ଇସଲାମାବାଦ,୦୯/୧୧: ବିସ୍ଫୋରଣରେ ଥରିଲା ପାକିସ୍ତାନ । କେହି କିଛି ବୁଝିବା ଆଗରୁ ପାକିସ୍ତାନର ବାଲୁଚିସ୍ତାନରେ କ୍ବ୍ୟେଟା ରେଳ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି । ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ସମୟରେ ଷ୍ଟେସନରେ ପ୍ରବଳ ଭିଡ ଥିଲା । ଅଘଟଣରେ ୨୦  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟାନକ ଥିଲା ଯେ କିଛି ସମୟ ପାଇଁ ଉକ୍ତ ସ୍ଥାନ ଅନ୍ଧାର ହୋଇଯାଇଥିଲା । ଜୀବନ ବିକଳରେ ଲୋକ ଧାଁ ଦୌଡ କରିବାକୁ ଲାଗିଥିଲେ ।

ଦୁର୍ଘଟଣା ଖବର ପାଇ ତୁରନ୍ତ ପୋଲିସ ଓ ଉଦ୍ଧାକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଏହା ସହିତ ବୋମା ନିଷ୍କ୍ରିୟ ଟିମ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ତଦନ୍ତ କରିଛନ୍ତି । କ୍ବେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ ପଛରେ କାହାର ହାତ ଅଛି ଏହା ପଛରେ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।