ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ନବୀନଙ୍କ ନୂଆ ଟିମ୍‌ ଗଠନ: ୯ ଜିଲ୍ଲା, ଛାମୁଆ ମୁଖିଆ ନାଁ ଘୋଷଣାକୁ ଅପେକ୍ଷା

Published By : Prameya | May 9, 2025 12:56 PM

ଭୁବନେଶ୍ୱର,୦୯/୦୫: ନବୀନ ତାଙ୍କ  ନୂଆ ଟିମ୍‌ ଗଢ଼ିଦେଲେ । ରାଜନୈତିକ ବ୍ୟାପାର  କମିଟି ସହ ରାଜ୍ୟସ୍ତରୀୟ ସାଂଗଠନିକ କମିଟି,  ବିଭିନ୍ନ ସାମ୍ମୁଖ୍ୟ ଓ ସେଲ୍‌ ନେତା ବାଛି ସାରିଛନ୍ତି  ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏବେ  ନଜର ବାକି ଥିବା ୯ ସାଂଗଠନିକ ଜିଲ୍ଲା ଓ ତିନି  ଛାମୁଆ ସଂଗଠନ ନେତା କିଏ ହେବେ? ନବୀନଙ୍କ  ଏହି ନିଷ୍ପତ୍ତି ଉପରେ ସଭିଙ୍କ ନଜର ଅଟକିଛି । 

ସବୁଠୁ ଅଧିକ ଚର୍ଚ୍ଚା ଯୁବ ବିଜେଡି ସଭାପତି ପଦକୁ ନେଇ । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନବୀନ ତାଙ୍କ ରାଜ୍ୟସ୍ତରୀୟ କମିଟିରେ ସ୍ଥାନ ଦେଇନାହାନ୍ତି । ତେଣୁ ଦେବୀଙ୍କ ନାଁ ଏବେ ବି ଯୁବ ବିଜେଡି ସଭାପତି ଦୌଡ଼ରେ ଥିବା କୁହାଯାଉଛି । ଏହାବାଦ୍‌ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଯୁବ ନେତା ଚିନ୍ମୟ ସାହୁ, ଅମରେଶ ପତ୍ରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି । ଯଦି ସଭାପତି ପଦ ନ ମିଳିବ, ଏହି ନେତାଙ୍କୁ ଭିତରୁ କେହି ଯୁବ ବ୍ୟାପାର ଉପଦେଷ୍ଟା ହୋଇପାରନ୍ତି । 

ବିଜୁ ଜନତା ଦଳର ମହିଳା ସଂଗଠନ  ମୁଖିଆ ଦୌଡ଼ରେ ପୂର୍ବତନ ବିଧାୟିକା ଲତିକା  ପ୍ରଧାନଙ୍କ ନାଁ ଆଗରେ ଥିବା କୁହାଯାଉଛି । ରାଜ୍ୟ  କମିଟିରେ ସ୍ଥାନ ପାଇଥିବା ସ୍ନେହାଙ୍ଗିନୀ ଛୁରିଆ,  ସାଂସଦ ସୁଲତା ଦେଓ, ବିଧାୟିକା ସୁବାସିନୀ  ଜେନାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି । ଛାତ୍ର  ବିଜେଡି ସଭାପତି ପାଇଁ ପୂର୍ବତନ ବିଧାୟକ ରୁଦ୍ର  ମହାରଥୀ, ରାଜେଶ ରାଜ ସ୍ୱାଇଁ, ବିଶ୍ୱପ୍ରତାପ  ସାହୁ, ପ୍ରଦୋଷ ପରିଡ଼ା, ହରିଶଙ୍କର ରାଉତ  ପ୍ରମୁଖଙ୍କ ନାଁକୁ ନେଇ ଚର୍ଚ୍ଚା ବେଶି । ଖବର  ମିଳୁଛି, ସପ୍ତାହକ ଭିତରେ ତିନି ଛାମୁଆ ସଂଗଠନ  ସଭାପତିଙ୍କ ନାମ ଘୋଷଣା ହୋଇପାରେ । 

୯ ସାଂଗଠନିକ ଜିଲ୍ଲା ସଭାପତି ଘୋଷଣା  ଉପରେ ବି ନଜର ଅଟକିଛି ସଭିଙ୍କର । ଜିଲ୍ଲାର  ପ୍ରମୁଖ ନେତାମାନେ ରାଜ୍ୟ କମିଟି ଓ ସାମ୍ମୁଖ୍ୟରେ  ବଡ଼ ଦାୟିତ୍ୱ ପାଇଛନ୍ତି । ତେଣୁ କଟକ ଜିଲ୍ଲା ସଭାପତି  ପାଇଁ ପୂର୍ବତନ ମନ୍ତ୍ରୀ ତଥା କଟକ ସଦରର ପୂର୍ବତନ  ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନାମ ଆଗରେ  ଥିବା କୁହାଯାଉଛି । ସାଲେପୁର ବିଧାୟକ ପ୍ରଶାନ୍ତ  ବେହେରା ମଧ୍ୟ ଅନ୍ୟତମ ଆଶାୟୀ ଅଛନ୍ତି । 

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପଦର  ପ୍ରମୁଖ ଦାବିଦାର କୁହାଯାଉଥିବା ଅଂଶୁମାନ ମହାନ୍ତି  ଓ ଧ୍ରୁବ ସାହୁଙ୍କ ଭଳି ଟାଣୁଆ ନେତାମାନେ ରାଜ୍ୟ  କମିଟିରେ ସ୍ଥାନ ପାଇଛନ୍ତି । ଏବେ ଜିଲ୍ଲା ସଭାପତି  ପାଇଁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଧ୍ୟକ୍ଷା ସରିତା  ସାହୁଙ୍କ ସ୍ୱାମୀ ରଣଜିତ ସାହୁ, କାଳୀପ୍ରସାଦ ମିଶ୍ର,  ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଧୀରେନ  କୁମାର ସାହୁଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି ।  

ଖୋର୍ଦ୍ଧା ଜିଲ୍ଲା ପାଇଁ ବିଧାୟକ ପ୍ରଦୀପ ସାହୁ ଓ  ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମଧ୍ୟରୁ  କାହାରିକୁ ସଭାପତି ପଦ ମିଳିପାରେ। କଳାହାଣ୍ଡି ଜିଲ୍ଲା ସଭାପତି ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର  ସିଂହଦେଓଙ୍କ ସମ୍ଭାବନା ଅଧିକ ଥିବାବେଳେ  କମିଟିରେ ସ୍ଥାନ ପାଇଥିବା ଦିବ୍ୟଶଙ୍କର ମିଶ୍ର ଏବେ  ବି ଆଶାୟୀ ଥିବା କୁହାଯାଉଛି । କୋରାପୁଟରେ  ବିଜେଡି ସଭାପତି ପଦ ପାଇଁ ପୂର୍ବତନ ସାଂସଦ  ଝିନ ହିକକା, ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ,  ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ର ପଦ୍ମିନୀ ଦିଆନ,  ବୋରିଗୁମ୍ମାର ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ  ବିନିକାଙ୍କ ନାମ ରେସରେ ଅଛି । 

ରାୟଗଡ଼ାରେ  ବିଜେଡି ସଭାପତି ହେବାକୁ ପୂର୍ବତନ ସାଂସଦ  ଏନ୍‌.ଭାସ୍କର ରାଓ ଓ ପୂର୍ବତନ ଜିଲ୍ଲା ସଭାପତି  ସୁଧୀର ଦାସଙ୍କ ଭିତରେ ଟକ୍କର ରହିଛି । ଗଞ୍ଜାମ  ଜିଲ୍ଲା ସଭାପତି ଦୌଡ଼ର ଅଧିକାଂଶ ପ୍ରମୁଖ  ଦାବିଦାରମାନଙ୍କୁ ନବୀନ ତାଙ୍କ କମିଟିରେ ସ୍ଥାନ  ଦେଇଛନ୍ତି । ଜିଲ୍ଲା ସଭାପତି ହେବାକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାମ ଏବେ ସବୁଠାରୁ  ଆଗରେ ରହିଛି । ଢେଙ୍କାନାଳ ଜିଲ୍ଲା ସଭାପତି  ପାଇଁ ସସ୍‌ପେନ୍ସ ବଢ଼ିଛି । ସୁଧୀର ସାମଲଙ୍କୁ  ବିଜେଡି କମିଟିରେ ସ୍ଥାନ ମିଳିଛି । ବୟାନବାଜି  ପାଇଁ ଦଳରେ ବିବାଦୀୟ ହୋଇ ପଡ଼ିଥିବା  ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କ ହାତରେ ଦଳ  ଜିଲ୍ଲା ମଙ୍ଗ ଦେବ କି ନାହିଁ, ଠଉରାଇ ହେଉନି । ଏହାବାଦ୍‌ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ  ଧର୍ମାନନ୍ଦ ପରିଡ଼ା ବି ଅନ୍ୟତମ ଦାବିଦାର ବୋଲି  କୁହାଯାଉଛି । ବାଲେଶ୍ୱରକୁ ନେଇ ରବୀନ୍ଦ୍ର ଜେନା  ଓ ଜ୍ୟୋତି ପାଣିଗ୍ରାହୀଙ୍କ ଭିତରେ ଟଣାଓଟରା  ଲାଗିଛି । ଦଳ ବାଲେଶ୍ୱରକୁ ଦୁଇଟି ସାଂଗଠନିକ  ଜିଲ୍ଲାରେ ଭାଗ କରିବା ନେଇ ମଧ୍ୟ ବିଚାର କରୁଛି ।  

ଦଳର ଶୀର୍ଷ ନେତୃତ୍ୱଙ୍କ ସହ ନବୀନ ଏ  ନେଇ ବିଚାର ବିମର୍ଷ କରିଛନ୍ତି । ଖୁବଶୀଘ୍ର  ସମସ୍ତ ଅଡ଼ୁଆ ଓ ବିବାଦର ସମାଧାନ କରି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିପାରେ ବିଜେଡି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.