ନୂଆଦିଲ୍ଲୀ : ବିମାନକୁ ବୋମାରେ ଉଡ଼ାଇବାର ଧମକ ମାମଲା ଯେମିତି ଥମୁ ନାହିଁ। ଏବେ ୯୫ଟି ବିମାନକୁ ଉଡ଼ାଇବାର ଧମକ ମିଳିଛି। ଏଥିରେ ଏୟାର ଇଣ୍ଡିଆର ୨୦ଟି ବିମାନ ସାମିଲ ଅଛି। ଯେଉଁ ବିମାନ ଗୁଡ଼ିକୁ ଧମକ ମିଳିଛି, ଏଥିରେ ୨୦ଟି ଇଣ୍ଡିଗୋ , ୨୦ ଭିସ୍ତାରା ଓ ୨୫ଟି ଅକାସା, ସ୍ପାଇସ୍‌ ଜେଟ୍‌ ଓ ଆଲିଆଞ୍ଜ ଏୟାରର ବିମାନ ସାମିଲ ଅଛି। ନ୍ୟୁଜ୍ ଏଜେନ୍ସି ମୁତାବିକ , ଏହା ପୂର୍ବରୁ ଦିଲ୍ଲୀ ପୁଲିସ ଗତ ୮ ଦିନରେ ୯୦ରୁ ଅଧିକ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଉଡ଼ାଣକୁ ବୋମାରେ ଉଡ଼ାଇ ଦେବାର ଧମକ ସମ୍ୱନ୍ଧରେ ୮ଟି  ଅଲଗା ଅଲଗା ଏଫଆଇଆର  ରୁଜୁ କରାଯାଇଛି। ଯେଉଁ ଉଡ଼ାଣକୁ ଧମକ ମିଳିଛି, ଏଥିରେ ଅକାସା, ଏଆର ଇଣ୍ଡିଆ ,ଇଣ୍ଡିଗୋ ଓ ଭିସ୍ତାରାର ସେବା ସାମିଲ ଅଛି। ଏହି ଉଡାଣ ଦିଲ୍ଲୀରୁ ବିଭିନ୍ନ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଗନ୍ତବ୍ୟ ପାଇଁ ପରିଚାଳିତ ହୋଇଥାଏ । ପୁଲିସର କହିବାନୁସାରେ , ଏହିସବୁ ମାମଲାରେ ଯାଞ୍ଚ କରାଯାଉଛି। 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁସାରେ , ଧମକପୂର୍ଣ୍ଣ ମେସେଜ୍‌ ଏକ୍ସରେ ପ୍ରାପ୍ତ ହୋଇ ଥିଲା , ଯାହାକୁ ପରେ ଅଧିକାରୀମାନେ ଖାରଜ କରି କରି ଦେଇଛନ୍ତି। ପ୍ରଥମ ମାମଲା ୧୬ ଅକ୍ଟୋବରରେ ବେଙ୍ଗାଲୁରୁ ଯାଉଥିବା ଅକାସାର ଫ୍ଲାଇଟ୍‌କୁ ଟାର୍ଗେଟ୍‌ କରିବା ଯୋଡ଼ି ହୋଇ ଥିଲା। ଏକ୍ସ ମାଧ୍ୟମରେ ମିଳିଥିବା ବୋମାର ଧମକ ପରେ କେସ୍‌ ରୁଜୁ କରାଯାଇ ଥିଲା। ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ ବସି ଥିଲେ। ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା। ପୁଲିସ ତାପର ଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସକୁ ଚିଠି ଲେଖି ଧମକ ପୂର୍ଣ୍ଣ ମେସେଜ୍‌ ପୋଷ୍ଟ କରି ଥିବା ଆକାଉଣ୍ଟକୁ ଡିଟେଲ ମାଗି ଥିଲେ। 

ଦିଲ୍ଲୀ ପୁଲିସର ସାଇବର ସେଲ୍‌ର ବିଭିନ୍ନ ଟିମ୍‌ ଉଡ଼ାଣରେ ଜାରି ବିପଦକୁ ନେଇ ଏକ୍ସ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଗତିବିଧି ଉପରେ ନଜର ରଖିଛନ୍ତି। ଗୋଟେ ସପ୍ତାହ ମଧ୍ୟରେ ୧୭୦ରୁ ଅଧିକ ବିମାନକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳିଛି। ଏହି ମଧ୍ୟରେ ସରକାର ଏୟାରଲାଇନକୁ  ବୋମାର ଧମକରୁ ବର୍ତ୍ତିବା ପାଇଁ ବିଧାୟୀ କାର୍ଯ୍ୟାନୁଷ୍ଠାନର ଯୋଜନା ପ୍ରସ୍ତୁତ କରୁଛି, ଯେଉଁଥିରେ ଅପରାଧୀଙ୍କୁ ନୋ-ଫ୍ଲାଇ ତାଲିକାରେ ପକାଇବା ମଧ୍ୟ ସାମିଲ ଅଛି।