ଭୁବନେଶ୍ବର,୨୨।୩ : ବିଜେଡ଼ିରୁ ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତି ବିଜେଡ଼ି ପକ୍ଷରୁ ଅବଗତ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ଯଦି ବାଚସ୍ପତିଙ୍କ ନିକଟରେ କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ। ୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ ବୋଲି କହିଛନ୍ତି ମୁଖପାତ୍ର ଲେଲିନ ମହାନ୍ତି। ସେ କହିଛନ୍ତି ଯେ, ସେମାନେ ଯଦି ଭାବୁଛନ୍ତି ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ସେ ବଞ୍ଚିଯିବେ ତାହା ଭୁଲ। ଏହି ବିଧାୟକ ମାନେ ରାଜ୍ୟ ଦଳ ପାଇଁ ଅନ୍ୟାୟ କରିଛନ୍ତି ବିଜେଡି ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ ବସ୍ତା ବିଧାୟକ ସୁବାସୀନି ଜେନା, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ କ୍ରସ ଭୋଟିଂ କରିଥିଲେ। ବିଜେଡି ଓ କଂଗ୍ରେସ ଦଳର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେଇ ନ ଥିଲେ। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏହି ୬ ଜଣ ବିଧାୟକ ଭୋଟ ଦେଇଥିଲେ। ଏହାକୁ ନେଇ ବିଜେଡି ପକ୍ଷରୁ ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନୋଟିସର ଉତ୍ତର ଗତ ୨୦ ତାରିଖ ସୁଦ୍ଧା ଦେବାକୁ ଦର୍ଶାଯାଇଥିଲା। ୬ ଜଣ ବିଧାୟକ ନୋଟିସର ଉତ୍ତରରେ ଉଲ୍ଲେଖ କରିଥିଲେ ଯେ ଏଭଳି ନୋଟିସ୍ ଆଇନ୍ ଅନୁଯାୟୀ ଅସିଦ୍ଧ । ସୁପ୍ରିମକୋର୍ଟ ଏବଂ ଇସିଆଇର ନିୟମ ଉଂଲଘନ ମଧ୍ୟ କରୁଛି । ତେବେ ଏଭଳି ନୋଟିସରୁ ଦଳ କ୍ଷାନ୍ତ ରହୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ ବୋଲି ଦର୍ଶାଇଥିଲେ । ଏହା ପରେ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟକୁ ଆଧାର କରି ଦଳର ସୁପ୍ରିମୋ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ନିଲମ୍ବିତ କରିଥିଲେ