କୋରାପୁଟ, ୧୯/୧୧ : ଉତ୍ତମ ଜଳବାୟୁ, ଗୁଣ ଓ ସୃଜନଶୀଳ କୃଷି ଅଭିଯାନ ପାଇଁ ବେଶ୍‌ ପରିଚିତ କୋରାପୁଟ ଜିଲ୍ଲା । କୃଷି ପ୍ରାଧାନ୍ୟ ଏହି ଜିଲ୍ଲାରେ ଚଳିତବର୍ଷ କୃଷି ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର୍‌ ଆଣ୍ଡ୍‌ ଟେକ୍ନୋଲୋଜି(ଓୟୁଏଟି) ପକ୍ଷରୁ ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଭାବେ କଳା ହଳଦୀ ଚାଷ ଆରମ୍ଭ କରାଯାଇଛି। ଏହା ଅତ୍ୟନ୍ତ ଦୁର୍ଲଭ ଓ ମୂଲ୍ୟବାନ। ଏଥିରେ ଭରି ରହିଛି ବହୁ ଔଷଧୀୟ ଗୁଣ। ଆର୍ଥିକ କ୍ଷେତ୍ରରେ ଏହା ଅତ୍ୟନ୍ତ ଲାଭଦାୟକ ।

ପ୍ରଥମକରି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍‌ ଏ-ମାଲକାନଗିରି ସଦର ପଞ୍ଚାୟତରେ ପରୀକ୍ଷାମୂଳକ ଭାବେ ଏହି ଚାଷ କରାଯାଇଛି । କୋରାପୁଟର ଶୀତ, ବର୍ଷା ଏବଂ ପାହାଡ଼ି ମୃତ୍ତିକା ସାଧାରଣ ହଳଦୀ ଚାଷ ପାଇଁ ଅତ୍ୟନ୍ତ ଭଲ । ପ୍ରତିବର୍ଷ ୩ ହଜାର ୩୦୦ ହେକ୍ଟର ଜମିରେ ସାଧାରଣ ହଳଦୀ ଚାଷ ହେଉଛି । ବିଶେଷ ଔଷଧୀୟ ଗୁଣ ଥିଲେ ବି ଆଗରୁ କେବେ ଜିଲ୍ଲାରେ କଳା ହଳଦୀ ଚାଷ ହୋଇନଥିଲା । ପ୍ରଥମ କରି ଏ-ମାଲକାନଗିରି ଅଞ୍ଚଳରେ ଏହି ଚାଷ କରାଯାଇଛି । ଓୟୁଏଟି ପକ୍ଷରୁ ୫୦ କେଜି ଉତ୍ତମମାନର ବିହନ ଆଇଟିଡିଏକୁ ଦିଆଯାଇଥିଲା । ଯାହାକୁ ପାଇଲଟ ପ୍ରକଳ୍ପ ଭାବେ ୨ ଚାଷୀଙ୍କୁ ବାଣ୍ଟି ଏହି ଚାଷ ଆରମ୍ଭ କରାଯାଇଛି । ଏହା ଆଣ୍ଟି ଅକ୍ସିଡାଣ୍ଟ୍‌, ଆଣ୍ଟି ମାଇକ୍ରୋବାୟଲ୍‌(ସଂକ୍ରମଣ ରୋକିବାରେ ସହାୟକ) । ପାଚନ ଶକ୍ତି ବୃଦ୍ଧିକାରକ, ଆସ୍ଥମା ବ୍ରୋଙ୍କାଇଟିସ୍‌ ପାଇଁ ମଧ୍ୟ ବହୁ ଉପକାରୀ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ । ଚର୍ମରେ ଉଜ୍ଜ୍ୱଳତା ବଢ଼ାଏ ଏବଂ ଯନ୍ତ୍ରଣା ନିବାରଣ କରେ । ସାଧାରଣ ହଳଦୀରେ ଯେଉଁ ଯୋଗବସ୍ତୁ କରକ୍ୟୁମିନ୍‌ ଥାଏ, କଳା ହଳଦୀରେ ତାହାର ଘନତା ମଧ୍ୟ ଅଧିକ । ଏହି କାରଣରୁ ଏହାକୁ କ୍ୟାନ୍‌ସର ବିରୋଧୀ ଭାବେ ବ୍ୟବହାର କରାଯାଉଛି । ଏହି ଚାଷ ଆର୍ଥିକ ଲାଭ ଦିଗରୁ ମଧ୍ୟ ଅତ୍ୟନ୍ତ ଉତ୍କୃଷ୍ଟ ।

ସାଧାରଣ ହଳଦୀ ବଜାରରେ କେଜି ୧୦୦ରୁ ୧୫୦ ଟଙ୍କା ରହିଛି । ଶୁଖିଲା କଳା ହଳଦୀ ଇ-ବଜାରରେ କେଜି ପିଚ୍ଛା ୧୨୦୦ରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି । କଳାହଳଦୀର ଦର ଅଧିକ ଥିବାରୁ ବହୁ ଫାର୍ମା କମ୍ପାନି କୋରାପୁଟ ଆସି ଚାଷୀଙ୍କ ସହ ଆଲୋଚନା କରି ଯାଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କଳା ହଳଦୀ କୋରାପୁଟ ଚାଷୀଙ୍କୁ ଅଧିକ ଆୟ ଓ ରୋଜଗାର ଯୋଗାଇବ । ଏଥର କେବଳ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ହାତକୁ ନିଆଯାଇଛି । ମାର୍ଚ୍ଚରେ ଉତ୍ପାଦନ ପରେ ବଜାର ଚାହିଦା, ଗୁଣ, ମାନ ଓ ଚାଷୀଙ୍କ ଲାଭ ଦେଖି ଆଗାମୀ ବର୍ଷରେ ବ୍ୟାପକ ଭାବେ ଏହି ଚାଷ କରାଯିବ ବୋଲି ବିଭାଗ ତରଫରୁ କୁହାଯାଇଛି । ବନ୍ଧନ ବିକାଶ ଯୋଜନାର ମହିଳା ଚାଷୀ ଲକ୍ଷ୍ମୀ ନାୟକ କହିଛନ୍ତି, ପ୍ରଥମଥର ପାଇଁ କଳା ହଳଦୀ ଚାଷ କରିଛନ୍ତି । ଆଇଟିଡିଏ ଓ କୃଷି ବିଭାଗ ପକ୍ଷରୁ ତାଙ୍କୁ ଯେଉଁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳିଛି, ସେଥିରେ ସେ ନିଶ୍ଚିତ ଭାବେ ଭଲ ଉତ୍ପାଦନ କରିବେ ବୋଲି ଆଶା ରଖିଛନ୍ତି । ସେହିପରି ଦଶମନ୍ତପୁର ବ୍ଲକର ଅନ୍ୟ ଜଣେ ଚାଷୀ ଅଚ୍ୟୁତ ନାୟକ କହିଛନ୍ତି, ଜୈବିକ ପଦ୍ଧତିରେ ଏହି ଚାଷ କରାଯାଇଛି । ଗତ ଜୁନ୍‌ରେ ସେ ବିହନ ଲଗାଇଥିଲେ । ଏବେ ଗଛ ମଧ୍ୟ ଭଲ ହୋଇଛି ।

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, କଳା ହଳଦୀରେ ପ୍ରଚୁର ଔଷଧୀୟ ଗୁଣ ରହିଛି । ଏହି କିସମର ଫସଲକୁ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି । ଚାଷ ଭଲ ହେଲେ ଆଗାମୀ ଦିନରେ ଅଧିକ ଚାଷୀଙ୍କୁ ଯୋଡ଼ି ଅଧିକରୁ ଅଧିକ ଜମିରେ କଳା ହଳଦୀ ଚାଷ କରାଯିବ । ଏହି ପ୍ରକଳ୍ପ ସଫଳ ହେଲେ, କୋରାପୁଟ ଜିଲ୍ଲା ରାଜ୍ୟର କଳା ହଳଦୀ ଉତ୍ପାଦନ କେନ୍ଦ୍ର ଭାବେ ପରିଚୟ ଲାଭ କରିବ । ଅଧିକ ଚାଷୀ ଏହି ଲାଭଦାୟକ ଚାଷରେ ଯୋଡ଼ି ଆର୍ଥିକ ଉନ୍ନତି କରିପାରିବେ । ଏଥିରେ ମହିଳା ଚାଷୀଙ୍କ ଆୟ ବଢ଼ିବ, ଫାର୍ମା ଓ ଆୟୁର୍ବେଦ କମ୍ପାନି ମଧ୍ୟରେ ନୂଆ ବଜାର ଖୋଲିବ । କୋରାପୁଟର ମାଟି ଓ ଚାଷୀଙ୍କ ପରିଶ୍ରମ ଏବେ ଏକ ନୂଆ ଭବିଷ୍ୟତ ଗଢ଼ୁଥିବା ଚିତ୍ର ସ୍ପଷ୍ଟ କରୁଛି । ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ କୋରାପୁଟ ନା କେବଳ ସାଧାରଣ ହଳଦୀରେ ବରଂ ଦେଶରେ ସବୁଠୁ ବେଶୀ ଆର୍ଥିକ ମୂଲ୍ୟବାନ କଳା ହଳଦୀ ଉତ୍ପାଦକ ଅଞ୍ଚଳ ଭାବେ ନୂଆ ପରିଚୟ ପାଇବ । ଏହି ନୂଆ କୃଷି ପରୀକ୍ଷା କୋରପୁଟର କୃଷି ମାନଚିତ୍ରକୁ ବଦଳାଇବାର ଶକ୍ତି ଯଦି ରଖେ, ତେବେ ଚାଷୀଙ୍କ ପାଇଁ ହେବ ଆର୍ଥିକ ବଳ ଓ ଜିଲ୍ଲା ପାଇଁ ହେବ ନୂଆ ପରିଚୟ ।