ଭୁବନେଶ୍ୱର,୧୨/୦୩: ରାଜଧାନୀରେ କମରସିଆଲ୍ ଗ୍ୟାସ୍ ଅଭାବକୁ ଦୃଷ୍ଟିରେ ରଖି ବିଏମ୍‌ସି ସାମୟିକ ନିୟମ କୋହଳ କରିଛି । ଘରୋଇ ଅନୁଷ୍ଠାନ, ହୋଟେଲ ଏଣିକି କାଠ ଏବଂ କୋଇଲା ଚୁଲାରେ ରୋଷେଇ କରିପାରିବେ । ଏନେଇ ପରିମଳ ବୈଠକରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ନିୟମିତ ପରିମଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ କମିଶନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବ ଉପସ୍ଥିତ ଥିଲେ । ସଂପ୍ରତି ଇରାନ-ଆମେରିକା ଯୁଦ୍ଧ ଘନଘଟା ଯୋଗୁ ରନ୍ଧନ ଗ୍ୟାସ୍ ଅଭାବ ଦେଖା ଦେଇଛି । ଏହାକୁ ନଜରରେ ରଖି ବିଏମ୍‌ସି କର୍ତ୍ତୃପକ୍ଷ, ହୋଟେଲ, ରେଷ୍ଟୁରାଣ୍ଟ ତଥା ଖାଦ୍ୟ ପ୍ରସ୍ତୁତକାରୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ସାମୟିକ ଭାବେ ବିକଳ୍ପ ଇନ୍ଧନ ବ୍ୟବହାର ଅନୁମତି ଦେଇଛନ୍ତି । ଆଜିର ବୈଠକରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଗୋଷ୍ଠୀ ସହଭାଗିତାକୁ କିପରି ଆହୁରି ଦୃଢ କରିହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପରିମଳ କାର୍ଯ୍ୟ ବିଭିନ୍ନ ୱର୍ଡରେ କିପରି ଚାଲିଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ପରିମଳ କାର୍ଯ୍ୟକୁ କିପରି ଆହୁରି ସରସ, ସୁନ୍ଦର କରିହେବ, ସେ ନେଇ କର୍ପୋରେଟରମାନେ ନିଜ ନିଜର ମତାମତ ଦେଇଥିଲେ । ପରିମଳ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ଗାଡି, ମାନବସମ୍ବଳ ଓ ଉପକରଣ ଯୋଗାଇ ଦେବାକୁ ମଧ୍ୟ ଉଭୟ ବିଏମ୍ସି ଓ ସଂପୃକ୍ତ ଏଜେନ୍ସିଙ୍କୁ ନିର୍ଦେଶ ଦିଆଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମର ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ।