ହାଇଦ୍ରାବାଦ: ତେଲଙ୍ଗାନା ବିଜେପିକୁ ଶକ୍ତ ଝଟକା। ଗୋଶାମହାଲ ବିଧାୟକ ତଥା ବିଜେପିର ତେଲେଙ୍ଗାନାର ପ୍ରମୁଖ ଦାବିଦାର ଟି. ରାଜା ସିଂହ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ତେଲଙ୍ଗାନା ବିଜେପି ୟୁନିଟିରେ ଚାଲିଥିବା ନେତୃତ୍ୱ ବିବାଦ ମଧ୍ୟରେ ଆସିଛି। ରାଜା ସିଂହ ତାଙ୍କ ଇସ୍ତଫା ପତ୍ରରେ ରାମଚନ୍ଦ୍ର ରାଓଙ୍କୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ନିଷ୍ପତ୍ତି ତାଙ୍କ ପାଇଁ ନିରାଶାଜନକ ବୋଲି ଉଲ୍ଲେଖ କରିଛନ୍ତି। ଏହା କେବଳ ତାଙ୍କୁ ନୁହେଁ ବରଂ ଦଳର ଲକ୍ଷ ଲକ୍ଷ କର୍ମୀ, ନେତା ଏବଂ ଭୋଟରଙ୍କୁ ମଧ୍ୟ ନିରାଶ କରିଛି। ଯେଉଁମାନେ ଦଳ ସହିତ ସମସ୍ତ ସ୍ଥିତିରେ ଏକାଠି ରହିଥିଲେ ବୋଲି ସେ କହିଛନ୍ତି।
ରାଜା ସିଂହ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ, କିଛି ବ୍ୟକ୍ତିଗତ ସ୍ୱାର୍ଥପର ବ୍ୟକ୍ତି ନେତୃତ୍ୱକୁ ଭ୍ରମିତ କରି ପରଦା ପଛରୁ ନିଷ୍ପତ୍ତି ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ବ୍ୟକ୍ତିଗତ ଉଚ୍ଚାକାଂକ୍ଷାର ପ୍ରଶ୍ନ ନୁହେଁ, ଏହା ଲକ୍ଷ ଲକ୍ଷ ବିଜେପି କର୍ମୀ ଏବଂ ସମର୍ଥକଙ୍କ ଦୁଃଖ ଓ ନିରାଶାର ପ୍ରତିଫଳନ।” ତେଲଙ୍ଗାନାରେ ବିଜେପି ସରକାର ଗଠନର ସୁଯୋଗ ଥାଇ ମଧ୍ୟ, ଭୁଲ ନେତୃତ୍ୱ ଚୟନ ଦଳକୁ ପଛକୁ ନେଇପାରେ ବୋଲି ସେ ସତର୍କ କରିଛନ୍ତି।
ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜା ସିଂହ କହିଛନ୍ତି ଯେ, ଦଳରୁ ଅଲଗା ହେଉଥିଲେ ମଧ୍ୟ, ସେ ହିନ୍ଦୁତ୍ୱ ଆଦର୍ଶ ଏବଂ ଗୋଶାମହାଲର ଜନତାଙ୍କ ସେବା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିବେ। ସେ କହିଛନ୍ତି, “ମୁଁ ହିନ୍ଦୁ ସମାଜ ସହିତ ଆହୁରି ଦୃଢ଼ତାର ସହ ଠିଆ ହେବି ଏବଂ ମୋର ସ୍ୱର ଉଠାଇବା ଜାରି ରଖିବି।” ଏହି କଠିନ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା ଏବଂ ଅନେକଙ୍କ ନୀରବତାକୁ ସମ୍ମତି ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ରାଜା ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ଜେନେରାଲ ସେକ୍ରେଟାରୀ ବିଏଲ ସନ୍ତୋଷଙ୍କୁ ତେଲଙ୍ଗାନାରେ ନେତୃତ୍ୱ ପରିସ୍ଥିତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ତେଲଙ୍ଗାନା ଜିତିବାକୁ ବିଜେପି ପୁରା ପ୍ରସ୍ତୁତ ଅଛି, କିନ୍ତୁ ଏହି ସୁଯୋଗକୁ ସମ୍ମାନ ଦେବା ଏବଂ ଏହାକୁ ନଷ୍ଟ ନକରିବା ପାଇଁ ସଠିକ୍ ନେତୃତ୍ୱ ଚୟନ କରାଯିବାର ଆବଶ୍ୟକତା ରହିଛି।”
ତେବେ ଆପଣଙ୍କୁ ଜଣାଇ ରଖୁ ଯେ ରାଜା ସିଂହ ଅତୀତରେ ଅନେକ ବିବାଦୀୟ ବୟାନ ଦେଇ ଖବରରେ ରହିଛନ୍ତି। ଗତ ୨୦୨୨ ମସିହାରେ, ପ୍ରଥମ ଥର ପାଇଁ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଅନୁଚିତ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପି ତାଙ୍କୁ ନିଲମ୍ବନ କରିଥିଲା ଏବଂ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଚଳିତବର୍ଷ ଏପ୍ରିଲ ମାସରରେ, ରାମ ନବମୀ ଶୋଭାଯାତ୍ରା ସମୟରେ ମଧ୍ୟ ସେ ଅଶୋଭନୀୟ ଭାଷା ବ୍ୟବହାର ଏବଂ ପୋଲିସଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।
ତେବେ ସବୁ ପରେ ରାଜା ସିଂହ ଇସ୍ତାଫା ପ୍ରଦାନ କରିବା ପରେ ଆଗାମୀ ତେଲେଙ୍ଗାନା ନିର୍ବାଚନରେ ବିଜେପି ଉପରେ ଗଭୀର ପ୍ରଭାବ ପଡିବ ବୋଲି ରାଜନୀତିଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ହେଲେ ବହୁ ଜଲଦି କେନ୍ଦ୍ରୀୟ ନେତୃତ୍ୱ ଏହା ଉପରେ କିଛି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଅନୁମାନ କରାଯାଉଛି।