କାନବେରା,୩୦/୧୧: ଘରୋଇ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଓ ଭାରତ  ମଧ୍ୟରେ ଶନିବାରଠୁ ଦିବା-ରାତ୍ର ଅଭ୍ୟାସ  ମ୍ୟାଚ୍‌ ଆରମ୍ଭ ହେବ । ଚଳିତ ବର୍ଡର-ଗାଭାସ୍କର  ଟ୍ରଫିର ଦ୍ୱିତୀୟ ଟେଷ୍ଟ (ଦିବା-ରାତ୍ର) ପାଇଁ ରୋହିତ ବାହିନୀ ଏହି ମ୍ୟାଚ୍‌ ଜରିଆରେ ପ୍ରସ୍ତୁତି କରିବେ । ଶନିବାର କାନବେରାର ମାନୁକା ଓଭାଲ ଷ୍ଟାଡିୟମରେ ସକାଳ ୯.୧୦ରୁ  ମ୍ୟାଚ୍‌ ଆରମ୍ଭ ହେବ । ଏହା ପୂର୍ବରୁ ସେଠାରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇଛି। ତେଣୁ ପ୍ରାକ୍ଟିସ୍ ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି। 

ପର୍ଥ ଟେଷ୍ଟର ଘରୋଇ ଦଳକୁ ୨୯୫ ରନ୍‌ ବ୍ୟବଧାନରେ ହରାଇବା ପରେ ଭାରତର ମନୋବଳ ଶିଖର ଛୁଇଁଛି । ଏହି  ମ୍ୟାଚ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମା  ଓ ଆହତ ଥିବା ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିନଥିଲା । ପେସ୍‌ ବୋଲର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଦଳ ସବୁ ବିଭାଗରେ ଚମତ୍କାର ଖେଳ ପ୍ରଦର୍ଶନ କରି  କଙ୍ଗାରୁ ଦଳକୁ ଧୂଳି ଚଟାଇଥିଲା । ଇତିମଧ୍ୟରେ  ରୋହିତ ଦଳ ସହ ଯୋଗଦେଇ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ସେହିପରି ଗିଲ୍‌ ମଧ୍ୟ  ଅଭ୍ୟାସ ଆରମ୍ଭ କରିଛନ୍ତି । ଶନିବାର ଗିଲ୍‌ଙ୍କ  ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । 

ଡିସେମ୍ବର ୬ ତାରିଖରୁ ଆଡିଲେଡ୍‌ରେ  ପିଙ୍କ୍‌ ବଲ୍‌ (ଦିବା-ରାତ୍ର) ଟେଷ୍ଟ ଆରମ୍ଭ ହେବ ।  ଏହା ପୂର୍ବରୁ ଦଳ ଅଭ୍ୟାସ୍‌ ମ୍ୟାଚ୍‌ ଜରିଆରେ ଏକାଦଶ ଏବଂ ରଣନୀତି ପ୍ରସ୍ତୁତ କରିବ ।  ୨୦୨୦-୨୧ ଗସ୍ତରେ ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ୍‌ ବଲ୍‌  ଟେଷ୍ଟରେ ଭାରତ ମାତ୍ର ୩୬ରନ୍‌ରେ ଅଲଆଉଟ୍‌  ହୋଇ ତୀବ୍ର ସମାଲୋଚିତ ହୋଇଥିଲା । ଏଥର  ରୋହିତ ବାହିନୀ ପୂର୍ବ ତ୍ରୁଟି ନଦୋହରାଇବା  ପାଇଁ ପିଙ୍କ୍‌ ବଲ୍‌ ଅଭ୍ୟାସ୍‌ ମ୍ୟାଚ୍‌କୁ ଗୁରୁତ୍ୱ  ଦେଇଛି । ଜ୍ୟାକ୍‌ ଏଡ଼ୱାର୍ଡ୍ସଙ୍କ ନେତୃତ୍ୱରେ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଏହି ମ୍ୟାଚ୍‌  ଖେଳିବାକୁ ଯାଉଛି । ଦଳରେ ସ୍କଟ୍‌ ବୋଲାଣ୍ଡ,  ମ୍ୟାଟ୍‌ ରେନସଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି ।