ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀରେ ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ନିର୍ବାଚନ କମିଶନଙ୍କୁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆର୍ଥିକ ରିପୋର୍ଟ ଦିଆଯାଇଥିଲା। ଏଥିରେ ଦେଶର ପ୍ରମୁଖ ଦଳର ଆର୍ଥିକ ସ୍ଥିତିକୁ ନେଇ ବଡ଼ ବ୍ୟବଧାନ ସାମନାକୁ ଆସିଛି। ଏହି ଖୁଲାସା ଅନୁସାରେ, କେନ୍ଦ୍ର ଓ ଏବେ ଦିଲ୍ଲୀର କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି)ପାଖରେ ୬,୯୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଜମା ରାଶି ରହିଛି। ସେଭଳି ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦୀ ଓ ଦେଶର ସବୁଠାରୁ ପରୁଣା ପାର୍ଟି କଂଗ୍ରେସ ପାଖରେ ପାର୍ଟି ମୁଖ୍ୟାଳୟରୁ ନେଇ ରାଜ୍ୟ ଓ ଜିଲ୍ଲା ୟୁନିଟକୁ ମିଶାଇ ମାତ୍ର ୫୩ କୋଟି ଟଙ୍କା ରହିଛି।

ଟାଇମ୍ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସବୁଠାରୁ ମଜାଦାର କଥା ହେଲା କ୍ଷମତା ନଥାଇ ଓ ସୀମିତ ନିର୍ବାଚନୀ ଉପସ୍ଥିତି ପରେ ବି ବହୁଜନ ସମାଜ ପାର୍ଟି(ବିଏସପିର)ର ଖାତାରେ ୫୮୦ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଛି। ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, ନିର୍ବାଚନୀ ପ୍ରଦର୍ଶନ ଓ ପାର୍ଟିର ଆର୍ଥିକ ସ୍ଥିତି ଭିତରେ ସିଧା ସଳଖ ସମ୍ପର୍କ ସବୁବେଳେ ରହିନଥାଏ।

ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ବିବରଣୀ ଅନୁସାରେ:

-ଆମ୍ ଆଦମୀ ପାର୍ଟିର କେନ୍ଦ୍ରୀୟ ୟୁନିଟ୍ ପାଖରେ ୯.୯ କୋଟି ଟଙ୍କା ରହିଛି।

- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)(ସିପିଏମ୍) ପାଖରେ ୪ କୋଟି ଟଙ୍କା।

- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ପାଖରେ ମାତ୍ର ୪୧ ଲକ୍ଷ ଟଙ୍କା।

- ବିଏସ୍‌ପି ଖାତାରେ ୫୮୦କୋଟି ଟଙ୍କା ରେକର୍ଡ କରାଯାଇଛି।

କଂଗ୍ରେସକୁ ୨୦୨୪-୨୫ରେ ୫୧୭ କୋଟି ଟଙ୍କାର ଚାନ୍ଦା

୨୪ ଅକ୍ଟୋବରରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ଯୋଗଦାନ ବିବରଣୀ (କଣ୍ଟ୍ରିବ୍ୟୁସନ୍ ଷ୍ଟେଟମେଣ୍ଟ) ରେ କଂଗ୍ରେସ କହିଛି ତାକୁ ଆର୍ଥିକ ବର୍ଷ ୨୦୨୪-୨୫ ବେଳେ ୫୧୭ କୋଟି ଟଙ୍କାର ଚାନ୍ଦା ମିଳିଥିଲା। ଏହା ସେହି ରାଶି, ଯାହା ୨୦,୦୦୦ଟଙ୍କାରୁ ଅଧିକ ବ୍ୟକ୍ତିଗତ ଦାନ ରୂପରେ ମିଳୁଛି ଓ ଏହାକୁ ଆଇନ ଅନୁସାରେ,ସାର୍ବଜନୀନ ରୂପରେ ଘୋଷିତ କରିବା ବାଧ୍ୟତାମୂଳକ। ନିୟମ ଅନୁସାରେ, ରାଜନୈତିକ ଦଳ ୨୦ ହଜାର ଟଙ୍କାରୁ କମ୍ ଦାନ ଦେଉଥିବା ବିବରଣୀ ସାର୍ବଜନୀନ କରିନାହିଁ। ସେଭଳି ମୋଟ ସଂଗ୍ରହର ଏକ ବଡ଼ ଅଂଶ ଏହି ଛୋଟ ଛୋଟ ଦାନ ଦ୍ବାରା ଆସିଥାଏ। ରାଜନୈତିକ ଦଳର ଫଣ୍ଡ ସଂଗ୍ରହର ମୁଖ୍ୟ ସ୍ରୋତରେ ବ୍ୟକ୍ତିଗତ ଦାନଦାତା, କର୍ପୋରେଟ୍ ସଂସ୍ଥାନ ଓ ବିଭିନ୍ନ ଟ୍ରଷ୍ଟ ରହିଛି।