ଭୁବନେଶ୍ୱର,୩୧/୧୨: ମୁଣ୍ଡରେ ଆଘାତ ପାଇଁ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ସୋମବାର ଭୁବନେଶ୍ୱର ଫେରିଛନ୍ତି । ଜାନୁଆରୀ ମାସରେ ବିଜେପିର ରାଜ୍ୟ ସଭାପତି ବଦଳିବେ ଓ ନୂଆ ସଭାପତି ଦାୟିତ୍ୱ ନେବେ ବୋଲି ସେ ସୂଚନା ଦେଇଛନ୍ତି ।
ବିଜେପିର ସାଂଗଠନିକ ନିର୍ବାଚନ ଅଧିକାରୀ ଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଜାନୁୟାରୀ ମାସ ସୁଦ୍ଧା ସଂଗଠନର କଳେବର ବଦଳିବ । ନୂଆ ଟିମ୍ ଗଠନ ହେବ । ଏବକାର ଟିମ୍ରେ ଥିବା କିଛି ଲୋକ ବି ନୂଆ ଟିମ୍ରେ ରହିବେ । ବୁଥ୍ ଓ ମଣ୍ଡଳ ସ୍ତରରୁ ନେଇ ରାଜ୍ୟସ୍ତର ଯାଏ ସଂଗଠନର ରୂପ ବଦଳିବ । ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ନିର୍ବାଚନ ଲଢ଼ିବ । ଏବେ ମଣ୍ଡଳ ସଭାପତି ନିର୍ବାଚନ ପ୍ରକ୍ରିୟା ଚାଲିଛି । ଆଗକୁ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଚୟନ ହେବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।