ନୂଆଦିଲ୍ଲୀ, ୧୬/୦୧ : ବିଜେପିର ଭିକ୍ଟ୍ରି ରହିବ ହିଷ୍ଟ୍ରି। ମହାରାଷ୍ଟ୍ର ବିଏମସି ନିର୍ବାଚନରେ ବିଜେପିକୁ ପ୍ରଚଣ୍ଡ ବହୁମତ। ଚାଲିଛି ଭୋଟ୍ ଗଣତି। ଟ୍ରେଣ୍ଡ୍ ରେ ଆଗୁଆ ମହାୟୁତି। ଭାରତୀୟ ଜନତା ପାର୍ଟିର ହେବ ମହାରାଷ୍ଟ୍ରର ସବୁଠୁ ଧନୀ ଆସନ। ମୁମ୍ଵାଇ ଦଖଲ କରିବ ବିଜେପି। ଏବେ ସୁଦ୍ଧା ୨୨୭ ଆସନରୁ ୧୫୮ଟି ସିଟ୍ ର ଫଳାଫଳ ସାମ୍ନାକୁ ଆସିଛି। ୬୫ ସିଟ୍ ରେ ଏକାକୀ ବିଜେପି ଆଗୁଆ ଅଛି। ସେହିପରି ୧୮ଟି ସିଟ୍ ରେ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଆଗୁଆ ଚାଲିଛି। ସେପଟେ ଉଦ୍ଧବ ସେନା ୫୨ଟି ଆସନରେ ଆଗରେ ଅଛି।

ସବୁ ସହରରେ ବିଜେପିର ଲହର

ନାଗପୁରରେ ବିଜେପିକୁ ସବୁଠୁ ଅଧିକ ଭୋଟ୍ ମିଳିଛି। ୧୫୧ ୱାର୍ଡର ୯୪ ୱାର୍ଡରେ ବିଜେପି ଆଗୁଆ ଅଛି। ବିଜେପି ଏକାକୀ ସେଞ୍ଚୁରୀ ପାର୍ କରିବ ବୋଲି ଅନୁମାନ କରାଯାଉଛି। ସେହିପରି ପୁଣେରେ ବିଜେପି ୪୭ ଆସନରେ ଆଗୁଆ ଅଛି। ଅନ୍ୟ ସବୁ ଦଳ ୨୨ଟି ଆସନରେ ଆଗୁଆ ଅଛନ୍ତି। ଅଜିତ ପାୱାର ଓ ଶରତ ପାୱାର ମିଶି ବିଜେପି ଠାରୁ ପଛରେ ପଡ଼ିଛନ୍ତି। ଏହି ନିର୍ବାଚନ ଠାକରେ ବ୍ରଦର୍ସଙ୍କ ପାଇଁ ଅସ୍ଥିତ୍ଵର ଲଢେଇ ଥିଲା। ବର୍ତ୍ତମାନର ଟ୍ରେଣ୍ଡ୍ ଦେଖିଲେ ଠାକରେ ବ୍ରଦର୍ସ ଏହି ଲଢେଇ ହାରିବେ ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି। ଏବେ ୨୦୨୯ ନିର୍ବାଚନ ଉଦ୍ଧବ ସେନା ପାଇଁ ଆହୁରି କଠିନ ହେବ। ଦେବେନ୍ଦ୍ର ଫଡଣବୀସଙ୍କ ବ୍ରାଣ୍ଡ୍ ଆହୁରି ମଜବୁତ ହେବ।

ନକାରାତ୍ମକ ରାଜନୀତି କରୁଥିବା ଲୋକଙ୍କୁ କଡ଼ା ଜବାବ

ବିପୁଳ ଜନାଦେଶ ପାଇଁ ବିଜେପି ରାଜ୍ୟସଭା ସାଂସଦ ତଥା ପାର୍ଟି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ ଆମକୁ ବିହାରରେ ସଫଳତା ମିଳିଲା। ଏହାପରେ କେରଳରେ ସଫଳତା ମିଳିଲା। ଏବେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ମିଳିଲା। ଯାହାକି ଭବିଷ୍ୟତ ପାଇଁ ଏକ ଶୁଭ ସଙ୍କେତ ଦେଉଛି। ନକାରାତ୍ମକ ରାଜନୀତି କରୁଥିବା ଲୋକଙ୍କୁ ରାଜ୍ୟବାସୀ କଡ଼ା ଜବାବ ଦେଇଛନ୍ତି।  

ସେ ମରାଠିରେ କହିଛନ୍ତି ଯେ, 'ଜୟ-ଜୟ ମହାରାଷ୍ଟ୍ର ମାଝା। ଆଜି ମହାରାଷ୍ଟ୍ରର ଜନତା ଆମକୁ ଯେଉଁ ସମର୍ଥନ ଦେଲେ ଏଥିପାଇଁ ବିନମ୍ର ଭାବେ କୃତଜ୍ଞତା ଜଣାଉଛି। ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ମାଟି... ଯେମିତି ଶିବାଜୀଙ୍କ ଚତୁରଙ୍ଗିଣୀ ସେନା ମନରେ ଉର୍ଜା ନେଇ ଆଗକୁ ବଢୁଥିଲେ, ସେମିତି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡଣବୀସଙ୍କ ନେତୃତ୍ଵରେ ବିଜେପି ଆଗକୁ ବଢିବ। '

ରାହୁଲ ଗାନ୍ଧୀଙ୍କୁ ତରୁଣ ଚୁଘଙ୍କ ଟାର୍ଗେଟ୍

ସେପଟେ ବିଜେପି ମହାସଚିବ ତରୁଣ ଚୁଘ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, 'ଭାରତର ଜନତା ଖୁବ୍ ବୁଦ୍ଧିମାନ। ରାହୁଲ ଜି ଆଇନା ସଫା କରନ୍ତୁନି। ଆଇନା ସଫା କରିଦେଲେ ମୁହଁରେ ଲାଗିଥିବା କାଳିମା ଲିଭିବ ନାହିଁ। ଆପଣ ବିଫଳତାର ଦୋଷ ଆଉ କାହା ମୁଣ୍ଡ ଉପରେ ମାଡ଼ିବାକୁ ଚେଷ୍ଟା କରୁଛନ୍ତି। ହେଲେ ଆପଣଙ୍କ କଳା କାରନାମା ଯୋଗୁଁ ଦେଶ ଏବଂ ମହାରାଷ୍ଟ୍ରର ଜନତା ଭୋଟ୍ ରେ ଜବାବ ଦେଇଛନ୍ତି। ୨୦୧୪ ମେ ୨୬ରୁ ବିଜେପିର ଏହି ବିଜୟ ଯାତ୍ରା ଆରମ୍ଭ ହୋଇଛି।' 

ଏହି ଖବରଟିକୁ ପଢନ୍ତୁ- ଜାନୁଆରୀ ୨୦ରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, ୧୯ରେ ନାମାଙ୍କନ