ଭୁବନେଶ୍ୱର,୦୪/୦୮: ଡ୍ରୋନ ପରେ ଏବେ ମଶା ଦମନ କରିବାକୁ ବିଏମ୍‌ସି ପକ୍ଷରୁ ଜିଓ ଟ୍ୟାଗିଂ କରାଯିବ । ହଟସ୍ପଟ ଅଞ୍ଚଳକୁ ଚିହ୍ନଟ କରାଯାଇ ମ୍ୟାପିଂ କରାଯିବ । ଏହାକୁ ନୂଆ ଆପ୍‌  ଜରିଆରେ ଅପ୍‌ଲୋଡ କରି ସଚେତନତା ଏବଂ  ସର୍ଭେଲାନ୍ସକୁ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି  ଯୋଜନା କରିଛି । ଡେଙ୍ଗୁ ନିରାକରଣ ଲାଗି  ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା କରାଯିବାକୁ  ସ୍ଥିର ହୋଇଛି । ଇତିମଧ୍ୟରେ ରାଜଧାନୀରେ  ଡେଙ୍ଗୁ ରୋଗୀ ସଂଖ୍ୟା ୨୦୫ ଛୁଇଁଛି ।  

ଡେଙ୍ଗୁ ନିୟନ୍ତ୍ରଣ ଓ ଜନ ସଚେତନତା ଲାଗି  ବିଏମ୍‌ସି ପକ୍ଷରୁ ନୂଆ ଟେକ୍ନୋଲୋଜି ଦ୍ୱାରା ଡେଙ୍ଗୁ  ପ୍ରବଣ ଅଂଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା  କରିଛି । ଏଥିଲାଗି ବିଏମ୍‌ସି ପରିମଳ ଓ ଆଇଟି  ବିଭାଗ ମିଳିତ ଭାବେ ଏକ ସ୍ୱତନ୍ତ୍ର ଆପ୍‌ ପ୍ରସ୍ତୁତ  କରିବାକୁ ଯାଉଛନ୍ତି । ଅଧିକ ମଶା ହେଉଥିବା  ସ୍ଥାନକୁ ପ୍ରଥମେ ଚିହ୍ନଟ କରାଯିବ । ସର୍ଭେଲାନ୍ସ  ଟିମ୍‌, ଆଶା, ଅଙ୍ଗନବାଡ଼ି କର୍ମଚାରୀ ମିଳିତ  ଭାବେ ଏହି ଅଞ୍ଚଳ ପରିଦର୍ଶନ କରିବେ । ଏହି  ଅଞ୍ଚଳର ଫଟୋ ଅକ୍ଷାଂଶ, ଦ୍ରାଘିମା, ତାରିଖ ଏବଂ  ସମୟ ସହ ଅପ୍‌ଲୋଡ କରାଯିବ । ଏହାକୁ ରେଡ୍‌  ମ୍ୟାପିଂ କରି ଚିହ୍ନଟ କରାଯିବ । ଏହାପରେ  ସ୍ୱତନ୍ତ୍ର ଆପ୍‌ ଜରିଆରେ ଏହି ଅଞ୍ଚଳର ଫଟୋ  ଅପ୍‌ଲୋଡ ହେବ । ବିଏମ୍‌ସି ପକ୍ଷରୁ ମଶାପ୍ରବଣ (ଭର୍ଣ୍ଣାବିଲିଟି ପଏଣ୍ଟ) ସ୍ଥାନ ଚିହ୍ନଟ ହେବା ପରେ  ଜଣେ ସାଧାରଣ ଲୋକ କେଉଁ ଅଞ୍ଚଳରେ ରୋଗୀ  ସଂଖ୍ୟା ଅଧିକ ରହିଛି ଏହି ଆପ୍‌ ଜରିଆରେ ଜାଣି  ପାରିବ । ଫଳରେ ଅଧିକ ସତର୍କ ହୋଇ ପାରିବ  ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।  

ଖାଲି ଏତିକି ନୁହେଁ, ଆପ୍‌ ଜରିଆରେ  ଜଣେ ସାଧାରଣ ଲୋକ ଅଭିଯୋଗ ମଧ୍ୟ କରି  ପାରିବେ । ଅଭିଯୋଗ ଆସିବା ମାତ୍ରେ ବିଏମ୍‌ସି  କ୍ୱିକ୍‌ ଆକ୍ସନ ଟିମ୍‌ ଏବଂ ସର୍ଭେଲାନ୍ସ ଟିମ୍‌ ଘଟଣା  ସ୍ଥଳ ପରିଦର୍ଶନ କରିବେ । ଏହି ଆପ୍‌ ପ୍ରସ୍ତୁତ  କରିବାକୁ ବିଏମ୍‌ସି ଆଇଟି ବିଭାଗକୁ ଦୁଇ  ସପ୍ତାହ ସମୟ ଦିଆଯାଇଛି । ଚୂଡ଼ାନ୍ତ ଆପ୍‌  ଆସିବା ପରେ ଏହାକୁ ତର୍ଜମା କରାଯିବ । ଏହା  ପରେ ଲୋକାର୍ପଣ କରିବାକୁ ଯୋଜନା କରିଛି  ବିଏମ୍‌ସି । ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କ  ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।  ବୈଠକରେ ଭୁବନେଶ୍ୱର ଡେଙ୍ଗୁ ସମ୍ପର୍କରେ  ବିସ୍ତୃତ ଆଲୋଚନା ହୋଇଥିଲା । ଏଥର ଡେଙ୍ଗୁ  ଦମନରେ ଟେକ୍‌ନୋଲୋଜି ଆପଣାଇବାକୁ ଏହି  ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । 

ପୂର୍ବରୁ ମଧ୍ୟ ମଶା ଦମନ କରିବାକୁ  ବିଏମ୍‌ସି ପକ୍ଷରୁ ଡ୍ରୋନ୍‌ ସାହାଯ୍ୟ ନିଆଯାଇଥିଲା ।  ମଶା ମାରିବାକୁ ଡ୍ରୋନ୍‌ ଔଷଧ ସିଞ୍ଚନ କରିଥିଲା । ଯୋଜନାରେ ବିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା  ଉଡ଼ାଇଥିଲା । କିନ୍ତୁ ଡେଙ୍ଗୁ ନିରାକରଣ ସମ୍ଭବ  ହେଲା ନାହିଁ । ଏବେ ପୁଣି ଡେଙ୍ଗୁ ହଟ୍‌ସ୍ପଟ୍‌ ଚିହ୍ନଟ କରିବାକୁ ବିଏମ୍‌ସି ପକ୍ଷରୁ ଜିଓ ଟ୍ୟାଗିଂ କରିବାକୁ  ଯୋଜନା ହେଉଛି । ଏହା ରାଜଧାନୀବାସୀଙ୍କ ପାଇଁ  କେତେ ଫଳପ୍ରଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।  ବିଏମ୍‌ସିରେ ଡେଙ୍ଗୁ ରୋଗୀ ସଂଖ୍ୟା  ବର୍ତ୍ତମାନ ୨୦୫ ଛୁଇଁଛି । ପଦ୍ମକେଶରୀପୁରରେ  ୧୩, ପ୍ରଶାନ୍ତି ବିହାରରେ ୧୪, ଶିଖରଚଣ୍ଡୀ  ନଗରରେ ୧୪, ସାଲିଆସାହିରେ ୧୩ ରୋଗୀ  ଚିହ୍ନଟ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ  ସର୍ବାଧିକ ରୋଗୀ ଚିହ୍ନଟ କରାଯାଇଛି ।  ସେହିପରି ଅନ୍ୟ ଅଞ୍ଚଳରେ ମଧ୍ୟ ଡେଙ୍ଗୁ ରୋଗୀ  ସଂଖ୍ୟା ବଢୁଥିବା ଜଣାପଡ଼ିଛି ।