କଟକ, ୧୨/୦୭: ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ । ସୋମବାର ଅର୍ଥାତ୍ ଆଜି ନାରୀ ସୁରକ୍ଷା ନାରା ଦେଇ ଆରଡିସି ସ୍ତରୀୟ ବିକ୍ଷୋଭ କରିଛି ବିଜେଡି । ୧୦ ଜିଲ୍ଲାର ୫୫ ନିର୍ବାଚନ ମଣ୍ଡଳୀରୁ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଆଜି କଟକରେ ଏକାଠି ହୋଇଛନ୍ତି । କେନ୍ଦ୍ରାଂଚଳ ରାଜସ୍ବ ଆୟୁକ୍ତ (ଆରଡିସି)ଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ।
ଦିନ ୧୧ଟା ବେଳେ ସନସାଇନ ଫିଲ୍ଡରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଜେପି ସରକାର ଅମଳରେ ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଦଳୀୟ ନେତା ମାନେ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ଡବଲ୍ ଇଂଜିନ୍ ସରକାର ମହିଳାଙ୍କ ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ଫେଲ୍ ବୋଲି ଅଭିଯୋଗ କରିଥିଲେ । ପରେ ବିଜେଡି ନେତା ଓ କର୍ମୀମାନେ ଏକାଠି ହୋଇ ଆରଡିସିଙ୍କ କାର୍ଯ୍ୟାଳୟ ଅଭିମୁଖେ ଚାଲିଥିଲେ । ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟ ପାଖରେ ପୁଲିସ ବ୍ୟାରିକେଡ଼ ଲଗାଇଥିଲା । ମାତ୍ର ଏହାକୁ ଟପି ଯାଇଥିଲେ ବିଜେଡି କର୍ମୀ । ଏ ସମୟରେ ପୁଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଥିଲା । ପରେ ୩୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆରଡିସି ଅଫିସକୁ ଯାଇ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ବିଜେଡ଼ିର ବିକ୍ଷୋଭକୁ ନେଇ ଆଜି କଟକ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସୋମବାର କାର୍ଯ୍ୟ ଦିବସ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।