ଭୁବନେଶ୍ୱର ୨୬।୧୨ : ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ଗୁରୁବାର ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପାଳିତ ହୋଇଛି। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ   ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି  ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରି ଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।    ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ. ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। 

ଏହି ଅବସରରେ ନବୀନ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ପୁଣି ଥରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ଏହାକୁ ସମର୍ଥନ କରିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।   ଇଭିଏମ ବ୍ୟବସ୍ଥାରେ ଆସୁଥିବା ଅସଙ୍ଗତି ଅଭିଯୋଗକୁ ନେଇ ବାଲଟ ପେପର ଭୋଟିଂ ବ୍ୟବସ୍ଥାକୁ ନବୀନ ସମର୍ଥନ ଜଣାଇଛନ୍ତି । ତେବେ ନିର୍ବାଚନ ପ୍ରକ୍ରିୟାରେ ଆସୁଥିବା ଅସଙ୍ଗତି ଉପରେ ନିର୍ବାଚନ କମିଶନ ଭଲ ଭାବେ ତଦାରଖ କରି ବ୍ୟବସ୍ଥା ସୁଧାରିବା ଉଚିତ୍ ବୋଲି ନବୀନ କହିଛନ୍ତି। ଏନେଇ ଦଳ ପକ୍ଷରୁ ଦିଲ୍ଲୀରେ ନିର୍ବାଚନ କମିଶନକୁ ଭେଟି ଅବଗତ କରାଯାଇଥିବା ଉପରେ ଏଭଳି ମତ ରଖିଛନ୍ତି ବିଜେଡି ସଭାପତି । ତେବେ ଏକ ଦେଶ ଏକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ସମର୍ଥନ କରିବ କି ନାହିଁ ପ୍ରସଙ୍ଗରେ ନବୀନ କହିଛନ୍ତି ଯେ ପରେ ଏନେଇ ଦଳ ବିଚାର କରିବ ।