ଭୁବନେଶ୍ୱର ୨୨/୧୧: ଦୁର୍ଗାପୂଜା କେଉଁ କାଳରୁ ସରିଲାଣି । କାଳୀ ଓ କାର୍ତ୍ତିକ  ବି ବିସର୍ଜନ ହେଲେଣି । ହେଲେ ବମିଖାଲ  ପୂଜା ମଣ୍ଡପରୁ ଦୁର୍ଗାପୂଜାରେ ପେଣ୍ଡାଲ ବନ୍ଧା  ଯାଇଥିବା ବାଉଁଶ ଏ ଯାଏଁ ରାସ୍ତାରୁ ହଟିନି । ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏନେଇ  ବିଏମ୍‌ସି ତାଗିଦ କରିବା ସହ ବମିଖାଲ ପୂଜା ମଣ୍ଡପ ଉପରେ ୫୦ ହଜାର  ଟଙ୍କା ଜରିମାନା କଷିଛି । ଧାର୍ଯ୍ୟ ସମୟରେ ଟଙ୍କା ଦାଖଲ ନ କଲେ ବାଉଁଶ ଖୋଲି ନିଲାମ  କରିବାକୁ ବିଏମ୍‌ସି ତାଗିଦ୍‌ କରିଛି ।  

ଦୁର୍ଗା ପୂଜାରେ ବମିଖାଲ ରାସ୍ତାରେ  ତୋରଣ ବନ୍ଧା ହୋଇଥିଲା । ହେଲେ ପୂଜା ପରେ  ମଣ୍ଡପ ପକ୍ଷରୁ ତୋରଣ କଢା ହୋଇନଥିଲା । ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ମଣ୍ଡପ  ସଜାଇଥିବା ସଂସ୍ଥା ବାଉଁଶ ଖୋଲିନଥିଲା । ମୁଖ୍ୟ  ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ  ଶହ ଶହ ଗାଡ଼ିମୋଟର ଯିବା ଆସିବା କରୁଛି ।  ଫଳରେ ଏହି ବାଉଁଶ ବିପଦ ସୃଷ୍ଟି କରୁଛି ।  ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଗତକିଛି ଦିନ ତଳେ କଟକ ଖାନନଗର  ଠାରେ ତୋରଣ ତଳେ କାର, ବାଇକ୍‌ ଚାପି  ହୋଇଯାଇଥିଲା । ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସମୟରେ ଏହି  ବାଉଁଶ ବାଡ଼ ତାଙ୍କ ନଜରକୁ ଆସିଥିଲା । ଏହା  ପରେ ସେ ପୂଜା ସଂସ୍ଥାକୁ କାରଣ ଦର୍ଶାଅ  ନୋଟିସ୍‌ ଜାରି କରିଥିଲେ । ଚିଠିରେ ଉଲ୍ଲେଖ  ରହିଛି ଯେ ଏହା ଦ୍ୱାରା ସହରର ସୌନ୍ଦର୍ଯ୍ୟ  ନଷ୍ଟ ହେଉଛି । ଲୋକେ ଅସୁବିଧାର ପଡୁଛନ୍ତି । ତେଣୁ ଦକ୍ଷିଣ-ପଶ୍ଚିମ ଜୋନାଲ କମିଶନରଙ୍କ  ପାଖରେ ଜରିମାନା ଆକାରରେ ୫୦ ହଜାର  ଟଙ୍କା ଦାଖଲ କରିବେ । ଏହା ସହ ବାଉଁଶ  ନ ହଟାଇଲେ, ବିଏମ୍‌ସି ଉକ୍ତ ବାଉଁଶ ଖୋଲି  ନିଲାମ କରିବ । ତେବେ ଏହି ପ୍ରସଙ୍ଗରେ ପୂଜା  ମଣ୍ଡପ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହଁ ।