ଭୁବନେଶ୍ବର,୫/୬ : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ଅଫିସ ସିଡ଼ି ବାଡ଼ାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି ଯୁବକ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣଙ୍କର ପରିଚୟ ମିଳିପାରି ନାହିଁ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୁଇ ମହଲା କୋଠାଥିବାବେଳେ ପ୍ରଥମ ମହଲାର ଉପର ସିଡ଼ିବାଡ଼ାରେ ଯୁବକ ଜଣଙ୍କ ଝୁଲି ପଡ଼ିଛନ୍ତି । ମୃତକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ ନୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ ଏହି ଯୁବକ ବାହାରୁ ଆସି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଜିଲ୍ଲାପାଳଙ୍କ ଅଫିସରେ ସିସିଟିଭି କ୍ୟାମେରା ଲାଗିଛି ।ଏଣୁ ସେଥିରୁ ତାଙ୍କ ପରିଚୟ ମିଳିପାରେ ବୋଲି ଅନୁମାନ କରାଯାଉଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାତ୍ରକାଳୀନ ସୁରକ୍ଷା ରହିଥାଏ । ହେଲେ ଦିନ ବେଳେ ଏଭଳି ନ ଥାଏ । ତେବେ ସେ ଏଭଳି ପଦକ୍ଷେପ କାହିଁକି ନେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି । ଏକ ଜିନ୍ସ ପ୍ୟାଣ୍ଟ ସହ ଚେକ୍ ସାର୍ଟ ପିନ୍ଧିଛନ୍ତି ଯୁବକ ଜଣଙ୍କ । ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବାରୁ ହୁଏତ ତାଙ୍କ ପ୍ୟାଣ୍ଟ କିମ୍ବା ସାର୍ଟରେ କୌଣସି ପ୍ରମାଣପତ୍ର ଥାଇପାରେ ଏବଂ ସେଥିରୁ ପୋଲିସ ତାଙ୍କ ପରିଚୟ ପାଇପାରେ ବୋଲି ଅନୁମାନ କରାଯାଉଛି ।