ଭୁବନେଶ୍ୱର,୧୯/୦୩: ରାଜ୍ୟସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ସଂଗଠନକୁ ବଳୁଆ ପାଇଁ କସରତ ଆରମ୍ଭ କରିଛି । ଦଳର ଏକାଧିକ ଛାମୁଆ ସଂଗଠନର ନବକଳେବର ହୋଇଛି । ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଟିମ୍ ଗଢ଼ାଯାଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଦଳ ଏବେ ଠାରୁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ପାଇଁ ରଣନୀତି କରିଛି ।

ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମିଡିଆ ସଂଯୋଜକ, ଆଇଟି ସଂଯୋଜକ, ସାମାଜିକ ଗଣମାଧ୍ୟମ ସଂଯାଜକ, ଏବଂ ସାମାଜିକ ଗଣମାଧ୍ୟମ ସହ ସଂଯାଜକ ନାମ ତାଲିକା ଘୋଷଣା ହୋଇଛି । ୭ ଉପସଭାପତି, ୩ ସାଧାରଣ ସମ୍ପାଦକ, ୮ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ସହ କୋଷାଧ୍ୟକ୍ଷ, ଜଣେ କାର୍ଯ୍ୟାଳୟ ସମ୍ପାଦକ, ଜଣେ ସେଲ ଇନଚାର୍ଜ, ତିନି ଜଣ ମିଡିଆ ସଂଯୋଜକ, ୨ଜଣ ଆଇଟି ସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସଂଯୋଜକ ଓ ୪ଜଣ ସାମାଜିକ ଗଣମାଧ୍ୟମ ସହ ସଂଯୋଜକଙ୍କ ନାଁ ଘୋଷଣା ହୋଇଛି । ୧୯ ବିଭିନ୍ନ ବିଭାଗ(ସେଲ୍) ଦାୟିତ୍ୱରେ ଭିନ୍ନ ଭିନ୍ନ ରାଜ୍ୟ ସଂଯୋଜକଙ୍କୁ ଦାୟିତ୍ୱ ଦିଆଯାଇଛି । ୨୩ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ୨୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ୨୬ ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତ କରାଯାଇଛି ।

ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ନୂଆ ଟିମ୍ କାମ କରିବ । ଆଶୁତୋଷ ସାହୁ, ଟୁଟୁନ ପାତ୍ର, ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, କବିତା କହଁର, ଉମେଶ ଖୋସ୍ଲା ଓ ଆଲୋକ ମହନ୍ତଙ୍କୁ ଯୁବମୋର୍ଚ୍ଚାର ନୂଆ ଉପସଭାପତି ଦାୟିତ୍ୱ ଦିଆଯାଇଛି । ମାନସ ସାହୁ, ରତନ ବଣିକ ଓ ଶକ୍ତିରଞ୍ଜନ ଶତପଥୀ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ମହିଳା ମୋର୍ଚ୍ଚାର ସଭାପତି ଐଶର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ନୂଆ ଟିମ୍ ଗଢ଼ାଯାଇଛି । ୫ ଉପସଭାନେତ୍ରୀ, ୨ ସାଧାରଣ ସମ୍ପାଦିକା, ୮ ସମ୍ପାଦିକା, ଜଣେ କୋଷାଧ୍ୟକ୍ଷ, ଜଣେ ସହ କୋଷାଧ୍ୟକ୍ଷ, ୨ଜଣ ମିଡିଆ ସଂଯୋଜିକା ଓ ୨ଜଣ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ନାଁ ଘୋଷଣା ହୋଇଛି । ୧୧ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ମଧ୍ୟ ଘୋଷଣା କରାଯାଇଛି । ବିଧାୟିକା ସଞ୍ଜଳି ମୁର୍ମୁ, ସାବିତ୍ରୀ ରାଉତ, ମୀନା ସରାଫ୍, ଶର୍ମିଷ୍ଠା ଦେଓ ଏବଂ ଅନୁଜ ନନ୍ଦ ବିଶ୍ୱାଳ ମହିଳା ମୋର୍ଚ୍ଚାର ଉପସଭାପତି ନିଯୁକ୍ତ ହୋଇଛନ୍ତି । ଲତିକା ପଟ୍ଟନାୟକ ଓ ପ୍ରବୀଣା ଭଞ୍ଜଦେଓଙ୍କୁ ସାଧାରଣ ସମ୍ପାଦିକା ନିଯୁକ୍ତ ହୋଇଛନ୍ତି ।

ସେହିପରି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଆଜି ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ୮ ଜଣ ଉପସଭାପତି, ୩ ସାଧାରଣ ସଂପାଦକ, ୮ ସଂପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ମଡିଆ ସଂଯୋଜକ, ଜଣେ ମିଡିଆ ସହସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସହ-ସଂଯୋଜକ ଏବଂ ଜଣେ କାର୍ଯ୍ୟାଳୟ ସଂପାଦକଙ୍କ ନାମ ଘୋଷଣା କରାଯାଇଛି।