ମହଙ୍ଗା ସହର ଭୁବନେଶ୍ଵର। ଏଠି ବଞ୍ଜିବା ପାଇଁ ମେଟ୍ରୋ ସ୍ପିଡ୍ ରେ ଧାଇଁଲେ ବି ସରୁନି ଜୀବନର ରେସ୍। ସବୁଥିରେ ସଫଳ ହୋଇ ୧ ନମ୍ଵର ବୋଲାଉଥିବା ରାଜଧାନୀରେ ସମସ୍ୟାର ତାଲିକା ଖୁବ୍ ଲମ୍ଵା। ସ୍ୱଳ୍ପ ଦରମା, ମନରେ ଅନେକ ଆଶା । ସ୍ୱପ୍ନର ଉଡାଣରେ, ମୁଣ୍ଡରେ ଲଦି ହୋଇ ପଡିଛି ଟ୍ୟାକ୍ସ ବୋଝ। ଘରୁ ବାହାରିଲେ ପ୍ରଦୂଷଣ ଓ ଟ୍ରାଫିକ ଯାଞ୍ଚ। ଘରେ ବିଏମ୍‌ସି କଷୁଛି ୟୁଜର୍ସ ଫି, ହୋଲ୍ଡିଂ ଟ୍ୟାକ୍ସ। ମାର୍କେଟ ଗାଡି ରଖୁ ରଖୁ ପାର୍କିଂ ଫି। ରାଜଧାନୀର ଅବସ୍ଥାରେ ପରିବର୍ତ୍ତନ ହୋଇଛି ସତ, ହେଲେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ତଥାପି ଛିଡ଼ା ହୋଇ ଦୌଡ଼ିବାର ସାହସ ଜୁଟାଉଛନ୍ତି ରାଜଧାନୀବାସୀ। ଏଇତ ଭୁବନେଶ୍ଵରିଆଙ୍କ ଜୀବନ।

ରାଜଧାନୀ ଭୁବନେଶ୍ୱର ୭୮ ତମ ପ୍ରତିଷ୍ଠା ଦିବସ ପାଳୁଛି। ଏହାରି ଭିତରେ ରାଜଧାନୀର ଚେହେରା ବଦଳିଛି । ବଡ କୋଠା, ରେଳ ଷ୍ଟେସନ ଠାରୁ ବସ୍‌ ଷ୍ଟାଣ୍ଡ ସବୁ ଚକାଚକ । ହେଲେ ସୁନେଲି ସ୍ୱପ୍ନ ଆଣି ସହରକୁ ଆସୁଥିଲା ଲୋକଙ୍କ ଭାଗ୍ୟରେ କିନ୍ତୁ ପରିବର୍ତ୍ତନ ଆସିନି । ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ ଶୋଷଣ ଚାଲିଛି । ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ପରିମଳ, ଡ୍ରେନ, ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ନିୟମ ରହିଛି । ହେଲେ ଏବେ ବିଏମ୍‌ସି ପରିମଳ ସୁବିଧା ପାଇଁ ୟୁଜର୍ସ ଫି ଆଦାୟ ଆରମ୍ଭ କରିଛି । ତାହା ପୁଣି ପିଛାଲା ଭାବେ । ୟୁଜର୍ସ ଫି ସହ ହୋଲ୍ଡିଂ ଟ୍ୟାକ୍ସ ଗଣିବାକୁ ଲୋକେ ଅସମର୍ଥ । ଘର ମାଲିକ ବି ପାଣି ବିଲ ଭଳି ଏବେ ଭଡାଟିଆଙ୍କ ମୁଣ୍ଡରେ ୟୁଜର୍ସ ଫି ଭାଗ କରିଛି । ଲୋକେ ଟ୍ୟାକ୍ସ ଗଣି ଗଣି ହାଲିଆ । ଯଦି ନ ଦେଲ ନାଲି ଆଖି ଦେଖାଉଛନ୍ତି । ଘରୁ ଅଳିଆ ଉଠୁନି । ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ହାଲକା ସମୟ କାଟିବାକୁ ପାର୍କ, ମନ୍ଦିର, ମାର୍କେଟ ଯାଇ ହଉନି । ଖଣ୍ଡ ଖଣ୍ଡ କରି ରାଜଧାନୀକୁ ବାଣ୍ଟି ଦେଇଛନ୍ତି । ରାଜସ୍ୱ ଆଦାୟ ନିଶା ଘାରିଛି । ସବୁଠି ଜୁଲମ ଚାଲିଛି । ଗାଡି ରଖୁ ରଖୁ ପାର୍କିଂ ଫି ଦିଅ । ମନଇଚ୍ଛା ନାଳି, ନେଳି ରସିଦ ଧରାଇ ଦେଉଛନ୍ତି । ୧୦ ଜାଗାରେ ୨୦ ଭିଡି ନେଉଛନ୍ତି । ସେଥିରେ ପୁଣି ଏବେ ନୂଆ ନିୟମ । ଗାଡି ଟିକେ ବାହାରେ ରଖିଲେ ଟେକି ନେଉଛନ୍ତି । ୧୨୦୦ ଟଙ୍କା ଫାଇନ୍‌ କଷୁଛନ୍ତି । ଘରୁ ବାହାରିଲେ ଟ୍ରାଫିକ ଭିଡରେ ଅଣନିଶ୍ୱାସୀ । ରସୁଲଗଡରୁ ଖଣ୍ଡଗିରି ଲମ୍ବା ଲାଇନ । ଜୟଦେବ ବିହାରରୁ ପଟିଆ ଗାଡି ହଲୁନି । ଭିଡ ଆଡେଇବାକୁ ପୁଲିସର ଦେଖା ନାହିଁ । ହେଲେ ଫାଇନ୍‌ କଷିବାକୁ ପ୍ରତି ଛକରେ ୧୦ରୁ ୧୨ ଟ୍ରାଫିକ ପୁଲିସ ଗଛ ଛାଇରେ ଛକି ବସୁଛନ୍ତି । ଛକରେ ହେଲମେଟ୍‌ ଯାଞ୍ଚ । ଟାର୍ଗେଟ ପୂରଣ ପାଇଁ ମାଡି ବସୁଛନ୍ତି । ହେଲେ ଦୁର୍ଘଟଣା ହାର କିନ୍ତୁ ବଦଳିଲା ନାହିଁ । ପ୍ରଦୂଷଣ ଆଦାୟ ଆହୁରି ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଛକରେ ଛକରେ ସାର୍ଟିଫିକେଟ ନାରେ ଫାଇନ୍‌ କଷୁଛନ୍ତି । 

ଆହୁରି ପଢନ୍ତୁ- ଭୁବନେଶ୍ଵର @୭୮ : ସ୍ମାର୍ଟସିଟି ରେସ୍ ହେଉ କି ଶିକ୍ଷାଠୁ ନେଇ ସ୍ଵାସ୍ଥ୍ୟ... ସବୁଥିରେ ୧ ନମ୍ବର, ଆହୁରି ଲମ୍ବା ଉଡାଣ ବାକି

ସବୁଜିମା ପଦା, ହିଟ୍‌ ଆଇଲାଣ୍ଡ ପାଇଁ ତତଲା

ବେଲଗାମ ଖୋଳାତଡ଼ା । ଯିଏ ଯେଉଁଠୁ ପାଇଲେ ଖୋଳି ପକାଇଲେ । ଗତ ୬ ମାସରେ ଖଣ୍ଡଗିରିଗଣ୍ଡମୁଣ୍ଡା ରାସ୍ତାକୁ ୧୦ଥରରୁ ଅଧିକ ଖୋଳିଲେଣି । ନୂଆ ଏୟାରପୋର୍ଟ ରାସ୍ତାକୁ ୫ଥରରୁ ଅଧିକ ଖୋଳାହେଲାଣି । କେବେ ୱାଟ୍‌କୋ ତ’ ଆଉ କେବେ ଗେଲ୍‌ ଓ ପୁଣି କେବେ ଓପିଟିସିଏଲ୍‌ । ରାଜଧାନୀର ପ୍ରତି ଗଳି କନ୍ଦିରେ ଏହି ଖୋଳାତଡ଼ା ଯନ୍ତ୍ରଣାରେ ଲୋକେ ରୁନ୍ଧି ହୋଇଗଲେଣି । ରାଜଧାନୀରେ ପ୍ରାୟ ୧୫ଲକ୍ଷ ପଞ୍ଜିକୃତ ଗାଡ଼ି ରହିଛି । ପୁଣି ବାହାରୁ ଦୈନିକ ଲକ୍ଷାଧିକ ଗାଡ଼ି ସହରକୁ ଆସୁଛି । ଏଥିରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ନିର୍ମାଣ କାମରୁ ବାହାରୁଥିବା ଧୂଳି ଯୋଗୁ ବାୟୁର ମାନ(ଏକ୍ୟୁଆଇ) ଅତି ଖରାପ ସ୍ତରକୁ ଚାଲିଯାଉଛି । ଗତ ଜାନୁୟାରୀ ୧ ତାରିଖରେ ରାଜଧାନୀର ଏକ୍ୟୁଆଇ ୩୦୫ ବା ଅତି ଖରାପ ସ୍ତରକୁ ଖସିଥିଲା । ଅନେକ ସମୟରେ ଏହା ଦେଶର ହାତଗଣତି ପ୍ରଦୂଷିତ ସହର ତାଲିକାରେ ମଧ୍ୟ ରହୁଛି । ବର୍ଷତମାମ ସହରର ଏକ୍ୟୁଆଇ ୧୦୦ରୁ ୧୮୦ ବା ଖରାପ ସ୍ତରରେ ରହୁଛି । ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି । ସିଧାସଳଖ ଶ୍ୱାସକ୍ରିୟାକୁ କ୍ଷତି ପହଞ୍ଚାଉଛି । ଏହି ସମସ୍ୟା ଗୁରୁତର ଆଡ଼କୁ ଯାଉଛି । ଜବରଦଖଲର ଲାଙ୍ଗୁଡ଼ ଦିନକୁ ଦିନ ଯେତିକି ଲମ୍ବୁଛି, ସହରର ଚିତ୍ର ସେତିକି ବିଗୁଡୁଛି । ରାଜଧାନୀରେ ଏବେ ବି ପ୍ରାୟ ୫୦୦ ଏକର ଜାଗା ଜବରଦଖଲକାରୀଙ୍କ କବ୍‌ଜାରେ ଅଛି । ସହରର ପ୍ରମୁଖ ଅଞ୍ଚଳକୁ ବି ସେମାନେ ମାଡ଼ି ବସିଛନ୍ତି । କେଉଁଠି ରାସ୍ତା କଡ଼ ତ ଆଉ କେଉଁଠି ଡ୍ରେନ୍‌ ଓ ଜଳାଶୟ ଉପରେ ବେଆଇନ ନିର୍ମାଣ ହେଉଛି । ଜବରଦଖଲ କାରଣରୁ ସହର ଯୋଜନାବଦ୍ଧ ଭାବେ ଆଗକୁ ଯାଇପାରୁନି । ଗତବର୍ଷ ବିଡିଏ ଓ ବିଏମସି ପ୍ରାୟ ୧୦୦ ଏକରରୁ ଅଧିକ ଜବରଦଖଲ ଉଚ୍ଛେଦ କରିଛନ୍ତି, ସତ କିନ୍ତୁ କମିବା ବଦଳରେ ବଢ଼ିଚାଲିଛି । 

ପ୍ରତିବର୍ଷ ବର୍ଷା ଦିନ ଆସିଲେ ରାଜଧାନୀବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼େ । ଜଳବନ୍ଦୀ ଯନ୍ତ୍ରଣା ନାକେଦମ କରେ । ନେତା ପ୍ରତିଶ୍ରୁତି ଦିଅନ୍ତି ହେଲେ ଜଳବନ୍ଦୀରୁ ମୁକ୍ତି ମିଳେନି। ଗତବର୍ଷ ଅନେକ ଅଞ୍ଚଳ ବୁଡ଼ିଥିଲା, ଏ ବର୍ଷ ବି ବୁଡ଼ିବ । ଅସରାଏ ବର୍ଷା ହେଲେ ଅନେକ ସ୍ଥାନରେ ଘରେ ନର୍ଦ୍ଦମା ପାଣି ପଶିବ । କେଉଁଠି ଡ୍ରେନ୍‌ ସଫେଇ ହୋଇନଥିବାରୁ ଜଳ ନିଷ୍କାସନ ହୋଇପାରେନି, ଆଉ କେଉଁଠି ଜଳାଶୟକୁ ପୋତି ଆପାର୍ଟମେଣ୍ଟ ଛିଡ଼ା ହେବା ଯୋଗୁ ପାଣି ଯିବା ବାଟ ବନ୍ଦ ହେଉଛି । ଏବେସୁଦ୍ଧା ରାଜଧାନ ପାଇଁ ବିସ୍ତୃତ ଡ୍ରେନେଜ୍‌ ପ୍ଲାନ୍‌ ତିଆରି ହୋଇପାରିନି । ଆଇଆଇଟିକୁ ସର୍ଭେ ପାଇଁ ଦାୟିତ୍ୱ ଦିଆଯାଇଛି । ହେଲେ କେବେ ଜଳବନ୍ଦୀମୁକ୍ତି ମିଳିବ, ତାକୁ ସହରବାସୀଙ୍କୁ ଅପେକ୍ଷା କରି ରହିଛନ୍ତି । ସହରର କଂକ୍ରିଟ୍‌ ବିକାଶ ଯୋଗୁ ସବୁଜିମା ଉଜୁଡ଼ି ଯାଉଛି । ଯୁଆଡ଼େ ଚାହିଁଲେ ବଡ଼ ବଡ଼ କୋଠା ଆଉ ପେଭର ବ୍ଲକ୍‌ ରାସ୍ତା । କାଁ ଭାଁ କେଉଁଠି ସନ୍ତସନ୍ତିଆ ଅଞ୍ଚଳ ତିଷ୍ଠିଛି । ଏହାର ପ୍ରଭାବରେ ସହର ହିଟ ଆଇଲାଣ୍ଡ ପାଲଟୁଛି । କେବଳ ଦିନ ତାପମାତ୍ରା ନୁହେଁ, ରାତି ତାପମାତ୍ରା ବି ବଢୁଛି।