ଭୁବନେଶ୍ୱର(ପ୍ରମେୟ ଡିଜିଟାଲ): ପୁରାକୁ ପୁରା ବିଜେପି ସରକାରକୁ ଘେରିବ ବିଜେଡି । ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଧରି କେନ୍ଦ୍ରକୁ କୈଫିୟତ୍ ତଲବ କରିବ । ଚାଷୀଙ୍କ ସମସ୍ୟାରୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅସ୍ତ୍ରରେ ସରକାରଙ୍କୁ ଘେରିବ । ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଏମିତି ନିଷ୍ପତ୍ତି ନେଇଛି ବିଜେଡି ।
ବିଜେଡି ପକ୍ଷରୁ ସାଂସଦ ଡ.ସସ୍ମିତ ପାତ୍ର ସର୍ବଦଳୀୟ ବୈଠକ ପରେ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ଏବେ ଚାଷୀଙ୍କ ସମସ୍ୟା କହିଲେ ନସରେ । ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନି । କଟନୀ ଛଟନୀ ହେଉଛି । ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନି । ମଣ୍ଡିରେ ହଇରାଣ ହରକତ ହେଉଥିବାରୁ ଚାଷୀ ଅଭାବି ବିକ୍ରି କରୁଛି । ସାର ସଂକଟ ମଧ୍ୟ ଲାଗି ରହିଛି । ଚାଷୀ ବୀମା କରି ମଧ୍ୟ ଫସଲ ହାନି ହେଲେ କ୍ଷତିପୂରଣ ପାଉନି । ବିଜୁ ଜନତା ଦଳ ଏ ପ୍ରସଙ୍ଗ ସଂସଦରେ ଉଠାଇ ସରକାରଙ୍କୁ ଜବାବ ମାଗିବ ।
ସସ୍ମିତ କହିଛନ୍ତି, ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ସକାଳ ପାଇଲେ ରେପ୍ ଆଉ ମର୍ଡର । ମହିଳାଙ୍କ ବିରୋଧରେ ହିଂସା ହୁ ହୁ ହୋଇ ବଢ଼ି ଚାଲିଛି । ଝିଅ ଓ ନାବାଳିକା ଅସଦାଚାଣରର ଶିକାର ହେଉଛନ୍ତି । ପୁଲିସ ପୂରା ଫେଲ୍ ମାରିଛି । ଅପରାଧ ନିୟନ୍ତ୍ରଣ କରିବାରେ ସରକାର ଅସହାୟ ହୋଇ ହାତବାନ୍ଧି ବସିଛନ୍ତି । ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ବିବାଦ ଓ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶାକୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଏ ପ୍ରତିଶ୍ରୁତି ଏବେ କୁଆଡ଼େ ଗଲା? ରାଜ୍ୟର ବିଜେପି ସରକାର କାହିଁକି ଚୁପ୍ ବସିଛି? ସବୁଥିରେ ସରକାର ଫେଲ୍ । ବିଜେଡି ଏ ନେଇ ଲୋକସଭାରେ ସରକାରଙ୍କୁ ଘେରିବ । କୋଇଲା ରୟାଲଟି ବଢ଼ୁନଥିବାରୁ ଓଡ଼ିଶା ବହୁ ପରିମାଣର ରାଜସ୍ୱ ହରାଉଛି । ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଯୁବଗୋଷ୍ଠୀଙ୍କ ହାତକୁ କାମଧନ୍ଦା ମିଳୁନି । ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟ ନଥିବା ବେଳେ ମୋବାଇଲ୍ ଓ ବ୍ୟାଙ୍କିସେବା ମଧ୍ୟ ନାହିଁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦୀର୍ଘବର୍ଷର ଦାବିକୁ ବିଜେଡି ପୁଣି ସଂସଦରେ ଦୋହରାଇବ ବୋଲି ସସ୍ମିତ କହିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗମ୍ଭୀରତାର ସହ ଉଠାଇବାକୁ ପରାମର୍ଶ ଦେଇଛନ୍ତି ବୋଲି ସସ୍ମିତ କହିଛନ୍ତି ।
ସୂଚନାଯୋଗ୍ୟ ୨୮ରୁ ସଂସଦର ବଜେଟ ଅଧିବେଶନ ବସିବ । ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ । ଗୃହକୁ ସୁରୁଖୁରୁରେ ଚଳାଇବାକୁ ସରକାର ଆଜି ସର୍ବଦଳୀୟ ବୈଠକ ଡାକଥିଲେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ଓ ବିରୋଧୀ ଦଳ ଯୋଜନା କରିଥିବା ସୂଚନା ମିଳିଛି । ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର । ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି ।