ଆଜିକାଲି ଉଚ୍ଚ ଆପାର୍ଟମେଣ୍ଟ, ଅଫିସ ସବୁରେ  ବିଦ୍ୟୁତଶକ୍ତି ବ୍ୟବହାର କରି ଏୟାର କଣ୍ଡିସନର  ଦ୍ୱାରା ଲୋକେ କୋଠରିକୁ ଥଣ୍ଡା ରଖୁଛନ୍ତି । ଲୋକଙ୍କୁ  ଲାଗୁଛି ଆଉ ଉପାୟ ନାହିଁ । କିନ୍ତୁ ବହୁ ପୂର୍ବରୁ  ଭାରତୀୟମାନେ ଘରଗୁଡ଼ିକୁ ଗରମ ଦିନମାନଙ୍କରେ  ଶୀତଳ କରିବାର ବ୍ୟାବହାରିକ ବିଦ୍ୟା ଜାଣିଥିଲେ ।  ସେତେବେଳେ ଲୋକମାନେ ପରିବେଶ ଅନୁକୂଳ  ଜୀବନଶୈଳୀ ଅନୁସରଣ କରୁଥିଲେ । ବିନା ଯନ୍ତ୍ର  ସାହାଯ୍ୟରେ ସାଧାରଣ ସ୍ଥାପତ୍ୟ କଳା ଥିବା ଗୃହମାନ  ପ୍ରଚଣ୍ଡ ଗ୍ରୀଷ୍ମ, ପ୍ରବଳ ବର୍ଷା ଏବଂ ଶୁଷ୍କ ପବନରେ ମଧ୍ୟ  ଅସହ୍ୟ ଲାଗୁନଥିଲା ।

ଏବେ ଭାରତରେ ଗ୍ରୀଷ୍ମ ଲହରୀ ରେକର୍ଡ କରୁଛି ।  ବିଦ୍ୟୁତ୍‌ ବ୍ୟବହାର ବହୁଗୁଣିତ ହୋଇଛି, ସବୁଜିମା  ଲୋପ ପାଉଛି । ସହରାଞ୍ଚଳରେ ତାପମାତ୍ରା ବିପଜ୍ଜନକ  ସ୍ତରକୁ ଛୁଉଁଛି । ଏବେ ଏକ କଠିନ ପ୍ରଶ୍ନ ଆସୁଛି "ପୁରୁଣା  ପିଢ଼ିର ଲୋକମାନେ ଆମ ଅପେକ୍ଷା ଜୀବନଯାପନ  ଶୈଳୀକୁ ଭଲ ଭାବରେ ବୁଝିଥିଲେ କି?' ଏହାର ଉତ୍ତର  ପୁରୁଣା ଭାରତୀୟ ଘର, ଗ୍ରାମ, ରାସ୍ତା, ଅଗଣା, ଜଳ  ବ୍ୟବସ୍ଥା ଏବଂ ଦୈନନ୍ଦିନ ଅଭ୍ୟାସର ଅବଲୋକନରେ  ରହିଛି । ଆଜି ଦିନରେ ଆଧୁନିକ ସମାଜ କଂକ୍ରିଟ୍‌ ସହରୀକରଣ ଦୌଡ଼ରେ ଧୀରେ ଧୀରେ ସେହି  ବିଜ୍ଞାନକୁ ଭୁଲିସାରିଛି ।

ପାରମ୍ପରିକ ଭାରତୀୟ ଜୀବନଶୈଳୀ ଶତାବ୍ଦୀ  ଶତାବ୍ଦୀ ଧରି ଜଳବାୟୁ, ପବନର ଦିଗ ଆଉ ବେଗ, ସୂର୍ଯ୍ୟକିରଣ, ମାଟି, ବର୍ଷା ଏବଂ ସ୍ଥାନୀୟ ପରିବେଶର  ପର୍ଯ୍ୟବେକ୍ଷଣ ମାଧ୍ୟମରେ ବିକଶିତ ହୋଇଥିଲା ।  ଲୋକମାନେ ପ୍ରକୃତି ନିୟମ ହିସାବରେ ଘର ତିଆରି  କରୁଥିଲେ । ସେଇଥିପାଇଁ ଗ୍ରୀଷ୍ମ ଋତୁରେ ମଧ୍ୟ ଅନେକ  ପୁରୁଣା ଘର ଆଶ୍ଚର୍ଯ୍ୟଜନକ ଭାବରେ ଥଣ୍ଡା ରହୁଥିଲା ।

କଂକ୍ରିଟ୍‌ ତୁଳନାରେ ମାଟି କାନ୍ଥ କମ୍‌ ଉତ୍ତାପ  ଶୋଷଣ କରେ । ମାଟିର ଚଟାଣ ପ୍ରାକୃତିକ ଭାବରେ ଥଣ୍ଡା  ଲାଗିଥାଏ । ମାଟି ଟାଇଲ୍ସ କିମ୍ବା ଛଣ ଓ କାଠ ତିଆରି ଛାତ  ଉତ୍ତାପକୁ ବାନ୍ଧିରଖେନାହିଁ । ବାୟୁ ଚଳାଚଳ ହେତୁ ଏକ  ସ୍ଥାନରେ ତାପ କେନ୍ଦ୍ରିତ ହୁଏନାହିଁ । ଝରକାଗୁଡ଼ିକ କ୍ରସ୍‌ ଭେଣ୍ଟିଲେସନ୍‌ ପାଇଁ ଠିକ୍‌ରେ ଲଗାଯାଇଥାଏ । ଘରର  ମଝିରେ ଥିବା ଖୋଲା ଅଗଣା ଦେଇ ଗରମ ପବନ  ଉପରକୁ ନିଷ୍କାସିତ ହୁଏ । କୁହାଯାଇପାରେ ପାରମ୍ପରିକ  ଘରଗୁଡ଼ିକ ଜୀବନ୍ତ ଇକୋସିଷ୍ଟମ ପରି କାର୍ଯ୍ୟ କରୁଥିଲା ।  କିନ୍ତୁ ଆଧୁନିକ ଆପାର୍ଟମେଣ୍ଟ ଏବଂ ଅଫିସଗୁଡ଼ିକ  ପ୍ରାୟତଃ ବନ୍ଦ ହୋଇଥିବା ତାପ କୋଠରି ଅଟେ ।

ଭାରତର ଅନେକ ସ୍ଥାନରେ, ସ୍ଥାନୀୟ ଜଳବାୟୁର  ପରିସ୍ଥିତି ଅନୁସାରେ ଘରଗୁଡ଼ିକ ଡିଜାଇନ୍‌ ବା ରୂପାଙ୍କନ  କରାଯାଇଥିଲା । ଗରମ ଅଞ୍ଚଳରେ ଛାତ ଉଚ୍ଚ ହୋଇଥିଲା ।  କାରଣ ଗରମ ପବନ ଉପରକୁ ଉଠେ, ତଳ ଆଡକୁ ଥଣ୍ଡା  ରୁହେ । ବାରଣ୍ଡା ଥିବାରୁ ସୂର୍ଯ୍ୟକିରଣ ସିଧାସଳଖ କାନ୍ଥ  ଉପରେ ପଡୁନଥିଲା, ଛାଇ ମିଳୁଥିଲା । ଘର ଚାରିପାଖରେ  ଗଛ ଲଗାଯାଇଥିଲା । ଏହା ଘରର ସୌନ୍ଦର୍ଯ୍ୟବର୍ଦ୍ଧନ କରିବା  ସହ ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରୁଥିଲା । ଘର ବାହାରେ  ପ୍ରାୟ ଆମ୍ବ ପରି ଫଳଗଛଟିଏ ରହୁଥିଲା । କୁହାଯାଇପାରେ  ଏହା ଜଳବାୟୁ ଇଞ୍ଜିନିୟରିଂ ଥିଲା ।

ନିମ, ବର, ନଡ଼ିଆ, ତାଳ, ଅଶ୍ୱତ୍‌ଥ ଆଦି ଗଛ ତଥା  ବାଉଁଶବଣ ସବୁ ପରିବେଶ ସୁରକ୍ଷାର କାର୍ଯ୍ୟ କରୁଥିଲା ।  ପାରିପାର୍ଶ୍ବିକକ ତାପମାତ୍ରା ହ୍ରାସ ହେଉଥିଲା, ବାୟୁ  ସଞ୍ଚାଳନରେ ସମସ୍ୟା ନଥିଲା । ମାଟିର ଆର୍ଦ୍ରତା ବଜାୟ ରହୁଥିଲା ଏବଂ ଟାଣଖରାରୁ ଘରକୁ ସୁରକ୍ଷା ମିଳୁଥିଲା ।  ଗଛଲତାର ସବୁଜ ବଳୟ ଏବଂ ପୋଖରୀଗୁଡ଼ିକ  ଜଳବାୟୁର ସୂକ୍ଷ୍ମ ନିୟନ୍ତ୍ରଣ କରୁଥିଲେ । ଫଳରେ  ଗ୍ରାମଗୁଡ଼ିକ ସ୍ୱାଭାବିକ ଭାବରେ ଥଣ୍ଡା ରହୁଥିଲା ।

ତାପମାନ ନିୟନ୍ତ୍ରଣରେ ପାଣି ମଧ୍ୟ ଏକ  କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥିଲା । ପାରମ୍ପରିକ ଭାରତୀୟ ଗ୍ରାମଗୁଡିକ କ୍ୱଚିତ ଜଳାଶୟକୁ ଅଣଦେଖା  କରୁଥିଲେ । ପୋଖରୀ, କୂଅ, ଟାଙ୍କି, କେନାଲ ଆଦି  ସାମୁଦାୟିକ ଜୀବନରେ ଦେଖାଦେଉଥିଲା । ଘର ନିକଟ ପୋଖରୀଗୁଡ଼ିକରୁ ବାଷ୍ପୀକରଣ ହେବାରୁ ପ୍ରାକୃତିକ  ଭାବରେ ଚାରିପାଖର ବାୟୁ ଥଣ୍ଡା ରହୁଥିଲା। ସନ୍ଧ୍ୟାରେ  ପରିବାରଗୁଡ଼ିକ ଜଳାଶୟ ନିକଟରେ ଖୋଲାରେ  ମିଳାମିଶା କରୁଥିଲେ ।

ପାରମ୍ପରିକ ଭାରତୀୟ ସ୍ଥାପତ୍ୟରେ ସର୍ବନିମ୍ନ  ଶକ୍ତି ଆବଶ୍ୟକ ହେଉଥିଲା । କିନ୍ତୁ ପରିବେଶ ମଣିଷ  ପାଇଁ ଥଣ୍ଡା ରହୁଥିଲା । ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟ  ଜଳବାୟୁର ସ୍ଥିତି ସହିତ ତାଳଦେଇ କରାଯାଉଥିଲା ।  ଲୋକମାନେ ଶାରୀରିକ ଭାବରେ କଷ୍ଟକର କାମ ସାରିବା  ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଉଠୁଥିଲେ । ସର୍ବାଧିକ ଗରମ  ସମୟ ଯଥା ମଧ୍ୟାହ୍ନ ସମୟରେ ବିଶ୍ରାମ ନେଉଥିଲେ । ତାପମାତ୍ରା ହ୍ରାସ ପାଇବା ପରେ ଅପରାହ୍ନ ତଥା ସନ୍ଧ୍ୟା  ଆଡ଼କୁ ପୁଣି କାମ ଆରମ୍ଭ ହେଉଥିଲା । ଆଜିର ସହରାଞ୍ଚଳ ଜୀବନଶୈଳୀରେ ପ୍ରାୟତଃ ଜୈବିକ ତଥା  ଜଳବାୟୁର ବାସ୍ତବତାକୁ ଅଣଦେଖା କରାଯାଉଛି । ନିର୍ମାଣ  ଶ୍ରମିକମାନେ ମଧ୍ୟାହ୍ନ ତଥା ଅପରାହ୍ନର ଅତ୍ୟଧିକ  ଗରମରେ ମଧ୍ୟ କାର୍ଯ୍ୟ କରୁଛନ୍ତି । କାଚ ଝରକାସବୁ  ବାହାରର ତାପକୁ କାର୍ଯ୍ୟାଳୟ କୋଠରି ଭିତରକୁ  ଯିବାକୁ ଦେଉଛି କିନ୍ତୁ ବନ୍ଦ କରିରଖୁଛି । ଟ୍ରାଫିକ୍‌ ଭିଡ଼  ଯୋଗୁ ଅତିରିକ୍ତ ଉତ୍ତାପ ଏବଂ ପ୍ରଦୂଷଣ ସୃଷ୍ଟି ହେଉଛି ।  ଏୟାର କଣ୍ଡିସନର କୋଠରି ଭିତରକୁ ଥଣ୍ଡା ରଖୁଛି  ସତ, କିନ୍ତୁ ବାହାରକୁ ଗରମ ପବନ ଛାଡୁଛି, ଯାହାଦ୍ୱାରା  ସହରାଞ୍ଚଳର ତାପମାତ୍ରା ଆହୁରି ବୃଦ୍ଧି ହେଉଛି । ପ୍ରକୃତିକୁ  ଜୟ କରିବାକୁ ଚେଷ୍ଟାରେ ଆଧୁନିକ ସହରଗୁଡ଼ିକ ନିଜକୁ  କମ୍‌ ବାସଯୋଗ୍ୟ କରିଚାଲିଛନ୍ତି ।

ପାରମ୍ପରିକ ପୋଷାକ ମଧ୍ୟ ଜଳବାୟୁ ଜ୍ଞାନକୁ  ପ୍ରତିଫଳିତ କରେ । ସୂତା ପୋଷାକରେ ବାୟୁ ଚଳାଚଳ  ସହଜ ହୁଏ । ଝାଳ ବାଷ୍ପ ହେଉଥିବାରୁ ଶରୀରକୁ  ଥଣ୍ଡା ଲାଗେ । ଢିଲା ପୋଷାକ ଶରୀରକୁ ସିଧାସଳଖ  ଉତ୍ତାପରୁ ରକ୍ଷା କରିଥାଏ । ଧଳା କିମ୍ବା ହାଲୁକା ରଙ୍ଗର  କପଡ଼ା ସୂର୍ଯ୍ୟକିରଣରୁ ତାପ ଶୋଷଣ କରିବା ପରିବର୍ତ୍ତେ  ପ୍ରତିଫଳିତ କରିଥାଏ । ମୁଣ୍ଡରେ ପଗଡ଼ି, ଗାମୁଛା  ଘୋଡ଼ାଇବା ଦ୍ୱାରା ଶ୍ରମିକମାନେ ସନଷ୍ଟ୍ରୋକ୍‌ରୁ ରକ୍ଷା  ପାଇଥାନ୍ତି ।

ଋତୁ ଅନୁସାରେ ଖାଦ୍ୟ ଅଭ୍ୟାସ ମଧ୍ୟ ପରିବତ୍ତି ର୍ତ  ହେଉଥିଲା । ଭାରତୀୟ ପରିବାରଗୁଡ଼ିକ ଗ୍ରୀଷ୍ମଋତୁରେ  ବେଶି ଜଳଯୁକ୍ତ ଏବଂ ଥଣ୍ଡାଖାଦ୍ୟ ବ୍ୟବହାର  କରୁଥିଲେ । ଦହି, ତୋରାଣି, ଛତୁଆ ବା ବେଲପଣା,  ପଇଡ଼ପାଣି ଇତ୍ୟାଦି ପିଉଥିଲେ। କାକୁଡ଼ି, ତରଭୁଜ  ପରି ଋତୁକାଳୀନ ଫଳ ଖାଉଥିଲେ । ସୁରେଇ, ମାଠିଆ  ପରି ମାଟିପାତ୍ରରେ ପାନୀୟଜଳ ରଖାଯାଉଥିଲା,  ଯାହା ପ୍ରାକୃତିକ ଭାବରେ ଥଣ୍ଡା ରହୁଥିଲା । ଓଡ଼ିଶାରେ  ପଖାଳଭାତ ଜଳବାୟୁ ଅନୁକୂଳ ଖାଦ୍ୟ ଥିଲା । ଅତ୍ୟଧିକ  ଗରମ ସମୟରେ ଶରୀରରେ ଆବଶ୍ୟକ ଜଳୀୟ  ଅଂଶ କମ୍‌ ହୋଇଯାଉଥିବାରୁ ଏହା ଶରୀରକୁ ପ୍ରଚୁର  ଜଳ ଦେଉଥିଲା ଏବଂ ହଜମରେ ସାହାଯ୍ୟ କରୁଥିଲା ।  ଏହିପରି ଅନେକ ପାରମ୍ପରିକ ଖାଦ୍ୟ ଶରୀରର  ତାପମାତ୍ରା ଏବଂ ଜଳୀୟ ଅଂଶ ବଜାୟ ରଖିବା ପାଇଁ  ବୈଜ୍ଞାନିକ ଭାବରେ ଉପଯୁକ୍ତ ଥିଲା ।

ପୁରାତନ ଭାରତରେ ସାମୁଦାୟିକ ଯୋଜନା  ମଧ୍ୟ ପରିବେଶରେ ସନ୍ତୁଳନ ରକ୍ଷା କରୁଥିଲା । ପୁରୁଣା ଜନବସତିଗୁଡିକରେ ରାସ୍ତାସବୁ ପ୍ରାୟତଃ  ଅଣଓସାରିଆ ଏବଂ ଛାଇଯୁକ୍ତ ଥିଲା, ଯାହା ସିଧାସଳଖ  ଉତ୍ତାପର ସଂସ୍ପର୍ଶକୁ ହ୍ରାସ କରୁଥିଲା । ଘରଗୁଡ଼ିକ  ଏପରି ଭାବରେ ପାଖାପାଖି ରହିଥିଲା ଯାହାଦ୍ୱାରା  ଶୀତଳ ପଥ ସୃଷ୍ଟି ହେଉଥିଲା । ମନ୍ଦିରର ପୋଖରୀ,  ଗ୍ରାମର ଜଙ୍ଗଲ, ଚରାଭୂମି ଏବଂ ଅନ୍ୟ ପୋଖରୀକୁ ସାଧାରଣ ପରିବେଶଗତ ସମ୍ପତ୍ତି ଭାବରେ ସଂରକ୍ଷିତ  ରଖାଯାଇଥିଲା ।

ଏହାର ବିପରୀତରେ ଆଧୁନିକ ସହରାଞ୍ଚଳ  ସଂପ୍ରସାରଣରେ ଆର୍ଦ୍ରଭୂମିକୁ ପୋତାଯାଉଛି, ଗଛ  କଟାଯାଉଛି, ପୋଖରୀସବୁକୁ ଜବରଦଖଲ କରାଯାଉଛି  ଏବଂ ପ୍ରତ୍ୟେକ ଖାଲି ସ୍ଥାନକୁ କଂକ୍ରିଟ୍‌ ଦ୍ୱାରା ଆଚ୍ଛାଦିତ  କରାଯାଉଛି । ଏପରି ସହରଗୁଡ଼ିକ ବହୁଗୁଣରେ ତାପ  ଶୋଷଣ କରେ ଏବଂ ଅଟକାଇ ରଖେ । ଆଉ ତାପ  ନିୟନ୍ତ୍ରଣ କରିବାପାଇଁ ପାରମ୍ପରିକ ଶୀତଳୀକରଣ  ପ୍ରଣାଳୀଗୁଡ଼ିକ ଅପସାରିତ ହୋଇଯାଇଛି । ଏହାର ପରିଣାମ ଆଜି ଦୃଶ୍ୟମାନ ହେଉଛି ।  ତାପମାନ ଅଧିକ ମାରାତ୍ମକ ହୋଇଚାଲୁଛି ।  ଶୀତଳୀକରଣ ଚାହିଦା ଯୋଗୁଁ ପ୍ରତି ଗ୍ରୀଷ୍ମଋତୁରେ  ବିଦ୍ୟୁତ ବ୍ୟବହାର ଦ୍ରୁତଗତିରେ ବୃଦ୍ଧିପାଉଛି । ଜଳକଷ୍ଟ  ତୀବ୍ର ହେଉଛି । ବାୟୁ ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟ ଖରାପ  ହେଉଛି । ମଝିରାତି ପର୍ଯ୍ୟନ୍ତ ସହରାଞ୍ଚଳରେ ତାପମାତ୍ରା  ଅଧିକ ରହୁଛି । କାରଣ କଂକ୍ରିଟ୍‌ ରାତିସାରା ଧୀରେ  ଧୀରେ ଧରି ରଖିଥିବା ତାପ ଛାଡ଼ିଥାଏ ।

ବିଡ଼ମ୍ବନାର ବିଷୟ ହେଉଛି, ଆଧୁନିକ  ଜୀବନଶୈଳୀ ବର୍ତ୍ତମାନ କୃତ୍ରିମ ଶୀତଳୀକରଣ ପ୍ରଣାଳୀ  ଉପରେ ବହୁତ ନିର୍ଭର କରୁଛି । ଏହା ବ୍ୟାପକ ଶକ୍ତି  ବ୍ୟବହାର କରେ, ଫଳରେ ପରିବେଶରେ ଉଷ୍ମତା  ବୃଦ୍ଧିହୁଏ । ବିପରୀତରେ, ପାରମ୍ପରିକ ଭାରତୀୟ  ଜୀବନଯାପନ ନିଷ୍କ୍ରିୟ ଶୀତଳୀକରଣ ଉପରେ ଆଧାରିତ  ଥିଲା, ଯାନ୍ତ୍ରିକ ନିର୍ଭରଶୀଳତା ବଦଳରେ ସ୍ଥାନୋପଯୋଗୀ  ସ୍ଥାପତ୍ୟ ମାଧ୍ୟମରେ ଘର ଶୀତଳ ରହୁଥିଲା ।

ସାମାଜିକ ଜୀବନ ପରିବେଶ ସମ୍ବେଦନଶୀଳତାକୁ  ପ୍ରତିଫଳିତ କରୁଥିଲା । ଗ୍ରାମଗୁଡ଼ିକରେ ଲୋକମାନେ  ସନ୍ଧ୍ୟା ସମୟରେ ବା ଅପରାହ୍ନରେ ବଡ଼ ଗଛ ତଳେ  ଏକାଠି ହେଉଥିଲେ । ବର ଏବଂ ଅଶ୍ୱତ୍‌ଥ ଗଛ  ପ୍ରାୟତଃ ସଂପ୍ରଦାୟର କେନ୍ଦ୍ରସ୍ଥଳ ହୋଇଯାଉଥିଲା । କାରଣ ସେଠାରେ ତାପମାତ୍ରା ଯଥେଷ୍ଟ ଥଣ୍ଡା ରହୁଥିଲା ।  ସାର୍ବଜନୀନ ସ୍ଥାନଗୁଡ଼ିକ ପ୍ରାକୃତିକ ଭାବରେ ଛାୟାଯୁକ୍ତ  ଏବଂ ବାୟୁଚଳନ ଉପଯୋଗୀ ଥିଲା । ଲୋକେ ଖରାଦିନେ ଖୋଲାରେ ଅଗଣା କିମ୍ବା ଛାତରେ ଶୋଉଥିଲେ ।  ସେଠାରେ ବାୟୁର ଆତଯାତ ବନ୍ଦ କୋଠରି ଅପେକ୍ଷା  ଭଲ ଥିଲା । ଶିଶୁମାନେ ଉତ୍ତପ୍ତ କୋଠରି ଭିତରେ ନରହି  ବାହାରେ ଗଛତଳେ ଖେଳୁଥିଲେ ।

ଏସବୁ କହିବାର ଅର୍ଥ ନୁହେଁ ଯେ ପୁରାତନ ଭାରତ  ସଂପୂର୍ଣ୍ଣ କିମ୍ବା କଷ୍ଟମୁକ୍ତ ଥିଲା । ପାରମ୍ପରିକ ସମାଜଗୁଡ଼ିକ  ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ପରିମଳ, ଚିକିତ୍ସା ଏବଂ ଆଥି ର୍କ ଅସମାନତା ଇତ୍ୟାଦି  ଅନ୍ତର୍ଭୁକ୍ତ । କିନ୍ତୁ ଜଳବାୟୁ-ପ୍ରତିକ୍ରିୟାଶୀଳ ଜୀବନଶୈଳୀ  ଦୃଷ୍ଟିରୁ ଦୈନନ୍ଦିନ ଜୀବନ ପରିବେଶ ଦିଗରୁ ଅସହ୍ୟ  ନଥିଲା।

ଆଧୁନିକ ସ୍ଥାପତ୍ୟ ଏବଂ ସହରାଞ୍ଚଳ ଯୋଜନା  ଏବେବି ସେହି ନୀତିଗୁଡ଼ିକରୁ ବହୁତ ଶିଖିପାରିବ । ଆଜି  ସାରାବିଶ୍ୱ, ସ୍ଥାୟୀ ସ୍ଥାପତ୍ୟଯୁକ୍ତ ପାରମ୍ପରିକ ଭାରତୀୟ  ଘରଗୁଡ଼ିକ ସହ ମିଶ୍ରିତ ଥିବା ଧାରଣାଗୁଡ଼ିକୁ ବହୁ  ଗୁରୁତ୍ୱ ଦେଉଛି । ତାହା ହେଉଛି ପ୍ରାକୃତିକ ବାୟୁଚଳନ,  ତାପଜ ନିରୋଧକ ତଥା ସ୍ଥାନୀୟ ସାମଗ୍ରୀର ଉପଯୋଗ,  ବର୍ଷାଜଳ ଅମଳ, ଛାଇଯୁକ୍ତ ସ୍ଥାନ, ଶୀତଳୀକରଣ  ପ୍ରଣାଳୀ ଏବଂ ପରିବେଶସମ୍ପନ୍ନ ଭୂଭାଗ । ସମସାମୟିକ ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର  କରୁଛନ୍ତି ଯେ, ପାରମ୍ପରିକ ନିର୍ମାଣ ପଦ୍ଧତିଗୁଡ଼ିକ  ପ୍ରାୟତଃ ସ୍ଥାନୀୟ ଜଳବାୟୁ ପରିସ୍ଥିତିରେ ଉଲ୍ଲେଖନୀୟ  ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ।

ଆଜି ଜଳବାୟୁ ପରିବର୍ତ୍ତନ ମାନବର ପୁରୁଣା  ଜ୍ଞାନର ପୁନବି ର୍ଚାର କରିବାକୁ ବାଧ୍ୟ କରୁଛି ।  ଯେତେବେଳେ ସାରା ଭାରତରେ ତାପମାତ୍ରା ବୃଦ୍ଧି  ପାଉଛି, ବିଶେଷକରି ଭାରତର କିଛି ଅଂଶରେ,  ସହରଗୁଡ଼ିକ ପ୍ରମୁଖ ପରିବେଶଗତ ଅନୁକୂଳନ ବିନା  ଆଉ ବାସଯୋଗ୍ୟ ରହିପାରିବ ନାହିଁ । କେବଳ ଏୟାର  କଣ୍ଡିସନିଂ ପରିବେଶଗତ ବିନାଶ ଏବଂ ଅସମ୍ଭବ  ସହରୀକରଣ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ  କରିପାରିବନାହିଁ ।

ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ପାରମ୍ପରିକ  ପରିବେଶଗତ ଜ୍ଞାନ ମିଶ୍ରିତ ହେବା ଦରକାର । ବିସ୍ତୃତ  ସବୁଜ ବୃକ୍ଷ ଆବରଣ, ପୁନଃସ୍ଥାପିତ ପୁଷ୍କରିଣୀ,  ଜଳବାୟୁ-ସମ୍ବେଦନଶୀଳ ସ୍ଥାପତ୍ୟ, ଛାୟାଯୁକ୍ତ ପଦଯାତ୍ରା  ପଥ, ଛାୟାଯୁକ୍ତ ଛାତ ଉଦ୍ୟାନ, ବର୍ଷାଜଳ ଅମଳ ଏବଂ  ପ୍ରାକୃତିକ ବାୟୁଚଳନ ପ୍ରଣାଳୀ ସହିତ ଭବିଷ୍ୟତର ସହରଗୁଡ଼ିକୁ କଳ୍ପନା କରାଯାଇପାରେ । ଏକ ଉଷ୍ମ  ବିଶ୍ୱରେ ବଞ୍ଚିବା ପାଇଁ ପାରମ୍ପରିକ ଜ୍ଞାନକୌଶଳ  ବ୍ୟବହାର କରିବା ଆବଶ୍ୟକ ।

ପୂର୍ବପିଢ଼ି ବୁଝିଥିଲେ ଯେ ମାନବର ଅବସ୍ଥିତି ପ୍ରକୃତି  ସହ ସମନ୍ୱୟ ଉପରେ ନିର୍ଭର କରେ, ଏହା ଉପରେ  ପ୍ରାଧାନ୍ୟ ବିସ୍ତାର କରି ନୁହେଁ । ସେମାନେ ଋତୁ ଅନୁଯାୟୀ ଜୀବନଶୈଳୀକୁ ଅନୁକୂଳିତ କରିଥିଲେ । ପ୍ରତ୍ୟେକ ଉଷ୍ମ  ଲହରୀ ଆମକୁ ଏକ ମୌଳିକ ସତ୍ୟ ମନେପକାଇ  ଦେଉଛି: ପ୍ରକୃତି ଶେଷରେ ସମାଜର କାର୍ଯ୍ୟ ସୀମା ସ୍ଥିର  କରେ ।

ଭାରତ ଏବେ ଦୁଇଟି ମଡେଲ ମଧ୍ୟରେ ଠିଆ  ହୋଇଛି । ଗୋଟିଏ ମଡେଲ ଅନିୟନ୍ତ୍ରିତ କଂକ୍ରିଟ୍‌  ପ୍ରସାରଣ, ପରିବେଶଗତ ବିନାଶ, ତାପମାତ୍ରା ବୃଦ୍ଧି ଏବଂ  କୃତ୍ରିମ ଶୀତଳତା ଉପରେ ବର୍ଦ୍ଧିତ ନିର୍ଭରଶୀଳତା । ଅନ୍ୟ  ମଡେଲ ହେଉଛି ଆଧୁନିକ ନବସୃଜନ ପାରମ୍ପରିକ ଜ୍ଞାନ  ମଧ୍ୟ ଗ୍ରହଣ କରିଛି । ଆଧୁନିକ ସହରର କୋଳାହଳ  ତଳେ କେଉଁଠି ନା କେଉଁଠି ଏକ ପୁରୁଣା ଭାରତୀୟ  ଧାରଣା ରହିଛି- ଏକ ଶୀତଳ ଘର, ଏକ ଛାୟାଯୁକ୍ତ  ପଥ, ଏକ ଜୀବନ୍ତ ପୋଖରୀ, ଏକ ଖୋଲା ଅଗଣା, ଏକ  ମାଟିପାତ୍ରରେ ପାଣି ଏବଂ ପ୍ରକୃତି ପ୍ରତି ସମ୍ମାନ । ଏସବୁ  ମିଳି ଏକ ଆରାମଦାୟକ ଘର ସୃଷ୍ଟି କରୁଛି । ଆଉ  ବଞ୍ଚିରହିବା ପାଇଁ ଏକ  ଉତ୍ତମ ବିଶ୍ୱ ତିଆରି ହେଉଛି ।