ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଆଗତ ହୋଇଛି । ହେଲେ ଏହି ସମୟରେ ବିଜେପିର ୨୦ରୁ ଅଧିକ ସାଂସଦ ଗୃହରେ ଅନୁପସ୍ଥିତ ଥିଲେ । ହ୍ବିପ୍‌ ଜାରି କରାଯିବା ସତ୍ତ୍ବେ ସାଂସଦମାନେ କାହିଁକି ଲୋକସଭାରେ ଉପସ୍ଥିତ ହୋଇନଥିଲେ ସେଥିପାଇଁ ୨୦ ଜଣଙ୍କୁ ଦଳ ପକ୍ଷରୁ ନୋଟିସ୍‌ କରାଯିବ । ସୋମବାର ବିଜେପି ପକ୍ଷରୁ ୩ ଧାଡ଼ିର ଏକ ହ୍ବିପ୍‌ ଜାରି କରି ସବୁ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦିଓ ସାଂସଦଙ୍କ ଅନୁପସ୍ଥିତି ବିଲ୍‌ ପାଇଁ କୌଣସି ଅସୁବିଧା କରିବ ନାହିଁ ତଥାପି କଂଗ୍ରେସକୁ ଝଟକା ଦେବା ଲାଗି ଏହା ଜରୁରି ଥିଲା । କାରଣ, ବିଲ୍‌ ପାସ୍‌ କରାଇବା ଲାଗି ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମର୍ଥନ ନଥିବା ନେଇ କଂଗ୍ରେସ ଦାବି କରିଆସିଛି । 

ଆଜି ଲୋକସଭାରେ ବିଲ୍‌ ସପକ୍ଷରେ ୨୬୯ ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିଛି । ସେପଟେ କଂଗ୍ରେସ ଦାବି କରିଛି ଯେ, ସମ୍ବିଧାନ ସଂଶୋଧନ ଲାଗି ଦୁଇ ତୃତୀୟାଂଶ ଭୋଟ୍‌ର ଆବଶ୍ୟକତା ରହିଛି । ଯାହା ବିଜେପି ପାଖରେ ନାହିଁ ବୋଲି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି । ଲୋକସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କ ଦ୍ବାରା ସମ୍ବିଧାନ (୧୨୯ ସଂଶୋଧନ) ବିଲ୍‌  ଆଗତ ହୋଇଛି । 

ସେପଟେ ବିଲ୍ ପାରିତ ଲାଗି ଦୁଇ ତୃତୀୟାଂଶ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ସରକାର ଏହାକୁ ଜେପିସି ନିକଟକୁ ପଠାଇବାକୁ ଯୋଜନା କରିଛନ୍ତି । ବିଜେପି ସରକାରଙ୍କ ଏକ ଦେଶ, ଏକ ନିର୍ବାଚନ ବିଧେୟକକୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି ।  ବିଲ୍‌ ଆଗତ ସମୟରେ ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ, ଏହି ବିଧେୟକ ନିର୍ବଚନୀ ପ୍ରକ୍ରିୟାକୁ ସରଳ କରିବା ଲାଗି ଆସିଛି । ଏହା ଦ୍ବାରା ସମ୍ବିଧାନର ପ୍ରାଥମିକ ଢ଼ାଞ୍ଚାରେ କୌଣସି ପରିବତ୍ତନ ହେବ ନାହିଁ ।