ସିଡିନୀ ୦୧/୦୧: ଚଳିତ ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ  ଟେଷ୍ଟ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ସିଡନୀରେ ପହଞ୍ଚିଛି । ୩ ତାରିଖରୁ ନୂଆ ବର୍ଷ  ଟେଷ୍ଟ ଆରମ୍ଭ ହେବ । ଆଜିଠୁ ଅଭ୍ୟାସ  କରିବ ଭାରତୀୟ ଟିମ୍‌ । ଅବଶ୍ୟ ୩ଦିନ ମଧ୍ୟରେ ଅଭ୍ୟାସ କରିବା ଅପେକ୍ଷା ବିଶ୍ରାମ ନେବା ଶ୍ରେୟସ୍କର ହେବ । ଦଳର କିଛି ଖେଳାଳି ସିଡନୀରେ  ପହଞ୍ଚି ନୂଆ ବର୍ଷ କଟାଇବା ପାଇଁ ପରିବାର  ସହ ବୁଲା ବୁଲି କରୁଥିବା ଦେଖିବାକୁ ମିଳୁଛି ।  

ମେଲବର୍ଣ୍ଣରେ ଅନୁଷ୍ଠିତ ବକ୍ସିଂ ଡେ'  ଟେଷ୍ଟରେ ଭାରତୀୟ ଦଳର ପ୍ରମୁଖ  ବୋଲର ଯଶପ୍ରୀତ ବୁମରା କଠିନ ପରିଶ୍ରମ  କରିଥିଲେ । ଉଭୟ ଇନିଂସରେ ସେ ମୋଟ୍‌  ୫୩.୨ ଓଭର ବୋଲିଂ କରିଥିଲେ । ସେହିପରି  ମହମ୍ମଦ ସିରାଜ ୪୬ ଓଭର ଓ ଆକାଶ ଦୀପ  ୪୩ ଓଭର ବୋଲିଂ କରିଥିଲେ । ସିଡନୀରେ  ମଧ୍ୟ ପୂର୍ଣ୍ଣ ୫ଦିନ ଧରି ଘମାଘୋଟ ଲଢେଇ  ହେବା ନିଶ୍ଚିତ । ତେଣୁ ପେସ୍‌ ବାହିନୀଙ୍କୁ  ଉପଯୁକ୍ତ ବିଶ୍ରାମ ନେବା ଜରୁରି । ଆସନ୍ତା  କାଲି ଟିମ ମ୍ୟାନେଜମେଣ୍ଟର ବୈଠକ  ବସିପାରେ । ପଞ୍ଚମ ଟେଷ୍ଟ ପାଇଁ ଏକାଦଶ  ଚୟନ ଓ ରଣଜୀ ପ୍ରସ୍ତୁତ କରିବା ବୈଠକର  ମୁଖ୍ୟ ବିଷୟ ରହିବ । 

କୋହଲିଙ୍କ ଫୁଟ ୱାର୍କରେ  ରହିଛି ତ୍ରୁଟି: 

ଗାଭାସ୍କର ଭାରତୀୟ କ୍ରିକେଟ୍‌ ଦଳ ମେଲ୍‌ବର୍ଣ୍ଣରେ  ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ୧୮୪ ରନ୍‌ରେ  ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ୨-୧ରେ  ସିରିଜ ଆଗୁଆ ରହିଛି । ୩ତାରିଖରୁ ପଞ୍ଚମ  ଟେଷ୍ଟ ଆରମ୍ଭ ହେବ । ଭାରତ ଉକ୍ତ ମ୍ୟାଚ୍‌  ଜିତିଲେ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବ । ମାତ୍ର ଏହା ପୂର୍ବରୁ ସିନିୟର  ବ୍ୟାଟରଙ୍କୁ ତ୍ରୁଟି ସୁଧାରିବାକୁ ହେବ । ପର୍ଥ  ପରେ କ୍ରମାଗତ ୩ଟି ଟେଷ୍ଟରେ ବିଫଳ  ହୋଇଥିବା ବିରାଟ କୋହଲିଙ୍କ ଫୁଟୱାର୍କରେ  ତ୍ରୁଟି ଖୋଜି ପାଇଛନ୍ତି ପୂର୍ବତନ କ୍ରିକେଟ୍‌  ଖେଳାଳି ସୁନିଲ ଗାଭାସ୍କର । ସେ କହିଛନ୍ତି,  ସଟ୍‌ ଖେଳିବାପୂର୍ବରୁ କୋହଲିଙ୍କ ଫ୍ରଣ୍ଟ ଫୁଟ୍‌  ବଲ୍‌ ଆଡ଼କୁ ନଯାଇ ସିଧା ଆଗକୁ ଯାଉଛି ।  ଫଳରେ ବଲର ଲାଇନ୍‌ ପରଖିବାରେ ସେ  ବିଫଳ ହେଉଛନ୍ତି । ସେ ନଚାହିଁଲେ ମଧ୍ୟ  ଅଫ ଷ୍ଟମ୍ପ ବାହାର ବଲରେ ବ୍ୟାଟ୍‌ ଲଗାଇ  ଦେଉଛନ୍ତି । ବଲ୍‌ ଲାଇନ୍‌ ଆଡ଼କୁ ଗୋଡ଼  ବଢିଲେ ସଟ୍‌ ଚୟନ ସହଜ ହେବ । 

ବୁମରା ବିଶ୍ୱର ଶ୍ରେଷ୍ଠ ବୋଲର: ଲେହମାନ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ପେସ୍‌  ବୋଲର ଯଶପ୍ରୀତ ବୁମରାଙ୍କୁ ପୂର୍ବତନ  ଅଷ୍ଟ୍ରେଲିଆ ଖେଳାଳି ଡାରେନ ଲେହମାନ  ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୋ  କ୍ରିକେଟ୍‌ କ୍ୟାରିୟର୍‌ରୁ ଆରମ୍ଭ କରି ଆଜି  ପର୍ଯ୍ୟନ୍ତ ମୁଁ ଯେତେ ବୋଲରଙ୍କୁ ଦେଖିଛି,  ସେମାନଙ୍କ ମଧ୍ୟରେ ବୁମରା ଶ୍ରେଷ୍ଠ । ମୁଁ  ୱାସିମ ଆକ୍ରମ, ଗ୍ଲେନ ମ୍ୟାକ୍‌ଗ୍ରା, କର୍ଟନୀ  ୱାଲ୍ସଙ୍କ ଭଳି ପେସ୍‌ ବୋଲରଙ୍କୁ ସାମ୍ନା କରିଛି ।  ଜେମ୍ସ ଆଣ୍ଡରସନଙ୍କ ଭଳି ପ୍ରସିଦ୍ଧ ବୋଲରଙ୍କୁ  ଖେଳିଛି । ତଥାପି ମୋ ନଜରରେ ବୁମରା  ଶ୍ରେଷ୍ଠ । ସେ ମୋତେ ବେଶ୍‌ ପ୍ରଭାବିତ  କରିଛନ୍ତି । ଏଭଳି ଅନ୍ୟ କୌଣସି ବୋଲର  ମୋତେ ପ୍ରଭାବିତ କରିନଥିଲେ । ୨୦୧୩/୧୪  ଆସେସରେ ମିଚେଲ ଜନସନଙ୍କ ବୋଲିଂ  ପ୍ରଭାବଶାଳୀ ରହିଥିଲା । ମାତ୍ର ବୁମରା ଏକୁଟିଏ  ଏହି ସିରିଜରେ ଆତଙ୍କ ଖେଳାଇ ରଖିଛନ୍ତି । 

ରୋହିତଙ୍କ ମାନସିକତା ବୁଝି  ହେଉନି: ଗାଙ୍ଗୁଲି 

ବକ୍ସିଂ ଡେ’ ଟେଷ୍ଟରେ ଭାରତର ପରାଜୟ  ପରେ ଅଧିନାୟକ ରୋହିତ ଶର୍ମା ତୀବ୍ର ସମାଲୋଚିତ ହୋଇଛନ୍ତି । ତାଙ୍କୁ ଅଦରକାରୀ  ବସ୍ତୁ ଭାବେ ବର୍ଣ୍ଣନା କରାଯାଉଛି । କିଛି ମାସ  ତଳେ ରୋହିତଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିଥିଲା । ଏହା  ପୂର୍ବରୁ ଦଳ ଦିନିକିଆ ବିଶ୍ୱକପ ଫାଇନାଲ୍‌ରେ  ପ୍ରବେଶ କରିଥିଲା । ରୋହିତଙ୍କ ବ୍ୟାଟିଂ ଯୋଗୁଁ  ଏହା ସମ୍ଭବ ହୋଇଥିଲା । ମାତ୍ର ଏଥର ସେ  ଫର୍ମରେ ନାହାନ୍ତି । ଦଳରେ ଅନ୍ୟ କିଛି  ବ୍ୟାଟରମାନେ ମଧ୍ୟ ଫର୍ମ ହରାଇଛନ୍ତି । କିନ୍ତୁ ରୋହିତଙ୍କୁ ସବୁ ସମାଲୋଚନା କରୁଛନ୍ତି ।  ସୌରଭ ଗାଙ୍ଗୁଲି କହିଛନ୍ତି, ମୁଁ ବର୍ତ୍ତମାନ  ରୋହିତଙ୍କ ମାନସିକତାକୁ ବୁଝିବାରେ ବିଫଳ  ହୋଇଛି । ସେହିପରି ଜଷ୍ଟିନ ଲାଙ୍ଗର କହିଛନ୍ତି,  ମୋ ମତରେ ରୋହିତ କ୍ଲାନ୍ତ ହୋଇପଡ଼ିଛନ୍ତି ।  ମୁଁ ତାଙ୍କୁ ଏଭଳି କେବେ ଦେଖି ନଥିଲି । ସେ  ଗ୍ରାଉଣ୍ଡରେ ଭାବ ବିହ୍ୱଳ ହୋଇପଡ଼ୁଛନ୍ତି ।  ସେ ସର୍ବଦା ଶାନ୍ତ ମନରେ ବିନା ଚାପରେ  ଖେଳି ଆସିଛନ୍ତି । କିନ୍ତୁ ଏଥର ଛୋଟ ମୋଟ  ତ୍ରୁଟିରେ ମଧ୍ୟ ବିରକ୍ତ ହେଉଛନ୍ତି । ମାନସିକ  ସ୍ତରରେ ସେ କ୍ଳାନ୍ତ ଥିବା ମୁଁ ଅନୁଭବ କରୁଛି ।