ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ପ୍ରଚଣ୍ଡ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ବିଜେପିର ବିଜୟକୁ ବିକାଶ ଏବଂ ସୁଶାସନର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମାନବଶକ୍ତି ସର୍ବୋଚ୍ଚ । ଏହା ବିକାଶ ଏବଂ ସୁଶାସନର ବିଜୟ । ଦିଲ୍ଲୀର ସମସ୍ତ ଭାଇଭଉଣୀମାନଙ୍କୁ ଐତିହାସିକ ବିଜୟ ଦେବା ପାଇଁ ମୋର ପ୍ରଣାମ ଏବଂ ଅଭିନନ୍ଦନ। ଆପଣମାନେ ମୋତେ ଯେଉଁ ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । 

ପିଏମ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ କାର୍ଯ୍ୟ ଜାରି ରଖିବ । ମୁଁ ପ୍ରତ୍ୟେକ ବିଜେପି କର୍ମୀଙ୍କ ପାଇଁ ଗର୍ବିତ, ଯେଉଁମାନେ ବହୁତ କଠିନ ପରିଶ୍ରମ କରି ଦଳକୁ ବିଜୟୀ କରାଇଛନ୍ତି । 

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ‘ଆମେ ଆହୁରି ଉତ୍ସାହର ସହିତ କାମ କରିବୁ ଏବଂ ଦିଲ୍ଲୀର ଲୋକଙ୍କ ସେବା କରିବୁ । ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଲାଗି କୌଣସି ଅବହେଳା କରାଯିବ ନାହିଁ । ଏହା ଆମର ଗ୍ୟାରେଣ୍ଟି। ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ମୋର ସମସ୍ତ ବିଜେପି କର୍ମୀଙ୍କ ପାଇଁ ବହୁତ ଗର୍ବିତ ଯେଉଁମାନେ ଏହି ବିପୁଳ ଜନାଦେଶ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଏବେ ଆମେ ଆମର ଦିଲ୍ଲୀବାସୀଙ୍କୁ ଆହୁରି ଦୃଢ଼ ଭାବରେ ସେବା କରିବା ପାଇଁ ଉତ୍ସର୍ଗୀକୃତ ରହିବୁ।’




ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି) ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ଯାଉଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଶୋଚନୀୟ ପରାଜୟ ଭୋଗିଛି । ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପରାଜୟ ସ୍ୱୀକାର କରିଛନ୍ତି । କେଜ୍ରିଓ୍ବାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ତାଙ୍କୁ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ପାଖରୁ ପରାସ୍ତ ହେବାକୁ ପଡ଼ିଛି ।  ସେପଟେ ମନୀଷ ସିସୋଦିଆ ମଧ୍ୟ ପରାସ୍ତ ହୋଇଛନ୍ତି । ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସମେତ ଆପ୍‌ର ଆହୁରି ଅନେକ ପ୍ରମୁଖ ନେତା ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ବିଜେପ ୪୮ ଆସନରେ ବିଜୟୀ ହୋଇଥିବା ବେଳେ ଆପ୍‌ ଖାତାକୁ ଯାଇଛି କେବଳ ୨୨ ଆସନ ।