ଲକ୍ଷ୍ନୌ: ମହାକୁମ୍ଭ ଆୟୋଜନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶର ମୈନପୁରୀ ସାଂସଦ ଡିମ୍ପଲ ଯାଦବ । ମହାକୁମ୍ଭରେ ‘ବଟେଙ୍ଗେ ତୋ କଟେଙ୍ଗେ’ ପୋଷ୍ଟର ଲଗାଯିବାକୁ ନେଇ ବିଜେପକୁ ଟାର୍ଗେଟ କରି ଡିମ୍ପଲ ଯାଦବ କହିଛନ୍ତି, ବିଜେପି ଧର୍ମ ନାଁରେ ରାଜନୀତି କରୁଛି । ଉତ୍ତର ପ୍ରଦେଶରେ କଣ ହେଉଛି ସେଥିପ୍ରତି ବିଜେପିର ନିଘା ନାହିଁ । ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି ଯେ, ‘ଉତ୍ତର ପ୍ରଦେଶର ଯୁବକମାନଙ୍କ ପାଖରେ କଣ ରୋଜଗାର ରହିଛି ? ରାଜ୍ୟର ଝିଅମାନେ ସୁରକ୍ଷିତ ଅଛନ୍ତି କି ? ରାଜ୍ୟର କୃଷକ ଏବଂ ଯୁବପିଢ଼ି ଦୁଆର ଦୁଆର ବୁଲିବାକୁ ବାଧ୍ୟ ହେଉଛନ୍ତି ।’
ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟର ଲୋକମାନଙ୍କୁ ବୁଝିଯିବା ଦରକାର ବିଜେପି ସରକାର ଏବେ ସେମାନଙ୍କ ପାଇଁ କିଛି କରିପାରିବ ନାହିଁ । କେବଳ ଭୋଟ ବାଣ୍ଟିବା ଲାଗି ବିଜେପି ରାଜନୀତି କରୁଛି । ମହାକୁମ୍ଭର ପ୍ରସ୍ତୁତିକୁ ନେଇ ସାଂସଦ ଆହୁରି କହିଛନ୍ତି, ମହାକୁମ୍ଭ ମେଳାର ଆୟୋଜନ ସଠିକ ଢ଼ଙ୍ଗରେ ହୋଇନାହିଁ । ଲୋକେ ଚର୍ଚ୍ଚା କରୁଥିଲେ ବିଜେପି ମହକୁମ୍ଭର ଭଲ ଆୟୋଜନ କରିବ କିନ୍ତୁ ସେମିତି କିଛି ହୋଇନାହିଁ । ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବା ବେଳେ କୁମ୍ଭମେଳା ଆୟୋଜନ ଦେଖି ଲୋକେ ତାଜୁବ ହୋଇଥିଲେ ବୋଲି ଡିମ୍ପଲ ଯାଦବ କହିଛନ୍ତି ।
ସେପଟେ ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତି ପ୍ରସଙ୍ଗରେ ଡିମ୍ପଲ ଯାଦବ କହିଛନ୍ତି ଯେ, ସେମାନେ ସବୁ ନିୟମ ଭାଙ୍ଗି ଥାନାରେ ପହଞ୍ଚିଲେ । ଏହା ସଂସଦୀୟ ନିୟମାବଳୀର ଉଲ୍ଲଂଘନ । ସଂସଦରେ ଯେଉଁ ଭଳି ଆଚରଣ କରାଯାଉଛି ସେଥିପାଇଁ ବିଜେପି ଦାୟୀ ।