ଭୁବନେଶ୍ୱର,୦୫/୦୮:ସ୍ଥାନାନ୍ତର ହେବ ବିଏମ୍ସି ହସ୍ପିଟାଲ। ଏଥିପାଇଁ ଆରମ୍ଭ ହୋଇଛି ଯୋଜନା । ମୂଳ ସ୍ଥାନରୁ ଏହାକୁ ହଟାଇ ଅନ୍ୟତ୍ର ନିର୍ମାଣ ପାଇଁ ୭କୋଟି ମଧ୍ୟ ରହିଛି । ହେଲେ ଜମି ମିଳିପାରୁନଥିବାରୁ କାମ ଆଗେଇପାରୁନି । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଉପଯୁକ୍ତ ସ୍ଥାନ ଖୋଜୁଛନ୍ତି । ନୂଆ ହସ୍ପିଟାଲ ହେଲେ ସେଠାରେ ବଢ଼ିପାରିବ ବିଭିନ୍ନ ବିଭାଗ ସହ ଭିତ୍ତିଭୂମି ।
ବର୍ତ୍ତମାନ ଯେଉଁ ସ୍ଥାନରେ ହସ୍ପିଟାଲ ଅଛି, ସେଠାରେ ଅଧିକ କୋଠା ନିର୍ମାଣ କରିବା ସମ୍ଭବ ହୋଇପାରୁନି । ଏଏସ୍ଆଇ ନିୟମ ସାଜୁଛି ବାଧକ। ଯାହାକୁ ନେଇ ଅଧିକ ବିଭାଗ ଖୋଲାଯାଇପାରୁନି କିମ୍ବା ହସ୍ପିଟାଲ ସଂପ୍ରସାରଣ ହୋଇପାରୁନି । ୧୯୪୬ରେ ବିଏମସି ହସ୍ପିଟାଲ ଶ୍ରୀଲିଙ୍ଗରାଜ ମନ୍ଦିର ପାଶ୍ୱର୍ରେ ନିର୍ମାଣ ହୋଇଥିଲା । ସେ ସମୟରେ ଏହି ଜମି ସରକାରଙ୍କ ଅଧୀନରେ ଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ମନ୍ଦିର ସହ ଏହାର ଚାରିପାଖ ଜମିକୁ ନିଜ ଅଧୀନକୁ ନେଇଥିଲା । ତେଣୁ ହସ୍ପିଟାଲ ଥିବା ଜମି ମଧ୍ୟ ଏଏସ୍ଆଇ ଅଧୀନରେ ଯାଉଛି । ସେଥିପାଇଁ ହସ୍ପିଟାଲ ପରିସରରେ ଇଟା ପକାଇବାକୁ ହେଲେ ମଧ୍ୟ ଏଏସଆଇର ଅନୁମତି ଦରକାର । ସେଥିପାଇଁ ହସ୍ପିଟାଲ ପକ୍ଷରୁ କୌଣସି ନିର୍ମାଣ କାମ କରିହେଉନି ।
୨ବର୍ଷ ତଳେ ହୃଦରୋଗ ବିଭାଗ କୋଠା ତିଆରି ହୋଇଥିଲା । ହେଲେ ତାହା ହସ୍ପିଟାଲ ପଛ ରାସ୍ତାର ଆରପାଶ୍ୱର୍ରେ ଥିବା ଜମିରେ ନିର୍ମାଣ କରାଯାଇଥିଲା । ଯେହେତୁ ରାସ୍ତାର ଆରପାଶ୍ୱର୍ ଜମି ଏଏସଆଇ ଅଧୀନରେ ଆସୁନି, ତେଣୁ ନିର୍ମାଣରେ କୌଣସି ବାଧା ଉପୁଜିନଥିଲା । ଏବେ ଯଦି ଘର ଆବଶ୍ୟକ ତେବେ ହସ୍ପିଟାଲ ଉପରେ ଆଜବେଷ୍ଟସ୍ ପକାଇ ଅସ୍ଥାୟୀ କୋଠରୀ ତିଆରି କରିବାକୁ ପଡୁଛି । ଯାହା ଦୀର୍ଘସ୍ଥାୟୀ ନୁହେଁ । କେବଳ ସେତିକି ନୁହେଁ, ହସ୍ପିଟାଲ ଚାରିପାଖ ଅଞ୍ଚଳ ସଙ୍କୁଚିତ ହେବାରେ ଲାଗିଛି । ଦୋକାନ ବଜାର ଖୋଲିଯିବା ସହ ଜନବସତି ଗଢିଉଠିଲାଣି । ତେଣୁ ହସ୍ପିଟାଲକୁ ରୋଗୀ ବାହକ ଗାଡ଼ି ଓ ଅନ୍ୟ ଆମ୍ବୁଲାନ୍ସ ଯିବାଆସିବାରେ ଅସୁବିଧା ଉପୁଜୁଛି । ଏଣୁ ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି କରିବା ପାଇଁ ଏହାକୁ ସ୍ଥାନାନ୍ତର କରିବା ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ଏବେ ନୂଆ ହସ୍ପିଟାଲ ପାଇଁ ମୋଟ ୨ ଏକର ଜମି ଦରକାର । ଏଥିପାଇଁ ବିଭାଗୀୟ ସ୍ତରରେ ଆଲୋଚନା ହୋଇଛି ।
ନୂଆ ହସ୍ପିଟାଲ କୋଠା ପାଇଁ କିଛିଦିନ ତଳେ ମୂଳାପଡ଼ିଆରେ ଏକ ଜମି ଚିହ୍ନଟ କରାଯାଇଥିଲା । ଯେଉଁ ପୁରୁଣା ସରକାରୀ କ୍ୱାର୍ଟର୍ସ ରହିଛି, ସେଇ ସ୍ଥାନରେ ନୂଆ ହସ୍ପିଟାଲ ପାଇଁ ବିଚାର ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି । ଯଦି ସେ ସ୍ଥାନ ଉପଯୁକ୍ତ ନ ହୁଏ ତେବେ ବିଏମସି ସହିତ ଆଲୋଚନା କରାଯାଇ ନୂଆ ଜମି ଖୋଜାଯିବ । ଏ ସଂକ୍ରାନ୍ତରେ ହସ୍ପିଟାଲ ଏମ୍ଓ ଡା. ଏସଏସ ରାୟ କହିଛନ୍ତି, ନୂଆ ହସ୍ପିଟାଲ ନିର୍ମାଣ ପାଇଁ ସରକାର ଆମକୁ ୭ କୋଟି ଟଙ୍କା ଦେଇଛନ୍ତି । ଏବେ ଜମି ଖୋଜାଚାଲିଛି । ନୂଆ ହସ୍ପିଟାଲ ହେଲେ ଅଧିକ ଚିକିତ୍ସା ସେବା ଉପଲବ୍ଧ ହେବ । ବିଭିନ୍ନ ରୋଗ ପାଇଁ ସ୍ୱତନ୍ତ୍ର ବିଭାଗୀୟ ୱାର୍ଡ ଖୋଲିବ । ଖୁବଶୀଘ୍ର ଜମି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବ । ପ୍ରକାଶ ଥାଉକି, ୮୦ବର୍ଷର ଏହି ହସ୍ପିଟାଲ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ହସ୍ପିଟାଲରେ ୮୦ ପ୍ରତିଶତ ଡାକ୍ତର ନଥିବା ବେଳେ ଅସ୍ଥାୟୀ ଡାକ୍ତର ରୋଗୀ ସେବା କରୁଛନ୍ତି । ତେଣୁ ସ୍ଥାୟୀ ଡାକ୍ତର ସହ ଅଧିକ ରୋଗ ବିଭାଗ ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଛି ।