ମୁମ୍ବାଇ,୧୪/୧୧; ବଲିଉଡକୁ ଯେମିତି କାହାର ନଜର ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ଅଶୁଭ ଖବର ସାମ୍ନାକୁ ଆସୁଛି । ଜଣାଶୁଣା ବଲିଉଡ଼ ଭେଟେରାନ୍ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କାମିନୀ । କାମିନୀ କୌଶଲ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ, ଯିଏ ୧୯୪୦ ରୁ ୧୯୬୦ ଦଶକ ପର୍ଯ୍ୟନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ସମୟରେ ସେ ଦିଲୀପ କୁମାର ଏବଂ ଦୀନ ଆନନ୍ଦଙ୍କ ଅଭିନୟ କରିଥିଲେ । ତାଙ୍କ ବିୟୋଗ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ଅଭିନେତ୍ରୀ କାମିନୀ କୌଶଳଙ୍କ ମୃତ୍ୟୁର  ଖବର ନେଇ ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି । କାମିନୀ କୌଶଳଙ୍କ ପରିବାର ସର୍ବଦା ଲାଇମଲାଇଟକୁ ଏଡାଇ ଚାଲି ଆସିଛନ୍ତି । କାମିନୀ କୌଶଳ ତାଙ୍କର ଚମତ୍କାର ଅଭିନୟ ସହିତ ଚଳଚ୍ଚିତ୍ର ଶିଳ୍ପରେ ଏକ ଦୃଢ଼ ଛାପ ଛାଡିଛନ୍ତି  । ସେ ୧୯୪୬ ରୁ ୧୯୬୩ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ । ସେ ବର୍ତ୍ତମାନ ସବୁଠାରୁ ବୟସ୍କ ଅଭିନେତ୍ରୀ ଥିଲେ । ବୟସର ଶତକ ହାସଲ କରିବା ପାଇଁ ମାତ୍ର ଦୁଇ ବର୍ଷ ଦୂରରେ ଥିଲେ କାମିନୀ । କାମିନୀ କୌଶଲ ୪୦ ଦଶକର ସବୁଠୁ ସଫଳ ଅଭିନେତ୍ରୀ ଥିଲେ । ବକ୍ସ ଅଫିସ୍‌ ଇଣ୍ଡିଆର ଶୀର୍ଷ ଅଭିନେତ୍ରୀ ତାଲିକାରେ ୧୯୪୭ ଓ ୧୯୪୮ରେ ସେ ଶୀର୍ଷ ସ୍ଥାନରେ ଥିଲେ । ସେତେବେଳର ସବୁଠୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରେ କାମିନୀ ଅନ୍ୟତମ ଥିଲେ । ୨୦୨୨ରେ ଆଉଟ୍‌ଲୁକ୍‌ ଇଣ୍ଡିଆର ୭୫ ଶ୍ରେଷ୍ଠ ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ଥିଲା ।​​​​​​​

ଆକାଶବାଣୀରେ ମାସକୁ ମିଳୁଥିଲା ୧୦ ଟଙ୍କା- କାମିନୀ କୌଶଲ ୧୯୨୭, ଜାନୁଆରୀ ୧୬ରେ ଲାହୋରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶିବ ରାମ କଶ୍ୟପ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଲାହୋରରେ ପ୍ରଫେସର ଥିଲେ । ତାଙ୍କୁ ଭାରତରେ ବ୍ରାୟୋଲୋଜିର ଜନକ ମଧ୍ୟ କୁହାଯାଏ । ସେ ଉଦ୍ଭିଦର ୬ ନୂଆ ପ୍ରଜାତି ଆବିଷ୍କାର କରିଥିଲେ । କାମିନୀ ଦୁଇ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ । ସେ ୭ ବର୍ଷ ବୟସର ଥିଲେ, ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । କମ୍‌ ବୟସରେ କାମିନୀ ଆକାଶବାଣୀ ପାଇଁ କାର୍ଯ୍ୟକ୍ରମ କରିବା ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ମାସକୁ ୧୦ ଟଙ୍କା ଦରମା ମିଳୁଥିଲା । ଏଥିସହ କାମିନୀ ଲାହୋରର ସରକାରୀ କଲେଜରୁ ଇଂରାଜୀ ସାହିତ୍ୟରେ ସେ ସ୍ନାତକ କରୁଥିଲେ । ଇତିମଧ୍ୟରେ ୧୯୪୬ରେ ଚେତନ ଆନନ୍ଦ ତାଙ୍କୁ ଫିଲ୍ମ ‘ନୀଚା ନଗର’ରେ କାମ କରିବାକୁ ଅଫର୍‌ କଲେ । ଏହିଠାରୁ କାମିନୀଙ୍କ ଫିଲ୍ମ ଯାତ୍ରା ଆରମ୍ଭ ହୋଇଥିଲା । 

୧୯୬୩ ପରେ ଦ୍ୱିତୀୟ ଇନିଂସ- ୧୯୬୩ ପରେ, ସେ ମୁଖ୍ୟ ଭୂମିକା ବଦଳରେ ଚରିତ୍ର ଭୂମିକାରେ ଅଭିନୟ କରିବା ଆରମ୍ଭ କଲେ । କାମିନୀ କୌଶଳ ଏହି ଭୂମିକାରେ ମଧ୍ୟ ପ୍ରଚଣ୍ଡ ସଫଳତା ପାଇଥିଲେ । ବିଶେଷକରି, "ଶହୀଦ" (୧୯୬୫) ରେ ତାଙ୍କ ଭୂମିକା ତାଙ୍କୁ ସମୀକ୍ଷକ ପ୍ରଶଂସା କରିଥିଲେ । ସେ "ଦୋ ରାସ୍ତେ" (୧୯୬୯), "ପ୍ରେମ ନଗର" (୧୯୭୪), "ମହା ଚୋର" (୧୯୭୬), ଏବଂ "ଅନହୋନି" (୧୯୭୩) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ । କାମିନୀ କୌଶଳଙ୍କ ପରଲୋକ ହିନ୍ଦୀ ସିନେମାର ଏକ ଗୌରବମୟ ଅଧ୍ୟାୟର ଅନ୍ତ ଘଟାଇଛି । ତାଙ୍କର ଚମତ୍କାର ଅଭିନୟ ଏବଂ ଚଳଚ୍ଚିତ୍ର କ୍ୟାରିଅର ସର୍ବଦା ଦର୍ଶକଙ୍କର ମନେ ରହିବ ।

ଦିଲୀପ କୁମାରଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ୍‌ - କାମିନୀ ୧୯୪୮ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଶହିଦ’ରେ ଦିଲୀପ କୁମାରଙ୍କ ସହ ପରଦାକୁ ଆସିଥିଲେ । ବିବାହିତା ହୋଇ ମଧ୍ୟ ଫିଲ୍ମ ସୁଟିଂ ସମୟରେ ସେ ଦିଲୀପଙ୍କୁ ପସନ୍ଦ କରିବାକୁ ଲାଗିଲେ । ଦିଲୀପ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପରିବାର ବିରୋଧ କରିବାରୁ କାମିନୀଙ୍କୁ ଏହି ସମ୍ପର୍କ ତୁଟାଇବାକୁ ପଡ଼ିଲା । ୨୦୧୪ରେ ଏକ ଗ୍ଲାମର୍‌ ମ୍ୟାଗାଜିନ୍‌ ସହ ବାର୍ତ୍ତାଳାପରେ କାମିନୀ କହିଥିଲେ, ଦିଲୀପ ସାହାବ୍‌ ନିଜ ଜୀବନୀରେ ଲେଖିଛନ୍ତି ଯେ ସେ ମୋଠୁ ଅଲଗା ହେବା ପରେ ଭାଙ୍ଗିପଡ଼ିଥିଲେ । ବାସ୍ତବରେ ଆମେ ଦୁହେଁ ଭାଙ୍ଗିପଡ଼ିଥିଲୁ ।