କଟକ,୦୭/୦୭: ଶ୍ରାବଣରେ ହେବାକୁ ଥିବା ବୋଲବମ୍‌ ଯାତ୍ରା ପାଇଁ କାଉଡ଼ି ଭକ୍ତମାନେ ପ୍ରସ୍ତୁତି ଚଳାଇଲେଣି । ସେହିପରି ଏହି ଯାତ୍ରାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଗଲାଣି । ଏବର୍ଷ ସୂତା, ସିନ୍ଥେଟିକ୍‌ ଓ ଗଞ୍ଜି କପଡ଼ାର ଡ୍ରେସ୍‌  ଆସିଛି । ପୁରୁଷ ମାନଙ୍କ ପାଇଁ ଗେରୁଆ ରଙ୍ଗର କୁର୍ତ୍ତା,  ଗଞ୍ଜି, ହାପ୍‌ ପ୍ୟାଣ୍ଟ୍‌, ଗାମୁଛା ଓ ଝୋଲା ବ୍ୟାଗ୍‌ ବିକ୍ରି  ହେଉଥିବା ବେଳେ ମହିଳାମାନଙ୍କ ପାଇଁ ଗେରୁଆ  ଓ ହଳଦିଆ ରଙ୍ଗର ଶାଢ଼ି ଏବଂ ଝିଅମାନଙ୍କ ପାଇଁ  ଗେରୁଆ କୁର୍ତ୍ତି, ଲେଗିଂସ୍‌ ଓ କେପ୍ରି ପ୍ୟାଣ୍ଟ୍‌ ବିକ୍ରି  ହେଉଛି । ଏଗୁଡ଼ିକ ଗୁଜୁରାଟ, ରାଜସ୍ଥାନ, କୋଲକତା ଓ ତାମିଲନାଡ଼ୁରୁ ବ୍ୟବସାୟୀମାନେ ଆଣି ବିକ୍ରି  କରୁଛନ୍ତି । ପୂର୍ବରୁ ପୁରୁଷମାନଙ୍କର ‘ଓମ୍‌ ନମଃ  ଶିବାୟ’ ଡ୍ରେସ୍‌ ବେଶିମାତ୍ରାରେ ଚାଲୁଥିବା ବେଳେ  ଚଳିତ ବର୍ଷ ‘ମହାକାଳ ଗଞ୍ଜି’ ଡ୍ରେସ୍‌ର ଅଧିକ ଚାହିଦା  ରହିଛି । ଗ୍ରାହକମାନେ ଏହାକୁ ପିନ୍ଧିବାକୁ ବେଶି ପସନ୍ଦ  କରୁଛନ୍ତି । 

ସେହିପରି ମହିଳାମାନଙ୍କ ପାଇଁ କମଳା,  ହଳଦିଆ ରଙ୍ଗର ସୂତା ଶାଢ଼ି ବିକ୍ରି ହେଉଛି । ଏହାର  ଦାମ୍‌ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି  ପୁରୁଷମାନଙ୍କ କୁର୍ତ୍ତାର ଦାମ୍‌ ୧୨୦ରୁ ୨୨୦ ଟଙ୍କା,  ମହାକାଳ ଗଞ୍ଜି ୬୦ରୁ ୧୫୦ ଟଙ୍କା, ହାପ୍‌ ପ୍ୟାଣ୍ଟ୍‌  ୭୦ରୁ ୧୫୦ ଟଙ୍କା ଓ ଝୋଲା ବ୍ୟାଗ୍‌ର ଦାମ୍‌ ୨୫ ଟଙ୍କା  ରହିଛି । ବୋଲବୋମ୍‌ ଗାମୁଛାରେ ଧଳା, ହଳଦିଆ  ଓ ନାଲି ରଙ୍ଗର ବିକ୍ରି ହେଉଛି । ସେଥିରେ ପୁଣି  ‘ବୋଲବମ୍‌’, ‘ବୋଲବମ୍‌ ମହାକାଳ’, ‘ଓମ୍‌ ନମଃ  ଶିବାୟ’ ଓ ‘ହରହର ମହାଦେବ’ ଆଦି ପ୍ରିଣ୍ଟ୍‌ର  ଗାମୁଛା ବିକ୍ରି ହେଉଛି । ଏହାର ଦାମ୍‌ ୫୦ରୁ ୮୦ ଟଙ୍କା  ରହିଛି । 

ସେହିପରି ଝିଅମାନଙ୍କ କୁର୍ତ୍ତିର ଦାମ୍‌ ୧୨୦ରୁ  ୨୫୦ ଟଙ୍କା ରହିଥିବା ବେଳେ ଲେଗିଂସ୍‌ର ଦାମ୍‌ ୯୦  ଓ କେପ୍ରି ପ୍ୟାଣ୍ଟ୍‌ର ଦାମ୍‌ ୯୦ରୁ ୧୩୦ ଟଙ୍କା ରହିଛି ।  ଏଥିସହିତ ପ୍ଲାଷ୍ଟିକ୍‌ ଶିବଲିଙ୍ଗ, ତ୍ରିଶୂଳ, ସାପ,  ଘୁଙ୍ଗୁର, ବାହୁଙ୍ଗି, ଘଣ୍ଟି, ମୋବାଇଲ୍‌ ବ୍ୟାଗ୍‌, ଶିକା,  ମୋତିମାଳି, ଲେସ୍‌, ପଟି, ଶୁଣ୍ଢ ଓ ପିତ୍ତଳ ଢାଳ ଆଦି  ଏବେ ବଜାରରେ ଗଦା ହୋଇଗଲାଣି । ଏଥିପାଇଁ  ଚୌଧୁରୀ ବଜାର ଅଞ୍ଚଳରେ ଥିବା ହୋଲସେଲ୍‌  ଦୋକାନରେ ଭିଡ଼ ଜମିଲାଣି । ପ୍ଲାଷ୍ଟିକ୍‌ ସାମଗ୍ରୀ  ଗୁଡ଼ିକର ଦାମ୍‌ ଡର୍ଜନ ପିଛା ୨୪ରୁ ୪୨ ଟଙ୍କା ପର୍ଯ୍ୟନ୍ତ  ରହିଛି । ଚଳିତ ବର୍ଷ ଗୋଟିଏ ପ୍ଲାଷ୍ଟିକ୍‌ ବକ୍ସରେ  ଶିବଙ୍କ ଦୁଇଟି ପତାକା ସହ ଗୋଟିଏ ବଡ଼ ତ୍ରିଶୂଳ  ବାହୁଙ୍ଗିରେ ସଜେଇବା ପାଇଁ ନୂଆ କରି ବଜାରକୁ  ଆସିଛି । ପ୍ୟାକେଟ୍‌ର ଦାମ ୧୦୦ ଟଙ୍କା ରହିଛି ।  

ସେହିପରି ଦୋକାନୀମାନେ ଦୁଇ ପ୍ରକାରର ବାଉଁଶ  ଓ ବେତର ନିର୍ମିତ ବାହୁଙ୍ଗି ବିକ୍ରି କରୁଛନ୍ତି । ବେତ  ବାହୁଙ୍ଗିର ଦାମ୍‌ ୩୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।  ସେହିପରି ବାଉଁଶ ବାହୁଙ୍ଗିର ଦାମ୍‌ ୩୦ ଟଙ୍କା ଥିବା  ବେଳେ ପୂରା ବାହୁଙ୍ଗି ସଜେଇକି ନେଲେ ୨୪୦ ଟଙ୍କା  ଧାର୍ଯ୍ୟ କରାଯାଇଥିବା ବ୍ୟବସାୟୀମାନେ କହିଛନ୍ତି ।  ଏନେଇ ବ୍ୟବସାୟୀ ବାଦଲ ନନ୍ଦି କୁହନ୍ତି  ଦୀର୍ଘ ୪୦ ବର୍ଷ ଧରି ମୁଁ କାଉଡ଼ି ଜିନିଷ ବିକ୍ରି  କରୁଛି । ଚଳିତ ବର୍ଷ ୩ ଲକ୍ଷ ଟଙ୍କାର କାଉଡ଼ି  ଜିନିଷ ବିକ୍ରି ପାଇଁ ଆଣିଛି । ଆମ ଦୋକାନରୁ  କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର,  ପୁରୀ, ଖୋର୍ଦ୍ଧା, କୁଆଖିଆ, ଚଣ୍ଡିଖୋଲ ଏବଂ କଟକ  ଜିଲ୍ଲାର ବିଭିନ୍ନ ଦୋକାନୀମାନେ ଜିନିଷ ନେଉଛନ୍ତି।