ଫୁଲବାଣୀ,୧୬/୧୧: ଫୁଲବାଣୀ ଆଇଟିଆଇ ନିକଟରେ ଏକ ବୋଲେରୋ ସହିତ ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୨ ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଜଣ ଛାତ୍ର ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ହେଲେ ଫୁଲବାଣୀ କୁମ୍ଭାରପଡାର ରଶ୍ମୀରାଣୀ ଦିଗାଲ ଓ ପିଅନପଡାର ଝରଣା କଟା। ଆହତ ଛାତ୍ର ଜଣକ ହେଲେ ଫିରିଙ୍ଗିଆ ଥାନା ଘାଟିସାହିର ପ୍ରିୟ ରଞ୍ଜନ ଦିଗାଲ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସ୍ଥାନୀୟ କେବି ହିଷ୍ଟ କଲେଜରେ ପଢୁଥିବା ଏହି ତିନି ଜଣ ଆଜି ଏକ ବାଇକରେ ଫୁଲବାଣୀରୁ ବୌଦ୍ଧ ରାସ୍ତାରେ ଯାଉଥିଲେ। ଆଇଟିଆଇ ଛକ ନିକଟ ବୀପରିତ ଦିଗରୁ ଆସୁଥିବା ଏକ ବଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୩ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ରଶ୍ମୀରାଣୀ ଓ ଝରଣାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।