ଭୁବନେଶ୍ୱର,୨୪/୦୩: ବିଏମ୍‌ସି  ଏଥର ରାଜସ୍ୱ ଆଦାୟରେ ରେକର୍ଡ କରିବ । ମାର୍ଚ୍ଚ ମାସ ତୃତୀୟ ସପ୍ତାହ ସୁଦ୍ଧା ୧୮୦  କୋଟି ଟଙ୍କାର ରାଜସ୍ୱ ଆଦାୟ ସରିଲାଣି ।  ଆଜିଠାରୁ ଜୋରଦାର ଚଢଉ  କରାଯିବ । ଯେଉଁ ବ୍ୟାବସାୟୀକ ଅନୁଷ୍ଠାନ  ହୋଲ୍ଡିଂ ଟ୍ୟାକ୍ସ ଫାଙ୍କୁଛନ୍ତି, ସେମାନଙ୍କ ଦୋକାନ ସିଲ୍‌ କରିବାକୁ ବିଏମ୍‌ସି ଚେତାବନୀ ଦେଇଛି । 

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ  ସୁଦ୍ଧା ବିଏମ୍‌ସି ୧୭୮ କୋଟି ଟଙ୍କାର ରାଜସ୍ୱ  ଆଦାୟ କରିଛି । ସେଥିମଧ୍ୟରେ ୭୫ କୋଟି  ଟଙ୍କାର ହୋଲ୍ଡିଂ ଟିକସ, ଟ୍ରେଡ ଲାଇସେନ୍ସ  ବାବଦକୁ ୫.୧୬ କୋଟି, ବିଜ୍ଞାପନରେ ୧୦  କୋଟି, ଅର୍ବାନ ରେଣ୍ଟ୍‌ରୁ ୫.୨ କୋଟି,  ପାର୍କିଂରୁ ୯୦ ଲକ୍ଷ, ଏବଂ ଅନ୍ୟାନ ବାବଦକୁ  ୪୦ କୋଟିର ରାଜସ୍ୱ ଆଦାୟ ହୋଇଛି ।  ଉତ୍ତର ଜୋନ୍‌ରେ ୪୯ କୋଟି ଟଙ୍କା  ଟାର୍ଗେଟ ରହିଥିଲା । ଆଦାୟ ହୋଇଛି  ମାତ୍ର ୨୬.୦୧ କୋଟି । ଟାର୍ଗେଟର  ମାତ୍ର ୫୨.୮୯ ପ୍ରତିଶତ ଟଙ୍କା ଆଦାୟ  ହୋଇପାରିଛି ।

ସେହିପରି ଦକ୍ଷିଣ-ପୂର୍ବ  ଜୋନରେ ୩୭ କୋଟି ଟଙ୍କା ଟାର୍ଗେଟ  ଥିବାବେଳେ ୨୩ କୋଟି ଏବଂ ଦକ୍ଷିଣ- ପଶ୍ଚିମ ଜୋନ୍‌ରେ ୪୫ କୋଟିରୁ ମାତ୍ର  ୨୩.୭୦ କୋଟି ଆଦାୟ ହୋଇଛି । ବିଏମ୍‌ସି ପକ୍ଷରୁ ମାର୍ଚ୍ଚ ମାସ ପୂର୍ବରୁ  ରାଜସ୍ୱ ଆଦାୟ ଜୋରଦାର କରାଯାଇଛି ।  ଏନେଇ ଘନ ଘନ ବୈଠକ ସହ ସବୁ  ୱାର୍ଡରୁ କିପରି ରାଜସ୍ୱ ଆଦାୟ ହେବ  ସେ ନେଇ ତନାଘନା ଚାଲିଛି । 

ଆଜି ଠାରୁ ଏହାକୁ ଆହୁରି  ଜୋରଦାର କରାଯିବ । ଏପରିକି  ମଲ୍‌ ଅନ୍ୟ ଅନୁଷ୍ଠାନ ଉପରେ ଚଢ଼ଉ  କରାଯିବ । ହୋଲ୍ଡିଂ ଟିକସ ଦେବାରେ ଖିଲାପ କଲେ, ସେମାନଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ  ପଡ଼ିଲେ ଅନୁଷ୍ଠାନକୁ ସିଲ୍‌ କରାଯିବ  ବୋଲି ବିଏମ୍‌ସି ଚେତାବନୀ ଦେଇଛି ।  ସେହିପରି କିପରି ଅଧିକ ଟଙ୍କା ଆଦାୟ  ହେବ ସେ ନେଇ ମୋଟ୍‌ ୩୯ଟି ଟିମ୍‌  ଗଠନ କରାଯାଇଛି । ଏହି ଟିମ୍‌ ଘରକୁ  ଘର ବୁଲି ରାଜସ୍ୱ ଆଦାୟ କରିବ ।  ତେବେ ଆଉ ମାସେ ଭିତରେ ହୋଲ୍ଡିଂ,  ବାଣିଜ୍ୟିକରୁ ଆହୁରି ୫୮ କୋଟି ଟଙ୍କାର  ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ଏଥର ୩ ଶହ କୋଟି ଟଙ୍କାର ରାଜସ୍ୱ ଆଦାୟ  କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି ।