ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ପ୍ରେମିକା ତଣ୍ଟି କାଟିଦେବା ମାମଲା : ଭିଣୋଇଠୁ ମୁକ୍ତି ପାଇବାକୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ଶାଳୀ, ଆଉ ୨ ଜଣଙ୍କ ସମ୍ପୃକ୍ତି ସନ୍ଦେହ

Published By : Rasmita Pradhan | July 25, 2025 10:06 AM

କେନ୍ଦ୍ରାପଡ଼ା, ୨୫/୦୭ : ପାରାଦୀପ-ଚଣ୍ଡିଖୋଲ ଏକ୍ସପ୍ରେସ୍‌ ଜାତୀୟ ରାଜପଥର ହଜାରି-ଛଘରିଆ ରାସ୍ତାରେ କୁଜଙ୍ଗ ଥାନା ବାଘୁଆଠେଙ୍ଗର ସତ୍ୟଜିତ ଷଡ଼ଙ୍ଗୀଙ୍କ ଗଳା କାଟିଦେବା ମାମଲା। ଜେଲ୍ ଗଲା ତଣ୍ଟି କାଟିଥିବା ଶାଳୀ। ମାମଲାର ତଦନ୍ତ କରି ପୁଲିସ ସମ୍ପର୍କୀୟା ଶାଳୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ (୨୬ ବର୍ଷ)କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରେ । ପୁଲିସ ତା’ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଅଢ଼ାପଟି ଗାଁରୁ ତାକୁ ଗିରଫ କରିଛି। ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାକୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି। 

ଲକ୍ଷ୍ମୀପ୍ରିୟା ସତ୍ୟଜିତଙ୍କ ଦିବଂଗତ ପତ୍ନୀଙ୍କ ମାମୁ ଝିଅ । ବିବାହ ପରେ ସତ୍ୟଜିତଙ୍କର ଲକ୍ଷ୍ମୀପ୍ରିୟା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ତାକୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ବିଭିନ୍ନ ସମୟରେ ଏହି ଘଟଣାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ଏହି କାରଣରୁ ଆତ୍ମହତ୍ୟା କରିଥିବା ମଧ୍ୟ ଚର୍ଚ୍ଚା ହୁଏ । ପତ୍ନୀଙ୍କ ମୃତ୍ୟୁ ପରେ ସତ୍ୟଜିତ ଲକ୍ଷ୍ମୀପ୍ରିୟାର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଇତିମଧ୍ୟରେ ଲକ୍ଷ୍ମୀପ୍ରିୟାର ବିବାହ ହୋଇ ବିବାହ ବିଚ୍ଛେଦ ବି ହୋଇଯାଇଥିଲା। ଯେଉଁଥିପାଇଁ ସେ ଆସି ବାପଘରେ ରହୁଥିଲା । କିଛି ଦିନ ହେଲା ଲକ୍ଷ୍ମୀପ୍ରିୟା କାଳିଆପାଣିର ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲା । ସେଠାରେ ଜଣେ ପୁରୁଷ ସହକର୍ମୀଙ୍କ ସହ ତାର ସମ୍ପର୍କ ଥିବା ସନ୍ଦେହ କରି ସତ୍ୟଜିତ୍‌ ଲକ୍ଷ୍ମୀପ୍ରିୟାକୁ ବାରମ୍ବାର ଗାଳି କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଲକ୍ଷ୍ମୀପ୍ରିୟା ପୁରୁଣା ପ୍ରେମିକ ସତ୍ୟଜିତଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । 

ଗତ ୨୨ ତାରିଖ ସତ୍ୟଜିତଙ୍କୁ ବୁଲିଯିବା ପାଇଁ ଡାକିଥିଲା ଲକ୍ଷ୍ମୀପ୍ରିୟା । ଦୁହେଁ ଏକ ସ୍କୁଟରରେ କେନ୍ଦ୍ରାପଡ଼ା ଚାଲି ଆସିଥିଲେ । ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ରାଜପଥର କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ହଜାରିଛଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ନିରୋଳା ଜାଗାରେ ସ୍କୁଟର ଅଟକାଇଥିଲେ । ଅନୈତିକ ସମ୍ପର୍କ ରଖିବା ବାହାନାରେ ସତ୍ୟଜିତଙ୍କୁ ରାସ୍ତା କଡ଼କୁ ଡାକି ନେଇ ଏକ ଛୁରିରେ ତାଙ୍କ ଗଳା କାଟି ଦେଇଥିଲା ଲକ୍ଷ୍ମୀପ୍ରିୟା । ପରେ ସ୍କୁଟରରେ ଫେରାର ହୋଇଯାଇଥିଲା । ବାଟରେ ଏକ ସ୍ଥାନରେ ଗାଡ଼ି ରଖି ହାତ ସଫା କରିଥିଲା । ପରେ ରକ୍ତଭିଜା ପିନ୍ଧା ବସ୍ତ୍ର ବଦଳାଇ ଲୁଚାଇ ଦେଇଥିଲା । କିଛି ନ ଜାଣିବା ଭଳି ଘରେ ଯାଇ ପହଞ୍ଚିଥିଲା । ଅନ୍ୟପକ୍ଷରେ ସତ୍ୟଜିତଙ୍କଠାରୁ ତାଙ୍କ ପ୍ରେମିକା ଗଳା କାଟିଥିବା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ସେଦିନ ବିଳମ୍ବିତ ରାତ୍ରିରେ ମୋବାଇଲ ଫୋନ୍‌ ଟ୍ରାକିଂ କରି ଲକ୍ଷ୍ମୀପ୍ରିୟା ପାଖରେ ପହଞ୍ଚିଥିଲା । ପୁଲିସକୁ ଘର ପାଖରେ ଦେଖି ଲକ୍ଷ୍ମୀପ୍ରିୟା ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ତାକୁ କାବୁ କରିଥିଲା । ଲକ୍ଷ୍ମୀପ୍ରିୟାଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌, କିଛି ଟଙ୍କା ଓ ଏକ ଆକାଶିଆ ରଙ୍ଗର ଟି-ସାର୍ଟ ଜବତ କରିଥିଲା। ତେବେ ଗଳା କାଟିବାରେ ବ୍ୟବହାର କରିଥିବା ଛୁରି ଜବତ ହୋଇପାରିନାହିଁ। ଏହି ଘଟଣାରେ ଆଉ ୨ଜଣ ଯୁବକ ସାମିଲ ଥିବା ସନ୍ଦେହ କରାଯାଉଛି । ଏସ୍‌ପି ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ କହିଛନ୍ତି ଯେ ସତ୍ୟଜିତଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅନ୍ୟ କେହି ସାମିଲ ନଥିବା ଲକ୍ଷ୍ମୀପ୍ରିୟା ପୁଲିସକୁ କହିଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲେ ସେମାନଙ୍କୁ ଗିରଫ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.