କୋକସରା,୦୨/୦୬ : କୋକସରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା। ସହକାରୀ ଯନ୍ତ୍ରୀଙ୍କ ସମର୍ଥନରେ ସମୂହ ବ୍ଲକ କର୍ମଚାରୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କ କ୍ବାର୍ଟରରେ ଶନିବାର କୋକସରା ଗ୍ରାମର ସନ୍ତୋଷ ନାଏକ ଓ ତାର ୪ ଜଣ ସହଯୋଗୀ ଗାଳିଗୁଳଜ କରିଥିଲେ। ଏପରିକି କ୍ବାଟରରେ ଥିବା ଆସବାବପତ୍ର ଓ ସରକାରୀ କାଗଜପତ୍ର ଚିରିବା,ଫିଙ୍ଗିବା ପରେ ଛୁରୀ ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସହକାରୀ ଯନ୍ତ୍ରୀ ନିକଟରେ ଥିବା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କ କ୍ବାଟରକୁ ଜୀବନ ବିକଳରେ ଦୌଡ଼ି ପଳେଇ ଯାଇଥଲେ। ବିଡ଼ିଓ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା ପ୍ରତିରୋଧ କରିବାରୁ ଚାଲି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଅବଗତ ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବିଡ଼ିଓ କ୍ବାଟର ରେ ପହଞ୍ଚି ଘଟଣା ଉପରେ ଦୁଇ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପୁଣି ସନ୍ତୋଷ ନାଏକ ଓ ୪ ସହଯୋଗୀ ଯୁବକ ବଳପୂର୍ବକ ବିଡ଼ିଓ କ୍ୱାଟର ରେ ପଶି ପୁଣି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ତେବେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଓ କନିଷ୍ଠ ଯନ୍ତ୍ରୀ ପ୍ରତିରୋଧ କରିଵାରୁ ଗାଳିଗୁଲଜ କରି ବ୍ଲକ ପରିସରରେ ହୋହାଲ୍ଲା କରି ଚାଲି ଯାଇଥିଲେ ।
ସୋମବାର ଏନେଇ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନ , କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ର ଅନ୍ୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ଲକ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ବିଡ଼ିଓ ଙ୍କ ନେତୃତ୍ୱରେ ବ୍ଲକ ରୁ ଚାଲି ଚାଲି ଆସି କୋକସରା ପୁଲିସ ଥାନା ରେ ପହଞ୍ଚି ଆକ୍ରମଣ କରିଥିବା ସନ୍ତୋଷ ନାଏକ ଓ ୪ ସହଯୋଗୀ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ କୋକସରା ଆଇଆଇସି ସ୍ନିଗ୍ଧା ରାଣି ସୁନା ଙ୍କ ପ୍ରତିକ୍ରିୟା ନେବାରୁ ସହକାରୀ ଯନ୍ତ୍ରୀ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।