ଖୋର୍ଦ୍ଧା, ୦୬/୦୧ : ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ନିଖୋଜ ଥିଲେ ନାବାଳକ। ପୋଖରୀରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ରହସ୍ୟ ଘେରରେ ନାବାଳକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ନାବାଳକ ଜଣଙ୍କ ଚିନ୍ମୟ ପରିଡ଼ା ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ୩ ତାରିଖ ରାତିରେ ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗାଁର ଚିନ୍ମୟ ପରିଡା (୧୭ ବର୍ଷ) ତାଙ୍କ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ। ଏନେଇ ତାଙ୍କ ମା' ବବିତା ପରିଡା ବାଣପୁର ଥାନାରେ ଅଭିଯୋଗ କରିଥିଲେ। ୪ ତାରିଖରେ ୧୬ନଂ ଜାତୀୟ ରାଜପଥ ବେଲପଡା ଛକ ରାସ୍ତାକଡ଼ରେ ଥିବା ପୋଖରୀ ପାଖରେ ଚିନ୍ମୟଙ୍କ ଚପଲ ଓ ସାର୍ଟ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖରେ ଏକ ଧାରୁଆ ଚାପୁଡି ଓ ଗୋଟେ ରସି ବଣ୍ଡଲ ପଡ଼ିଥିବା ଦେଖି ସମସ୍ତଙ୍କର ସନ୍ଦେହ ଘନୀଭୂତ ହୋଇଥିଲା। ଖବର ପାଇ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲା। ଚିନ୍ମୟ ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହରେ ବାଣପୁର ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଚିନ୍ମୟଙ୍କ ମୃତଦେହ ମିଳିଥିଲା। ଚିନ୍ମୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପଟେ ପୁଲିସ ୨ଜଣ ସାଙ୍ଗକୁ ଅଟକ ରଖି ପଚାରା ଉଚରା କରୁଛି।
୫ ବର୍ଷ ତଳେ ଗତ ୨୦୨୧ରେ ଚିନ୍ମୟଙ୍କର ବାପା କାହ୍ନୁ ଚରଣ ପରିଡ଼ାଙ୍କୁ ଝିଣ୍ଟିକାପଲ୍ଲୀ କେନାଲରେ ହତ୍ୟା କରାଯାଇଥିଲା। ଡିସେମ୍ଵର ୨୪ ତାରିଖରେ ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡ ହୋଇଥିଲା। ଏଥିରେ ରାଗ ରଖି କେହି ଚିନ୍ମୟଙ୍କୁ ହତ୍ୟା କରିଛନ୍ତି ନା ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ରହସ୍ୟ ଘେରରେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ଏହି ଖବରଟିକୁ ପଢନ୍ତୁ- କରଞ୍ଜିଆରେ ବାଘ ଆତଙ୍କ, ଗାଈକୁ ଶିକାର କଲା କଲରାପତରିଆ