ଭୁବନେଶ୍ୱର,୦୫/୦୭: ଆରମ୍ଭ ହେବ  ଶ୍ରାବଣ ମାସ । ଆସନ୍ତା ୧୧ତାରିଖରେ ଶ୍ରାବଣର  ପ୍ରଥମ ସୋମବାରରେ ଜଳ ଲାଗି କରିବେ ଭକ୍ତ। ଶୈବ ପୀଠରେ ଶୈବ ବୋଲବମ୍‌ଙ୍କ ଭକ୍ତ ଭିଡ଼  ଲାଗିବ । ମାନସିକଧାରୀଙ୍କ ମନସ୍କାମନା ପୂରଣ  ହେବ । ଶ୍ରାବଣ ମହାଦେବଙ୍କ ପ୍ରିୟ ମାସ। ଶୈବଭକ୍ତ ବି ଏହିମାସକୁ ଅପେକ୍ଷା କରିଥାନ୍ତି ।  ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ  ହେଲେ ଏହି ମାସତମାମ କାଷ୍ଠା ଉପବାସରେ ରହିବାକୁ ପଡ଼ିଥାଏ ବୋଲି କହିଛନ୍ତି ଜାଗମରା  ଜଗନ୍ନାଥ ମନ୍ଦିରର ପଣ୍ଡିତ ବିଭୂତି ରଞ୍ଜନ ତ୍ରିପାଠୀ ।  ଜୁଲାଇ୧୧ରୁ ଆରମ୍ଭ ହୋଇ ୪ ପାଳି ସୋମବାର  ପାଣି ଢ଼ଳା ଯିବ । କିଏ ପୁରୀ ଲୋକନାଥଙ୍କ ପାଖକୁ  ଯିବେ ତ ଆଉ କିଏ ଶ୍ରୀଲିଙ୍ଗରାଜ ମନ୍ଦିରକୁ  ଆସିବେ ଜଳ ଲାଗି କରିବାକୁ ।  

ଆରମ୍ଭ ହୋଲଣି ବେପାର 

ବୋଲବମ୍‌ ବେଳେ ଭକ୍ତ ମାନଙ୍କ ପୋଷାକ,  ବାହୁଙ୍ଗା, ଢାଳ, ଫୁଲ, ବାହୁଙ୍ଗାରେ ଲାଗୁଥିବା  ପ୍ଲାଷ୍ଟିକ ଶିବ, ସାପ, ଲିଙ୍ଗ ପରି ଅନେକ ଜିନିଷର  ପସରା ବଜାରରେ ମେଲିଲାଣି । ଏଥିପାଇଁ ଏକ  ନମ୍ବର ହାଟରେ ବୋଲବମ୍‌ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବଜାର ଖୋଲିଗଲାଣି । ଦୋକାନୀ ମାନସ କୁହନ୍ତି,  ବୋଲବମ୍‌ ସାମଗ୍ରୀର ଦାମ୍‌ ପୂର୍ବ ବର୍ଷଠାରୁ ୫ରୁ  ୧୦ ଟଙ୍କା ବୃଦ୍ଧି ପାଇଛି । ବାଉଁଶ ବାହୁଙ୍ଗା ଗୁଡ଼ିକ ୪୦ଟଙ୍କାରୁ ଆରମ୍ଭ । ମୋଟାଇ ହିସାବରେ ଦାମ୍‌  ଅଲଗା ଅଲଗା ରହିଛି ।  ଖାଲି ବେତ ବାହୁଙ୍ଗା ୬୫୦ଟଙ୍କାରୁ ଆରମ୍ଭ, ୬ପ୍ରକାରର ମାଳି( ତୁଳସୀ, କାଠି, ରୁଦ୍ରାକ୍ଷ,  ମୋତି ପରି ମାଳି) ଦାମ୍‌ ୩୦ଟଙ୍କାରୁ ଆରମ୍ଭ ହୋଇ  ୮୦ଟଙ୍କା ଯାଏ ବିକ୍ରି ହେଉଛି । କପଡ଼ା ୨୦ଟଙ୍କା(୫ଟା  ଭେରାଇଟି ବାଘଛାଲ, ହନୁମାନ ରଙ୍ଗ, ଗୋଲାପୀ,  ଲାଲ ଆଦି ରଙ୍ଗରେ ଓଁ ଲେଖା ହୋଇଛି) । ଧୁପଦାନୀ,  ସାପ ହଳ, ଲିଙ୍ଗ, ଶିବ ହଳ ଗୁଡ଼ିକ ୧୦ ଓ ୨୦  ଟଙ୍କା । ପ୍ଲାଷ୍ଟିକ ଗଡ଼ୁ ୩୫ଟଙ୍କା, ପିତଳ ଘଣ୍ଟି ହାର  ୪୦ରୁ ୫୦ଟଙ୍କା ରହିଛି । 

ବାଉଁଶ ସଜାଇବା ହେଲେ  ଏହାର ଦାମ୍‌ ଭିନ୍ନ ରହିବ ବୋଲି ମାନସ କହିଛନ୍ତି ।  ୧୫ ପ୍ରକାରର ଠାକୁର ଭୋଗ ୫୦ଟଙ୍କାରୁ ଆରମ୍ଭ । ଗଙ୍ଗାଜଳ, ଚୁଆ ତେଲ, ମହୁ, ହରିଡ଼ା, ବାହାଡ଼ା,  ଚନ୍ଦନ, ସିନ୍ଦୁର, ପଞ୍ଚଶସ୍ୟ, ତମ୍ବାପାତ୍ର ବିକ୍ରି ହେଉଛି ।  ମଥାରେ ବାନ୍ଧିବାକୁ ଫିତା ୧୫ଟଙ୍କା, ପିତଳ ଢ଼ାଳ  ୧୫୦ରୁ ୪୦୦ଟଙ୍କା, ପ୍ଲାଷ୍ଟିକ କଳସ ୨ଟାକୁ ୪୦ଟଙ୍କା,  ଘଣ୍ଟି ୨୦ଟଙ୍କାରୁ ଆରମ୍ଭ, ଶିକା ୬୦ଟଙ୍କା, ଲେସ୍‌ ଓ ହାତ ଫିତା ଗୋଟିଏ ୧୫ଟଙ୍କା, ବୋଲବମ୍‌ ଯିବା  ବେଳେ ମୋବାଇଲ ରଖିବା ବ୍ୟାଗ ୬୦ଟଙ୍କାରେ  ବିକ୍ରି ହେଉଛି । ଏହି ସିଜିନ୍‌ ଦୋକାନ ଶ୍ରାବଣ  ମାସ ଶେଷ ଯାଏ ଖୋଲା ରହିବ ।