ନୂଆଦିଲ୍ଲୀ: ରାସନ ସାମଗ୍ରୀ ଡେଲିଭରି କରୁଥିବା କ୍ବିକ୍‌ କମର୍ସ  ବ୍ଲିଙ୍କିଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । କଲ କରିବାର ମାତ୍ର ୧୦ ମିନିଟରେ ଘରେ ପହଞ୍ଚିବ ଆମ୍ବୁଲାନ୍ସ । ବ୍ଲିଙ୍କିଟ୍ ପ୍ରଥମେ ଗୁରୁଗ୍ରାମରୁ ସେବା ଆରମ୍ଭ କରିଛି। ଏନେଇ ଗୁରୁବାର(ଜାନୁଆରୀ ୨) ଏହାର ସିଇଓ ତଥା ସହ ସଂସ୍ଥାପକ ଅଲବିନ୍ଦର ଢିଣ୍ଡସା ସୂଚନା ଦେଇଛନ୍ତି। 

ଢିଣ୍ଡସା କହିଛନ୍ତି ‘୧୦ ମିନିଟରେ ଆମ୍ବୁଲାନ୍ସ | ଆମ ସହରରେ ଶୀଘ୍ର ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ଯୋଗାଇବା ସମସ୍ୟାର ସମାଧାନ ଦିଗରେ ଆମେ ଆମର ପ୍ରଥମ ପଦକ୍ଷେପ ନେଉଛୁ। ଆଜି ଠାରୁ ଗୁରୁଗ୍ରାମ ରାସ୍ତାରେ ପ୍ରଥମେ ୫ଟି ଆମ୍ବୁଲାନ୍ସ ଚାଲିବ।  ଆମେ ସେବାକୁ ଅଧିକ କ୍ଷେତ୍ରକୁ ବିସ୍ତାର କରିବୁ। ଆପଣ @ଲେଟବ୍ଲିଙ୍କିଟ୍ ଆପ୍ ମାଧ୍ୟମରେ ଆମର ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ବୁକ୍ କରିବାର ଏକ ବିକଳ୍ପ ପାଇପାରିବେ।’




ଢିଣ୍ଡସା ଆହୁର କହିଛନ୍ତି ଯେ, ବ୍ଲିଙ୍କିଟ୍‌ରେ ପ୍ରତ୍ୟେକ ଆମ୍ବୁଲାନ୍ସରେ  ଆବଶ୍ୟକୀୟ ଜୀବନ ରକ୍ଷାକରୀ ଉପକରଣ ଯଥା ଅକ୍ସିଜେନ ସିଲିଣ୍ଡର, ଅଟୋମେଟେଡ୍ ଏକ୍ସଟର୍ଣ୍ଣାଲ ଡିଫିବ୍ରିଲେଟର (AEDs), ଷ୍ଟ୍ରେଚର୍, ମନିଟର, ସକ୍ସିନ୍ ମେସିନ୍ ଏବଂ ଜରୁରୀକାଳୀନ ଔଷଧ ଆଦି ରହିଛି।  କେବଳ ସେତିକି ନୁହେଁ, ଏମର୍ଜେନ୍ସି ଚିକିତ୍ସା ପାଇଁ ଜଣେ ତାଲିମପ୍ରାପ୍ତ ପାରାମେଡିକ୍, ଜଣେ ସହକାରୀ ଏବଂ ଜଣେ ଯୋଗ୍ୟ ଡ୍ରାଇଭର କର୍ମଚାରୀ ନିଯୁକ୍ତ ଅଛନ୍ତି।

ବ୍ଲିଙ୍କିଟ୍‌ର ଆମ୍ବୁଲାନ୍ସ ସେବା ଲାଭ ପାଇଁ ନୁହେଁ ବରଂ ସେବା ମନୋବୃତ୍ତିରେ କରାଯାଇଛି। ଖୁବ୍ କମ୍ ଟଙ୍କାରେ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସହରରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି ଢିଣ୍ଡସା କହିଛନ୍ତି। ବ୍ଲିଙ୍କିଟ୍‌ରେ ଏଭଳି ଉଦ୍ୟମକୁ ଖୁବ ପ୍ରଶଂସା ମିଳିଛି। ପେଟିଏମ୍‌ ଫାଉଣ୍ଡର ବିଜୟ ଶେଖର ଶର୍ମା, ନଥିଂ ସିଇଓ କାର୍ଲ ପେଇ, ଜୋମାଟୋ ସିଇଓ ଦୀପେନ୍ଦ୍ର ଗୋୟଲ ବ୍ଲିଙ୍କିଟ୍ର ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।