କଟକ,୦୮/୦୩: ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଓକିଲମାନଙ୍କ ପାଇଁ କଳାକୋଟ୍‌ ପିନ୍ଧିବା  ବାଧ୍ୟତାମୂଳକ କରାଯାଇନାହିଁ । ଗରମକୁ ଦୃଷ୍ଟିରେ ରଖି ଆଇନଜୀବୀମାନେ ଇଚ୍ଛାକଲେ ଆଡ୍‌ଭୋକେଟ୍‌ ଗାଉନ୍‌ ଏବଂ କଳାକୋଟ୍‌ ପିନ୍ଧିପାରିବେ ନହେଲେ ସେମାନେ କେବଳ ଧଳା ସାର୍ଟ, କଳା କିମ୍ବା ଧଳା ଗାର ଯୁକ୍ତ ତଥା ଧୁସର  ରଙ୍ଗର ପ୍ୟାଣ୍ଟ ପିନ୍ଧିପାରିବେ । ଆସନ୍ତା ଏପ୍ରିଲ ୬ରୁ ଏହି ବ୍ୟବସ୍ଥା ଜୁନ୍‌ ଶେଷ  ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ  ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି । ହାଇକୋର୍ଟରେ ଆଇନଜୀବୀମାନେ  କିନ୍ତୁ ଅଦାଲତରେ ପୂର୍ବପରି କଳାକୋଟ୍‌ ଏବଂ ଗାଉନ୍‌ ପିନ୍ଧିବେ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ  ଗ୍ରହଣ କରାଯାଇଛି ବୋଲି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସୂଚନା ଦେଇଛନ୍ତି । 

ଶ୍ରୀ ଦ୍ୱିବେଦୀ କହିଛନ୍ତି, ଇଂରେଜ ଅମଳରୁ କଳା କୋଟ୍‌ ଏବଂ  ଗାଉନ୍‌ ପିନ୍ଧିବା ଆଇନଜୀବୀମାନଙ୍କ ଏକ ପରିଚୟ ପାଲଟିଛି । କିନ୍ତୁ ଦିନକୁ  ଦିନ ଅସହ୍ୟ ଗରମ ହେଉଥିବାରୁ ଖରାଦିନେ ଆଇନଜୀବୀଙ୍କ ପାଇଁ ଏହା ବଡ଼  ସମସ୍ୟା ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଆଇନଜୀବୀ ପରିଷଦ  ପ୍ରତ୍ୟେକ ରାଜ୍ୟର ଆଇନଜୀବୀ ପରିଷଦକୁ ଏକ ଚିଠି ଲେଖି ଗ୍ରୀଷ୍ମ ସମୟ  ମଧ୍ୟରେ ଆଇନଜୀବୀଙ୍କ ପାଇଁ କଳା କୋଟ୍‌, ଗାଉନ୍‌ ପିନ୍ଧିବା ବାଧ୍ୟତାମୂଳକ  ନକରିବାକୁ କହିଥିଲେ । ସେହି ଅନୁସାରେ ଆଜି ରାଜ୍ୟ ଆଇନଜୀବୀ ପରିଷଦ  ଏହି ପ୍ରସ୍ତାବ ପାରିତ କରିଛି । ଏଥିରେ ହାଇକୋର୍ଟକୁ ବାଦ୍‌ ଦିଆଯାଇଛି ।