ପୁରୀ,୧୩/୧୦: ନରେନ୍ଦ୍ର ପୁଷ୍କରିଣୀରୁ ବାକ୍ସରେ ଭର୍ତ୍ତି ଖଣ୍ଡବିଖଣ୍ଡିତ ଶବ ଜବତ ମାମଲା ଏବେ ବି ରହସ୍ୟ ଭିତରେ ରହିଛି । ଆଉ ଏକ ମାସ ପରେ ମାମଲାକୁ ୧୧ ବର୍ଷ ପୂରିବ । ହେଲେ ରହସ୍ୟ ଉପରୁ ପରଦା ହଟିପାରିନାହିଁ । ମାମଲାର ୫ ବର୍ଷ ପରେ ତତ୍କାଳୀନ ଏସ୍ପି ଫାଇଲ ଖୋଲି ସ୍କେଚ୍ ଫଟୋ ଜାରି କରିଥିଲେ ମଧ୍ୟ ତଦନ୍ତ ଫାଇଲ୍ ଭିତରେ ରହିଯାଇଛି । ତଦନ୍ତ ଆଉ ଆଗକୁ ଆଗେଇପାରିନି । ମୃତକଙ୍କ ପରିଚୟ ମିଳିପାରିଲା ନାହିଁ । ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛି ମାମଲା । ଶବ କାହାର, କିଏ ଏଠାରେ ଆଣି ପକାଇଲା ତାହାର କିଛି ଟେର୍ ପାଇପାରିଲାନି ପୁଲିସ । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଥାଇ ବି ମାମଲାର ରହସ୍ୟ ଭେଦିପାରେ ପୁଲିସ ସଫଳ ହୋଇନାହିଁ ।
୨୦୧୪ ମସିହା ଡିସେମ୍ବର ୧୦ ତାରିଖ । କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ର ପୁଷ୍କରିଣୀରୁ ୨ଟି ବାକ୍ସ ଜବତ କରିଥିଲା ପୁଲିସ । ଗୋଟିଏ ବାକ୍ସରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ରହିଥିଲା । ଅନ୍ୟଟିରେ ଅଣ୍ଟାଠାରୁ ଗୋଡ଼ ପର୍ଯ୍ୟନ୍ତ ଥିଲା । କିନ୍ତୁ ବାମ ଗୋଡ଼ ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ବାକ୍ସରେ ନଥିଲା । ତେଣୁ ଏହି ଗୋଡ଼ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିବା ସନ୍ଦେହ କରିଥିଲା ପୁଲିସ । ମୃତବ୍ୟକ୍ତିଙ୍କ ଶରୀରରେ ପଇତା ଥିଲା । ସେ ସେଭିଂ ହୋଇଥିଲେ । ଦେହର ରଙ୍ଗ ଗୋରା ଥିଲା । ଏନେଇ ପୁଲିସ ସେ ସମୟରେ ଏକ ହତ୍ୟା ମାମଲା (୩୦୧/୧୪) ରୁଜୁ କରି ଶବ ଜବତ କରିଥିଲା । ପୁଲିସ ଶବ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର (ଏସ୍ଏଫ୍ଏସ୍ଏଲ୍)କୁ ପଠାଇଥିଲା । ପରେ ମାମଲାର ତଦନ୍ତ କରି ପୁଲିସ ଅନେକ ତଥ୍ୟ ହାସଲ କରିଥିଲା । ମାତ୍ର ମୃତବ୍ୟକ୍ତିଙ୍କ ପରିଚୟ ପାଇନଥିଲା ।
ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବହୁ ଥାନା ଅଧିକାରୀ, ସିଟି ଡିଏସ୍ପି ଓ ୯ ଜଣ ଏସ୍ପି ବଦଳିଲେଣି, ହେଲେ ରହସ୍ୟ ଖୋଲିପାରିଲେ ନାହିଁ । ୨୦୨୦ ମସିହାରେ ତତ୍କାଳୀନ ଏସ୍ପି ଉମାଶଙ୍କର ଦାଶ ମାମଲାର ଫାଇଲ ଖୋଲିଥିଲେ । କିନ୍ତୁ ପୂରା ଘଟଣା ଉପରୁ ପରଦା ହଟାଇ ପାରିଲେନାହିଁ । ବର୍ତ୍ତମାନ ଯୁବ ଓ ଦକ୍ଷ ଆଇପିଏସ୍ ପ୍ରତୀକ ସିଂ ଏସ୍ପି ଭାବେ ଯୋଗଦେବା ପରେ ମାମଲାର ରହସ୍ୟ ଖୋଲିବାକୁ ଉଦ୍ୟମ କଲେ ନିଶ୍ଚିତ ସୁଫଳ ମିଳିବ ବୋଲି ବୁଦ୍ଧିଜୀବୀ ହେକ୍ଟର ମିଶ୍ର ମତବ୍ୟକ୍ତ କରିଛନ୍ତି ।
ମୃତକଙ୍କ ସ୍କେଚ୍ ଜାରି ସହ ସବୁ ଥାନାକୁ ପଠାଯାଇଥିଲା
ପୂର୍ବତନ ଏସ୍ପି ଶ୍ରୀ ଦାଶ ୨୦୨୦ ମସିହା ମାର୍ଚ୍ଚ ମାସରୁ ତଦନ୍ତ କରିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ମୃତକଙ୍କ ଫଟୋ ପ୍ରସ୍ତୁତ କରାଯାଇଥିଲା। ବାକ୍ସରୁ ଶବ ଜବତ ବେଳେ ମୃତକଙ୍କ ମୁଣ୍ଡ ଓ ମୁହଁ ପାଣିରେ ପଚି ଯାଇଥିବାରୁ ଚିହ୍ନିବାରେ କଷ୍ଟ ହେଉଥିଲା । ଗଣ୍ଡି ଓ ମୁଣ୍ଡକୁ ଏକାଠି କରି ପୁଲିସ ଫଟୋ ଉଠାଇବା ପରେ ରାଜ୍ୟ ଓ ଦେଶର ବିଭିନ୍ନ ଥାନାକୁ ପଠାଇଥିଲା । ମାତ୍ର ତାକୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା । ଏପରିକି ୨୦୨୦ ମେ’ ୧୪ରେ ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଏହି ଫଟୋ ଜାରି କରି ମୃତକଙ୍କ ପରିଚୟ ଖୋଜିଥିଲା ପୁଲିସ ।
ମିଳିଥିବା ତଥ୍ୟରୁ ଖିଅ ପାଇନଥିଲା ପୁଲିସ
ମୃତ୍ୟୁର ଠିକ୍ ୧୦ ଦିନ ପୂର୍ବରୁ ମୃତକଙ୍କ ଓପନହାର୍ଟ ସର୍ଜରୀ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିଲା । ଶରୀରକୁ କଟର ମେସିନରେ କଟାଯାଇଥିବା ବେଳେ ଭର୍ତ୍ତି ହୋଇଥିବା ବାକ୍ସରେ କିଛି ଖବରକାଗଜ ମଧ୍ୟ ଥିଲା । ଶବ ଜବତ ତାରିଖରୁ ୩ ବର୍ଷ ପୁରୁଣା ଅର୍ଥାତ୍ ୨୦୧୧ ମସିହାର ଖବରକାଗଜ ଥିଲା । ଏତେ ପୁରୁଣା କାଗଜ ଦୁର୍ବୃତ୍ତ କେଉଁଠୁ ଆଣି ବାକ୍ସରେ ଭର୍ତ୍ତି କରିଥିଲା, ତାହାକୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା ପୁଲିସ