ଭୁବନେଶ୍ୱର, ୧୯/୦୪: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏକାଧିକ ପ୍ରକଳ୍ପ ଉପରେ ମୋହର ବାଜିଛି । ବୈଠକ ଆରମ୍ଭରୁ କମିଶନର ଚଞ୍ଚଳ ରାଣା ସ୍ୱାଗତ ଅଭିଭାଷଣରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ ।
ଇସ୍କନ ଅତ୍ୟାଧୁନିକ ଡ୍ରେନେଜ
ବିଏମ୍ସି ଅଞ୍ଚଳରେ ଥିବା ବିଭିନ୍ନ ପ୍ରମୁଖ ଡ୍ରେନଗୁଡ଼ିକର କାମ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଖାସ୍ କରି ଇସ୍କନ ମନ୍ଦିର ନିକଟରେ ଅତ୍ୟାଧୁନିକ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଗୃହକୁ ଅବଗତ କରାଇଛନ୍ତି । ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଘରୋଇ ସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସେମାନେ ବର୍ଜ୍ୟରୁ ବାୟୋ ଗ୍ୟାସ୍ ଉତ୍ପାଦନ କରିବେ ।
ଚାପ ପରେ ବିନ୍ଦୁସାଗର ପୁଷ୍କରିଣୀରୁ ପଙ୍କୋଦ୍ଧାର
ଏହି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଟାକ୍ସ ଆଦାୟ ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗି, ୧୧୭ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶ୍ରୀ ରାଣା ଗୃହକୁ ଅବଗତ କରାଇଥିଲେ । ଏହି ଅବସରରେ ମେୟର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପ ପୁଷ୍କରିଣୀ ବିନ୍ଦୁ ସାଗରର ପଙ୍କୋଦ୍ଧାର କାର୍ଯ୍ୟ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ସମସ୍ତ କର୍ପୋରେଟର ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ତେବେ ଅକ୍ଷୟତୃତୀୟଠାରୁ ମହାପ୍ରଭୁଙ୍କର ଚାପ ରହିଥିବାରୁ ତା' ପରେ ପୂରା ପୁଷ୍କରିଣୀରୁ ଜଳ ନିଷ୍କାସନ କରାଯିବା ସହ ସେଥିରୁ ପଙ୍କୋଦ୍ଧାର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ :- ଆଜି ଶିଳାନ୍ୟାସ ହେବ ଦେଶର ପ୍ରଥମ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ୍, ଇନ୍ଫୋଭ୍ୟାଲିରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଏଣିକି ଟିଟିଏସ୍ରୁ ଆରଡିଏଫ୍ ଉଠାଇବ ଡାଲମିଆ ସିମେଣ୍ଟ କାରଖାନା । ଟେଣ୍ଡରରେ ଡାଲମିଆ ସବୁଠାରୁ କମ୍ ଦର ଧାର୍ଯ୍ୟ କରିଥିବାରୁ ତାକୁ ଚୟନ କରାଯାଇଛି । ଏହା ଫଳରେ ଟିଟିଏସ୍ରେ ଆଉ ବର୍ଜ୍ୟ ଜମା ହୋଇ ରହିବ ନାହିଁ । ଏହି ପ୍ରସ୍ତାବ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ କମିଶନର ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଜୋନାଲ କମିଶନର ଅଶନୀ ଏ ଏଲ୍ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର, ସଂଯୁକ୍ତ ବିଭାଗର ଅଧିକାରୀ, ବିଏମ୍ସିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।