ଭୁବନେଶ୍ୱର ୦୮/୦୭: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ମାମଲାରେ ସେସନ୍ସ କୋର୍ଟରେ ଖାରବେଳନଗର ଥାନା ପୁଲିସ କେସ୍‌ ଡାଏରୀ (ସିଡି)  ଦାଖଲ କରିଛି । ମାମଲାର ପ୍ରାଥମିକ ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ସହିତ ଏହି ସିଡିରେ ୧୦ରୁ ଅଧିକଙ୍କୁ ସାକ୍ଷୀ  ରଖାଯାଇଛି । ଆସନ୍ତା ୯ ତାରିଖରେ ଜାମିନ୍‌  ଆବେଦନ ଶୁଣାଣି ହେବ । ଅଭିଯୁକ୍ତ ଜଗା ବର୍ତ୍ତମାନ ବିଚରାଧୀନ କଏଦୀ  ଭାବେ ଝାରପଡ଼ା ସ୍ୱତନ୍ତ୍ର କାରାଗାରର  ୱାର୍ଡ ନଂ ୨୯ରେ ରହୁଛନ୍ତି । ସ୍ଥାନୀୟ  ଏସ୍‌ଡିଜେଏମ୍‌ ତାଙ୍କ ଜାମିନ୍‌ ଆବେଦନକୁ  ନାମଞ୍ଜୁର କରିବା ପରେ ଜାମିନ୍‌ ପାଇଁ  ସେ ଜିଲ୍ଲା ଦୌରାଜଜ୍‌ ଅଦାଲତଙ୍କ ଦ୍ୱାରସ୍ଥ  ହୋଇଛନ୍ତି । 

ତାଙ୍କ ମାମଲା ଲଢ଼ୁଥିବା ଓକିଲ  ତଥା ବରିଷ୍ଠ ଆଇନ୍‌ଜୀବୀ ଚିତ୍ତରଞ୍ଜନ  ଦାଶଙ୍କ କହିବା ମୁତାବକ, ଗତ  ଶୁକ୍ରବାର ସେସନ୍ସ କୋର୍ଟରେ ମୁଦଲାଙ୍କ  ଜାମିନ୍‌ ଆବେଦନ କରାଯାଇଥିଲା । ମଙ୍ଗଳବାର ସୁଦ୍ଧା ସିଡି ଦାଖଲ କରିବାକୁ  ଖାରବେଳନଗର ଥାନା ଅଧିକାରୀଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ଅଦାଲତରେ ନଥି ଉପସ୍ଥାପନ ପରେ  ୯ରେ ଜାମିନ୍‌ ଶୁଣାଣି ହେବ । ସମାନ  ମାମଲାରେ ପୁଲିସ ପୂର୍ବରୁ ୨୯ ନଂ ୱାର୍ଡ  କର୍ପୋରେଟର ଅପରୂପ ନାରାୟଣ ରାଉତ,  ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,  ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଗିରଫ  କରିଥିଲା । ଆସନ୍ତା ୧୫ ତାରିଖରେ ଜିଲ୍ଲା  ଦୌରାଜଜ୍‌ ଅଦାଲତରେ ସେମାନଙ୍କ  ଜାମିନ୍‌ ଶୁଣାଣି ହେବ।