ନୂଆଦିଲ୍ଲୀ: ଘରୋଇ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ବଲ୍‌ ଟାମ୍ପରିଂ ବିରୋଧରେ କଠୋର ଆଇନ୍‌ ଆସିଛି । ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାଇବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋଭିଡ ୧୯ ମହାମାରୀ ପରେ କ୍ରିକେଟ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କରୋନା ପରଠୁ ଦଳଗୁଡ଼ିକୁ ବଲରେ ଲାଳ ଲଗାଇବା ଉପରେ ସତର୍କ କରାଯାଇଛି । ତେବେ ବିସିସିଆଇ ଘରୋଇ କ୍ରିକେଟରେ ଏହାକୁ ନେଇ କଠୋର ନିୟମ ଆପଣାଇଛି । ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାନ୍ତି ତେବେ ତାଙ୍କ ଉପରେ ଜରିମାନା ଲଗାଇବ ବିସିସିଆଇ । ଏହା ସହିତ ତୁରନ୍ତ ବଲ୍‌କୁ ବଦଳାଇ ଦିଆଯିବ। 

ବ୍ୟାଟରଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି ।  ରିଟାୟର୍ଡ ହଟ୍‌ ହେଲେ ଖେଳାଳିଙ୍କୁ ପୁନର୍ବାର ଖେଳିବାକୁ ସୁଯୋଗ ମିଳିବ ନାହିଁ ଏବଂ ବ୍ୟାଟରଙ୍କୁ ଆଉଟ୍ ବିବେଚନା କରାଯିବ । ବିସିସିଆଇ ରଣଜୀ  ଟ୍ରଫି ୨୦୨୪ର ନୂତନ ସିଜିନର ଠିକ୍ ପୂର୍ବରୁ ଏହି ପରିବର୍ତ୍ତନ କରିଛି । କ୍ରିକବଜର ଖବର ଅନୁଯାୟୀ, ବିସିସିଆଇ ଖେଳାଳିଙ୍କ ରିଟାୟର୍ଡ ହଟ୍‌ ନିୟମରେ ବଡ଼ ପରିବର୍ତ୍ତନ କରିଛି । ଯଦି କୌଣସି ଖେଳାଳି ଆହତ କାରଣରୁ ପଡ଼ିଆରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଆଉଟ୍ ଘୋଷଣା କରାଯିବ । ଅର୍ଥାତ ବ୍ୟାଟର ଆଉ ବ୍ୟାଟିଂ କରିପାରିବେ ନାହିଁ । ବିସିସିଆଇ ଏ ସମ୍ବନ୍ଧରେ ରାଜ୍ୟ ଦଳଗୁଡ଼ିକୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦେଇଛି । 

ରନ ରୋକିବା ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ଯେବେ ବ୍ୟାଟର ପରସ୍ପରକୁ ଅତିକ୍ରମ କରିବା ପରେ ରନ ନ ନେବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସମୟରେ ଓଭର ଥ୍ରୋରେ ବାଉଣ୍ଡରୀ ମିଳିଯାଏ, ତେବେ ଏମିତି ସ୍ଥିତିରେ ପୁଣି ଥରେ ରନ ପାଇଁ  ବ୍ୟାଟର ଦୌଡ଼ିଲେ ମଧ୍ୟ ଏହାକୁ କେବଳ ବାଉଣ୍ଡରୀ ଭାବେ ବିବେଚନା କରାଯିବ । ସେହି ଦୃଷ୍ଟିରୁ ବ୍ୟାଟରଙ୍କୁ କେବଳ ୪ ରନ ମିଳିବ। ଏହି ନିୟମ ଆଗାମୀ ରଣଜୀ ସିଜିନରେ ଲାଗୁ ହେବ। ଏହା ବ୍ୟତୀତ କର୍ଣ୍ଣେଲ୍‌ ସିକେ ନାୟୁଡୁ ଟ୍ରଫିରେ ପଏଣ୍ଟ ଭାଗ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ବିସିସିଆଇ ।