ୍ ଏହାକୁ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଏକ ଖୋଲା ଆକ୍ରମଣ ଏବଂ "ମାନବୀୟ ଅପରାଧ" ବୋଲି ଅଭିହିତ କରିଛନ୍ତି । ନିରୀହ ନାଗରିକଙ୍କୁ ଟାର୍ଗେଟ୍ କରାଯାଇଥିବାରୁ ଏହାର ଜବାବ ଉଚିତ୍ ସମୟରେ ଦିଆଯିବ ବୋଲି ତାଲିବାନ ସେନା ଚେତାବନୀ ଦେଇଛି । ଏହି ସଦ୍ୟତମ ଆକ୍ରମଣ ଉପରେ ପାକିସ୍ତାନ ପକ୍ଷରୁ କୌଣସି ଆଧିକାରିକ ବ୍ୟାଖ୍ୟାନ ଆସିନଥିଲେ ସୁଦ୍ଧା, ପୂର୍ବରୁ ପାକିସ୍ତାନ ଦାବି କରିଆସୁଛି ଯେ 'ପାକିସ୍ତାନୀ ତାଲିବାନ' (ଟିଟିପି) ର ଆତଙ୍କବାଦୀମାନେ ଆଫଗାନିସ୍ତାନ ମାଟିର ବ୍ୟବହାର କରି ପାକିସ୍ତାନରେ ଆତ୍ମଘାତୀ ହମଲା କରୁଛନ୍ତି । ଅପରପକ୍ଷରେ, ଆଫଗାନିସ୍ତାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛି ଯେ, ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ରାଜନୈତିକ ବିଫଳତାରୁ ବିଶ୍ୱବାସୀଙ୍କ ଦୃଷ୍ଟି ହଟାଇବା ପାଇଁ ଆଫଗାନିସ୍ତାନର ନିରୀହ ନାଗରିକଙ୍କୁ ହତ୍ୟା କରୁଛି । ବାରମ୍ବାର ପାକିସ୍ତାନର ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଫଗାନିସ୍ତାନ ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତାଲିବାନ ବର୍ତ୍ତମାନ ପାକିସ୍ତାନ ସୀମାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରୁଥିବାରୁ ଆଗାମୀ ଦିନରେ ଏକ ବଡ଼ ଧରଣର ସାମରିକ ସଂଘର୍ଷ ଘଟିବାର ଆଶଙ୍କା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ... US Iran War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ! ଆମେରିକାର ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ